ସମସ୍ୟା ଘେରରେ ନନ୍ଦିପଦା ଥାନା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଅଛି ନନ୍ଦିପଦା ଥାନା । ଏହି ଥାନା ଅଧିନରେ ହାଟଡିହି ବ୍ଲକର ୧୯ଟି ପଞ୍ଚାୟତର ୧୨୨ଟି ଗ୍ରାମ ରହିଛି । ଏହାର ସୀମାନ୍ତ ଅଞ୍ଚଳ ଭଦ୍ରକ, ଯାଜପୁର ଜିଲ୍ଲା ସହିତ ସଂଗ୍ଲଗ୍ନ ରହିଛି । ଥାନାଟି ଜିଲ୍ଲାର ଏକ ସମ୍ବେଦନଶୀଳ ଥାନା ଭାବେ ପରିଗଣିତ ହେଉଥିବାବେଳେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଅଣଦେଖା ଯୋଗୁଁ ଥାନାଟି ଅବହେଳିତ ହୋଇ ପଡିରହିଛି । ଫଳରେ ଏହି ଥାନାକୁ ଭଲ ଭଲ ଅଧିକାରୀ ମାନେ ଆସିବାକୁ ଅମଙ୍ଗ ହେଉଛନ୍ତି । ଭଲ ଅଫିସର ନଥିବା ଓ ସବୁବେଳେ କର୍ମଚାରୀ ଅଭାବ ଯୋଗୁଁ ଥାନା ଠିକ ଭାବେ ଚାଲିପାରୁ ନଥିବାବେଳେ ଲୋକମାନେ ନ୍ୟାୟ ପାଇବାରେ ନାନା ଅସୁବିଧା ଦେଖା ଦେଉଛି । ନନ୍ଦିପଦା ଥାନାରେ ଜଣେ ଆଇଆଇସି, ତିନିଜଣ ଏସ.ଆଇ, ତିନିଜଣ ଏ.ଏସ.ଆଇ, ଜଣେ ହାବିଲଦାର ଓ ୧୧ଜଣ କନେଷ୍ଟବଲ ରହିବାକୁ ଥିବାସ୍ଥଳେ ଏବେ ମାତ୍ର ଜଣେ ଆଇ.ଆଇ.ସି ଓ ଜଣେ ଏସ.ଆଇଙ୍କୁ ନେଇ ଥାନା ଚାଲିଥିଲା । କିନ୍ତୁ ଆଜି ଥାନାର ଆଇ.ଆଇ.ସି ଓ ଜଣେ ସବଇନସପେକ୍ଟରଙ୍କୁ ବଦଳି କରି ନିଆଯାଇଥିବାବେଳେ ଜଣେ ସବଇନସପେକ୍ଟରଙ୍କୁ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । କୌଣସି ଏସ.ଆଇ କିମ୍ବା ଏଏସଆଇ ନିଯୁକ୍ତି ପାଇ ନଥିବାବେଳେ କିପରି ଥାନା ଚାଲିବ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି । ଏହି ଥାନା ଅଞ୍ଚଳରେ ନିୟମିତ ଜମିବାଡି ବିବାଦ, ଘରୋଇ ହିଂସା, ଚୋରୀ, ରାହାଜାନୀ ଭଳି ଅପରାଧିକ ମାମଲା ଘଟିଚାଲିଛି । ଗତ କିଛିଦିନ ଭିତରେ ୫ପାଞ୍ଚୋଟି ଚୋରୀ ହୋଇଥିଲେବି କର୍ମଚାରୀ ଅଭାବରୁ ସଠିକ ତଦନ୍ତ ମଧ୍ୟ କରାଯାଇ ପାରୁନାହିଁ । ବାରମ୍ବାର ଅଧିକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଉଚ୍ଚ କର୍ତ୍ତୁପକ୍ଷ ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଆଲୋଚନା ହେଉଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟଯେ ଏହି ଥାନାରେ ଅଧିକାରୀ କିମ୍ବା କର୍ମଚାରୀ ମାନଙ୍କ ପାଇଁ କୌଣସି କ୍ୱାଟର ନଥିବାରୁ ଅଧିକାରୀ ଓ କର୍ମଚାରୀ ମାନେ ବହୁ ଦୁର ଦୁରାନ୍ତରେ ଘରଭଡା ନେଇ ରହୁଥିବାରୁ ସଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । ଯାହାକୁ ନେଇ ସବୁବେଳେ ଅସନ୍ତୋଷ ଦେଖା ଦେଇଥାଏ । ଅନେକ ସମୟରେ ଆଇନିଶୃଙ୍ଖଳା ରକ୍ଷା ପାଇଁ ଫୋର୍ସ ମନଙ୍କୁ ଅଣାଯାଉଥିଲେବି ସେମାନଙ୍କ ରହିବା ପାଇଁ କୌଣସି ଘର ନଥିବାରୁ ସେମାନଙ୍କ ରହିବାପାଇଁ ସ୍କୁଲ କଲେଜ ଘର ଖୋଜାପଡେ । ଅଧିକାରୀ, କର୍ମଚାରୀ ଓ ପୁଲିସ ଗାଡିର ଅଭାବ ଯୋଗୁଁ ଆଇତିପୁର ଠାରୁ ଶାସଙ୍ଗ ଓ ପନ୍ଦାଡୋ ଠାରୁ ସମଣା ପର୍ଯ୍ୟନ୍ତ ଦୀର୍ଘ ୩୦କଲୋମିଟର ପରିସୀମାରେ ଥିବା ଗାଁ ମାନଙ୍କୁ ସୁରକ୍ଷା ଯୋଗାଇବାରେ ଥାନାଟି ସକ୍ଷମ ହୋଇପାରୁନି । ଥାନାରେ ଗୋଟିଏ ଭଙ୍ଗା ଦଦରା ଗାଡି ଥିବାବେଳେ ଏହା ବାଟରେ ଅନେକ ସମୟରେ ଖରାପ ହୋଇ ପଡିରୁହେ । ସେହିପରି ଥାନାରେ ସୋଲାର ସିଷ୍ଟମ ଲାଗିଥିଲେବି ତାହା ବହୁ ପୁରୁଣା ହୋଇଯାଇଥିବାରୁ ଠିକଭାବେ କାର୍ଯ୍ୟକ୍ଷମ ହୋଇ ପାରୁନି । ଫଳରେ ଲାଇନ ଚାଲିଗଲେ ଥାନାଟି ଅନ୍ଧାରରେ ବୁଡି ରହୁଛି । ରାତି ହେଲେ ଥାନାଟି ଅନ୍ଧକାରରେ ନିଜର ସ୍ଥିତି ହରାଉଛି । ଏପରିକି ଥାନାରେ ଟେଲିଫୋନ ସଂଯୋଗ ନଥିବାରୁ ଘଟଣା ଦୁର୍ଘଟଣା ସମ୍ପର୍କରେ ଥାନାକୁ ଜଣାଇବା କଷ୍ଟକର ହୋଇପଡୁଛି । ଏସବୁ ସମସ୍ୟା ଭିତରେ ଥାନାଟି ଗତି କରୁଥିବାରୁ ସେମାନେ ଅନ୍ୟକୁ କିପରି ସାହାଯ୍ୟ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଜିଲ୍ଲା ଏସପିଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେବି କୌଣସି ସୁଫଳ ମିଳିପାରୁନି । ପୁଲିସ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଅଧିକ ଏସ.ଆଇ ଓ ଏ.ଏସ.ଆଇ ନିଯୁକ୍ତି କରିବା ସହିତ ଥାନା ଷ୍ଟାଫଙ୍କ କ୍ୱାଟର ନିର୍ମାଣ କରାଇବା ଲାଗି ପଦକ୍ଷେପ ନେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ