ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କୁ ସମାଜବାଦୀ ପାର୍ଟିର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ଲୋହିଆ ଜୟପ୍ରକାଶ ଆନ୍ଦୋଳନର ଉତ୍ତୁଙ୍ଗ ରାଜନେତା, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ବିନ୍ଧାଣୀ ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ସୋମବାର ସନ୍ଧ୍ୟାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ମୁଲାୟମ ସିଂଙ୍କ ରାଜନୀତି, ଲୋହିଆ ଜୟପ୍ରକାଶ ଆନ୍ଦୋଳନକୁ ତାଙ୍କର ଅବଦାନ ଏବଂ ବର୍ତ୍ତମାନର ଘରୋଇକରଣ ଯୁଗରେ ତାଙ୍କ ରାଜନୀତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ମାନବିକ ଅଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ ମୁଲାୟମ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମତବ୍ୟକ୍ତ କରିଥିଲେ ଯେ, ତାଙ୍କ ଅବର୍ତ୍ତମାନରେ ଦେଶର ଗଣତନ୍ତ୍ର ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି ତାହା ଏକ ଅପୂରଣୀୟ କ୍ଷତିର ସମ୍ମୁଖୀନ ହେଲା । ଆମ୍ବେଦକର ଲୋହିଆ ବିଚାର ମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ ମୁଲାୟମଙ୍କୁ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ମେସିଆ ଭାବରେ ବର୍ଣ୍ଣନା କରି ତାଙ୍କ ଅବର୍ତ୍ତମାନରେ ଦେଶର ଗଣତନ୍ତ୍ର ଓ ଧର୍ମନିରପେକ୍ଷ ରାଜନୀତି ଆହୁରି ଦୁର୍ବଳ ହୋଇପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ । ମାନବିକ ଅଧିକାର କର୍ମୀ ଧୀରେନ୍ଦ୍ର ପଣ୍ଡା, ସମାଜବାଦୀ ପାର୍ଟିର ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ନାରୀନେତ୍ରୀ ରୀତା ପଟ୍ଟନାୟକ, ଯୁବନେତା ଗଙ୍ଗାଧର ପୂଜାରୀ, ତପନ କୁମାର ନାୟକ, ଦୀପଦାସ ଯାଦବ ପ୍ରମୁଖ ମୁଲାୟମଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏଠାରେ ଉଲ୍ଲେଖଥାଉକି, ଦୀର୍ଘଦିନର ଡ଼ାକ୍ତରଖାନାରେ ସଂଗ୍ରାମ ପରେ ସୋମବାର ସକାଳ ୮.୩୬ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ସଂରକ୍ଷକ ଶ୍ରୀ ମୁଲାୟମ ସିଂ ଯାଦବ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୭ ମସିହାରୁ ତାଙ୍କ ସହିତ ନିଜର ବ୍ୟକ୍ତିଗତ ସମ୍ପର୍କ ଉପରେ ଆଲୋକପାତ କରି ସଭାପତି ଶ୍ରୀ ବେହେରା ନିଜର ସଭାପତି ଅଭିଭାଷଣରେ ମୁଲାୟମ ସିଂଙ୍କ ସ୍ମୃତିଚାରଣ କରିବା ସହିତ ଆଜି ଦେଶର ସମ୍ବିଧାନ ଓ ଧର୍ମନିରପେକ୍ଷ ରାଜନୀତି ଯେତେବେଳେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି, ସେହି ସମୟରେ ମୁଲାୟମଙ୍କ ବିୟୋଗ ଦେଶର ଗଣତନ୍ତ୍ର ପ୍ରତି ଅପୂରଣୀୟ କ୍ଷତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିକାଶ ଯୁବ ପରିଷଦର ଅଧ୍ୟକ୍ଷ ଦେବୀ ପ୍ରସାଦ ପୃଷ୍ଟି, ଶ୍ରୀ ବିଜୟ ବେହେରା, ଦେବାଶିଷ ମହାପାତ୍ର, ଦେଶପ୍ରିୟ ଦାସ, ସୁବ୍ରତ ଲେଙ୍କା, ସୁନିଲ ମିଶ୍ର ଓ ସୁଶିଲ ହୋତା ପ୍ରମୁଖ ମୁଲାୟମଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ