ସମସ୍ୟା ସମାଧାନ ପାଇଁ ଯତ୍ନବାନ ହେବାକୁ ପରାମର୍ଶ : ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଆଜି ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଦ୍ୱାରା ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇବର୍ଷ ହେବ ଶିବିର ବନ୍ଦ ରହିଥିବା ବେଳେ ଆଜିଠାରୁ ଉକ୍ତ ମାସିକିଆ ଶିବିର ଆରମ୍ଭ ହୋଇଛି । ଆଜିର ଶିବିରରେ ପ୍ରାୟ ୮୦ଗୋଟି ଆପତ୍ତି ଅଭିଯୋଗ ହୋଇଥିବା ବେଳେ ଏହାକୁ ତତ୍କାଳ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ବିଶେଷ କରି କୁରିଗାଁ ପଞ୍ଚାୟତ କଣ୍ଟି ୯ନଂ ୱାର୍ଡରେ ବସବାସ କରୁଥିବା ହରିଜନ ଆଦିବାସୀଙ୍କ ନାମ ୨୦୧୧ଜନ ଗଣନାରୁ ବାଦ ପଡିବା, ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ, କେନାଲ ପୁନରୁଦ୍ଧାର ସମ୍ପର୍କରେ ଅଭିଯୋଗ ହୋଇଥିଲା । ସେହିଭଳି ଷୋଳମପୁର ପଞ୍ଚାୟତରେ ବିନା ଫଳକରେ କାମ ହେବା ସହିତ ମାଳଦା ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ବିଭିନ୍ନ ବିଦ୍ୟାଳୟ ମିଶ୍ରଣକୁ ନେଇ ଆପତ୍ତି ଅଭିଯୋଗ ହୋଇଥିଲା । ସେହିଭଳି ରହଣିଆ ପଞ୍ଚାୟତ ଆକୁଲିକଣାରେ ଏକ ଶବଦାହ ଗୃହ ନିର୍ମାଣ ସହିତ ପାଟୁଳି ପଞ୍ଚାୟତ ଜୋରାଗଡ଼ିଆ ଅଙ୍ଗନବାଡି କେନ୍ଦ୍ର ନବୀକରଣ ପାଇଁ ଶିବିରରେ ଲିଖିତ ଭାବେ ଜଣାଯାଇଥିଲା । ଏତଦବ୍ୟତୀତ ଜଳମଣ୍ଡୁଆ ପଞ୍ଚାୟତ ସମେତ ଆହୁରି ଅନେକ ପଞ୍ଚାୟତରେ ବସୁଧା ଯୋଜନା ଫେଲ ମାରିଥିବା ଓ ପୁରିପଡା ଗ୍ରାମ୍ୟ ରାସ୍ତା ନିର୍ମାଣ ହେଉନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ସବୁ ଆପତ୍ତି ଅଭିଯୋଗ ଶୁଣିବା ପରେ ଏଦିଗରେ ଅଧିକାରୀ ମାନେ ସମାଧାନ ପାଇଁ ଦୃଷ୍ଟି ଦେବା ସହ ସରକାରଙ୍କ ଯୋଜନାକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଉକ୍ତ ଶିବିରରେ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ପୁଲିସ ଉପଖଣ୍ଡ ଅଧିକାରୀ ବିଜୟ ମହାପାତ୍ର, ଥାନା ଅଧିକାରୀ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ଜଙ୍ଗଲ, ଉଠା ଜଳସେଚନ,ପୂର୍ତ୍ତ, ଗ୍ରାମ୍ୟ, ଡ୍ରେନେଜ, ଜଳସମ୍ପଦ, ସ୍ୱାସ୍ଥ୍ୟ, ଅବକାରୀ, ବିଦ୍ୟୁତ, କୃଷି, ଜଳ ଓ ପରିମଳ, ଉଦ୍ୟାନ କୃଷି ଅଧିକାରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକଙ୍କ ସହିତ କର୍ମଚାରୀ ମାନେ ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ