ସମାଜବାଦ ଏବଂ ଗଣରାଜ୍ୟ ର ପ୍ରବର୍ତ୍ତକ ମହାରାଜା ଶ୍ରୀ ଅଗ୍ରସେନ

ସମ୍ପତ୍ତ କୁମାର ଅଗ୍ରୱାଲ

ବିଶ୍ୱରେ ବର୍ତମାନ ସମୟରେ ଅନେକ ଦେଶରେ ଗଣରାଜ୍ୟ ପଦ୍ଧତି ପ୍ରଚଳିତ  ରହିଛି । ଅନେକ ଦେଶ ଏହା ଦ୍ୱାରା ସୁସଂଗଠିତ ଏବଂ ଶୃଙ୍ଖଳିତ ଭାବେ ପରିଚାଳିତ । ସେହିପରି ସମାଜବାଦ ପଦ୍ଧତି ମଧ୍ୟ କେତେକ ଦେଶରେ ପ୍ରଚଳିତ ରହିଛି । ମାତ୍ର  ଏହି ଗଣରାଜ୍ୟ ପଦ୍ଧତି  ଓ ସମାଜବାଦ ପଦ୍ଧତିର ପ୍ରବର୍ତ୍ତନ ଆଜକୁ ପାଞ୍ଚ ହଜାର ବର୍ଷ ପୂର୍ବେ ମହାରାଜ ଶ୍ରୀ ଅଗ୍ରସେନ ତାଙ୍କ ରାଜ୍ୟରେ କରିଥିଲେ । ମହାରାଜ ଶ୍ରୀ ଅଗ୍ରସେନ ଅଖଣ୍ଡ ଭାରତର ପ୍ରତାପ ନଗର (ଅଗ୍ରେୟ) (ଯାହାକି ବର୍ତ୍ତମାନ ସମୟରେ ହରିଆନା ରାଜ୍ୟର ହିସାର ଜିଲ୍ଲାରେ ଅବସ୍ଥିତ) ରାଜ୍ୟରେ ୫ ହଜାର ବର୍ଷ ପୂର୍ବେ ଶାସନ କରୁଥିଲେ  । ମହାରାଜା ଶ୍ରୀ ଅଗ୍ରସେନ ଏହା ବ୍ୟତିତ ନିଜ ରାଜ୍ୟର ପ୍ରଜାଙ୍କ ମଧ୍ୟରେ ସମାନତା ସ୍ଥାପନା ଲକ୍ଷରେ ଗୋଟିଏ ଇଟା ଏବଂ ଗୋଟିଏ ମୁଦ୍ରା ନିୟମର ପ୍ରଚଳନ କରିବା ସହିତ ନିଜ ରାଜ୍ୟରେ ଜୀବହତ୍ୟା ନିଷେଧ, ଅହିଂସା ଆଚରଣ, ନିରାମିଷ ଭୋଜନ ଗ୍ରହଣ ଏବଂ ପରୋପକାର ପରି ଉଚ୍ଚ ଚିନ୍ତାଧାରାର ପ୍ରଚଳନ କରିଥିଲେ । ଅଗ୍ରୱାଲମାନେ ଆଜି ମଧ୍ୟ ଅହିଂସା ଆଚରଣ, ନିରାମିଶ ଭୋଜନ ଓ ସମାଜ ସେବା ମାଧ୍ୟମରେ ଅଗ୍ରବଂଶ (ଅଗ୍ରୱାଲା) ଶିରୋମଣି ମହାରାଜ ଶ୍ରୀ ଅଗ୍ରସେନଙ୍କ ଜୟଘୋଷ କରୁଛନ୍ତି । ଆଜକୁ ପ୍ରାୟ ୫୨୦୦ ବର୍ଷ ପୂର୍ବେ ମହାରାଜ ଶ୍ରୀ ଅଗ୍ରସେନ ଜନ୍ମ ଗ୍ରହଣ କରି ପରବର୍ତ୍ତୀ ସମୟରେ ବୈଶ୍ୟ ଅଗ୍ରୱାଲ ବଂଶର ପ୍ରତିଷ୍ଠା କରିଥିଲେ । ମହାରାଜ ଶ୍ରୀ ଅଗ୍ରସେନଙ୍କ ଜନ୍ମ ପ୍ରତାପ ନଗର (ଅଗ୍ରେୟ) ର ରାଜା ବଲ୍ଲ୍‌ଭଙ୍କ ଘରେ ହୋଇଥିଲା । ତାଙ୍କ ଅଜାଙ୍କ ନାମ ରାଜା ମହୀଧର । ମହାରାଜ ବଡ ହେବା ପରେ ରାଜକାର୍ଯ୍ୟ ସହିତ ବେଦଶାସ୍ତ୍ର, ଅର୍ଥଶାସ୍ତ୍ର ଏବଂ ଅସ୍ତ୍ରଚାଳନା ମଧ୍ୟ କରିଥିଲେ । ପିତାଙ୍କ ଅନ୍ତେ ରାଜ୍ୟ ଶାସନ ଗ୍ରହଣ କରିଥିଲେ ଏବଂ ସେ ଜଣେ  ପ୍ରତାପୀ ରାଜା ଥିଲେ ।  ତାଙ୍କର ପ୍ରମୁଖ ରାଣୀ ଥିଲେ ନାଗରାଜ କୁମୁଦଙ୍କ କନ୍ୟା ମହାରାଣୀ ମାଧବୀ ।  ମାଧବୀଙ୍କ ସହିତ ବିବାହ ପରେ ମହାରାଜଙ୍କ  ଶକ୍ତି ଦ୍ୱିଗୁଣିତ ହୋଇଥିଲା । ମହାରାଜ ଶ୍ରୀ ଅଗ୍ରେସନ ଜଣେ ଭବିଷ୍ୟ ଦର୍ଶୀ ଥିଲେ , ଏଣୁ ଭବିଷ୍ୟତର ବିକଟ ପରିସ୍ଥିତିକୁ ଜାଣିପାରି ରାଜ୍ୟବାସୀଙ୍କୁ ସମତା, ଅହିଂସା ଏବଂ ଗଣରାଜ୍ୟର ମୁଳମନ୍ତ୍ର ପ୍ରଦାନ କରିଥିଲେ ।  ହଜାର ହଜାର ବର୍ଷ ପୂର୍ବେ ପ୍ରଦାନ କରିଥିବା ଶିକ୍ଷା ଆଜି ମଧ୍ୟ ସେତେ ମହତ୍ୱପୂର୍ଣ ଅଟେ ଯାହା ସେହି ସମୟରେ ରହିଥିଲା । ସମତା ର ସଂଦେଶ ରୂପେ ‘ଗୋଟିଏ ଇଟା ଓ ଗୋଟିଏ ମୁଦ୍ରା’ ର ମନ୍ତ୍ର ପ୍ରଦାନ କରିଥିଲେ । ଅଗ୍ରୋହା ରାଜ୍ୟରେ ଲକ୍ଷ୍ୟାଧିକ ପରିବାର ବାସ କରୁଥିଲେ । ଅନୁମତି କ୍ରମେ ଯଦି କୌଣସି ବାହାରର ଲୋକ  ରାଜ୍ୟ ମଧ୍ୟକୁ ଆସେ କିମ୍ବା କୌଣସି କାରଣରୁ ଗରିବ ହୋଇଯାଏ ତେବେ ପ୍ରତି ପରିବାର ପକ୍ଷରୁ ଉକ୍ତ ଆଗନ୍ତୁକଙ୍କୁ ଗୋଟିଏ ଲେଖାଁଏ ଇଟା ଏବଂ ଗୋଟିଏ ଲେଖାଁଏ ମୁଦ୍ରା ପ୍ରଦାନ କରାଯାଉଥିଲା ।  ଫଳସ୍ୱରୂପ ସେ ପାଇଥିବା ଏକ ଲକ୍ଷ ଇଟା ଦ୍ୱାରା ନିଜର ବାସଗୃହ ନିର୍ମାଣ କରିବା ସହ ଏକ ଲକ୍ଷ ମୁଦ୍ରାରେ ନିଜର ବ୍ୟବସାୟ କରୁଥିଲା ।  ଅଗ୍ରୋହା ରାଜ୍ୟରେ ଏହି ମନ୍ତ୍ରର ପ୍ରଭାବରେ କୌଣସି ବ୍ୟକ୍ତି ଗରିବ ନ ଥିଲେ ଏବଂ ଧନୀ ଗରିବ ମଧ୍ୟରେ ପାର୍ଥକ୍ୟ ମଧ୍ୟ ନ ଥିଲା ।  ତାଙ୍କର ପ୍ରେରଣା ଦ୍ୱାରା ହିଁ ଆଜି  ତାଙ୍କର ବଂଶଜ (ଅଗ୍ରୱାଲା ) ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛନ୍ତି । ମହାରାଜ ଅଗ୍ରେସନ କେବଳ ଏକ ରାଜ୍ୟ ପ୍ରତିଷ୍ଠା କରିଥିଲେ  ତାହା ନୁହେଁ ତାଙ୍କ ରାଜ୍ୟ ବିଭବଶାଳି, ଶକ୍ତିଶାଳୀ ଏବଂ ସୁସଜ୍ଜିତ ରହିଥିଲା । ନିଜ ରାଜ୍ୟରେ ଗଣତନ୍ତ୍ର ପ୍ରଣାଳିର ସ୍ଥାପନା କରିଥିଲେ । ରାଜତନ୍ତ୍ର ଶାସନ ରହିଥିଲେ ମଧ୍ୟ ରାଜ୍ୟକୁ ୧୮ ଟି ଗଣରାଜ୍ୟ (ପ୍ରଦେଶ) ରୂପେ ପ୍ରତିଷ୍ଠା ସହିତ ଗଣତାନ୍ତ୍ରୀକ ଶାସନ ପ୍ରଣାଳୀ ସହିତ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ତାଙ୍କର ମୂଳମନ୍ତ୍ର ଥିଲା – ପରିଶ୍ରମ ଏବଂ ଉଦ୍ୟୋଗ ମାଧ୍ୟମରେ ଅର୍ଥ ଉପାର୍ଜନ ଏବଂ ତାହାର ସୁଷମ ଓ ସମାନ ବିତରଣ । ଆଜି ମଧ୍ୟ ଅଗ୍ରୱାଲା ସମାଜ କଠିନ ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଥିଲେ ମଧ୍ୟ କଠିନ ପରିଶ୍ରମ ମାଧ୍ୟମରେ ଅର୍ଜିତ ଅର୍ଥର ଅନେକ ଅଂଶ ଜନହିତ କାର୍ଯ୍ୟରେ  ବିନିଯୋଗ କରିଥାନ୍ତି । ସମାଜ ଦ୍ୱାରା ନିର୍ମିତ ସ୍କୁଲ , କଲେଜ, ଧର୍ମଶାଳା , ମଠ, ମନ୍ଦିର, କୁପ, ପୋଖରୀ ଏବଂ ଡାକ୍ତରଖାନା ଗୁଡିକ ଏହାର ଉଦାହରଣ ଅଟେ । ସେହି ସମୟରେ ରାଜା ମହାରାଜା ମାନେ ଧର୍ମ ଅର୍ଜନ ନ୍ତିମନ୍ତେ ବଡ ବଡ ଯଜ୍ଞ ମାନ ଆୟୋଜନ କରୁଥିଲେ । ମହାରାଜ ଅଗ୍ରେସନ ମଧ୍ୟ ମାନବ କଲ୍ୟାଣ ହେତୁ ୧୮ ଟି ଯଜ୍ଞର ଆୟୋଜନ କରିଥିଲେ । ୧୭ ଟି ଯଜ୍ଞ ସଂପୁର୍ଣ ବିଧି- ବିଧାନ ସମାପ୍ତ ହେବାପରେ ୧୮ ତମ ଯଜ୍ଞର ଶେଷ ପର୍ଯାୟରେ ମହାରାଜାଙ୍କର ଜ୍ଞାନୋଦୟ ହୋଇଥିଲା ଏବଂ ମୁକ ଓ ନିରିହ ପଶୁ ମାନଙ୍କର ହତ୍ୟା କରାଯିବା ଅନୁଚିତ ଅନୁଭବ କରି ବଂଶଜ ଏବଂ ରାଜ୍ୟବାସୀଙ୍କୁ ଜୀବହତ୍ୟା ବନ୍ଦ କରିବା ସହ ଅଂହିସାର ମନ୍ତ୍ର ପ୍ରଦାନ କରିଥିଲେ । ମହାରାଜଙ୍କ ବିଚାରଧାରାର ପ୍ରଭାବରେ ହିଁ ଆଜି ଅଗ୍ରୱାଲା ସମାଜ ଶାକାହାରୀ, ଅଂହିସା ବାଦୀ ଏବଂ ଧର୍ମ ପରାୟଣ ଜାତି ରୁପେ ପ୍ରତିଷ୍ଠା ଲାଭ କରିଛି । ଅଗ୍ରୋହା (ଅଗ୍ରେୟ) ଉପରେ ବାରମ୍ବାର ବିଦେଶୀ ଆକ୍ରମଣ ହେବା ଦ୍ୱାରା ସମୟ କ୍ରମେ ରାଜ୍ୟଟି ଧ୍ୱଂସ ପାଇଥିଲା । ଅନ୍ୟ ଏକ ମତରେ ଗୋଟିଏ ରାତ୍ରିରେ ପ୍ରଳୟ ଆସିବା ଦ୍ୱାରା ରାଜ୍ୟର ରାଜଧାନୀ ସଂପୁର୍ଣ ରୁପେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା । ନଗରୀ ଧ୍ୱସଂ ହେବା ପରେ ଏଠାକାର ବାସିନ୍ଦା ହରିଆନା, ରାଜସ୍ଥାନ ଏବଂ ଦିଲ୍ଳୀର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ ।  ଏହାବ୍ୟତିତ ଅନେକ ସଂଖ୍ୟାରେ  ଅଗ୍ରୱାଲା ମାନେ ଭାରତର ବିଭିନ୍ନ ପ୍ରାନ୍ତକୁ ଯାଇ ସେଠାକାର ସ୍ଥାୟୀ ବାସିନ୍ଦା ହୋଇଗଲେ । ନିଜର ଜୀବିକା ନିର୍ବାହ ପାଇଁ ବ୍ୟାପାର ବଣିଜରେ  ମନୋନୀବେଶ କଲେ । ମାତ୍ର  ମହାରାଜ ଅଗ୍ରେସନଙ୍କ ବଂଶଜ ମାନେ କେବଳ ବ୍ୟାପାର ବଣିଜ ମଧ୍ୟରେ ନିଜକୁ ସିମିତ ନ ରଖି ରାଜନୀତି, ପ୍ରଶାସନ, ନ୍ୟାୟପାଳିକା, ସାହିତ୍ୟ, ଦେଶ ସୁରକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ବଳିଷ୍ଠ ଏବଂ ସର୍ମପିତ ସହଯୋଗ ଏବଂ କର୍ମ ଦ୍ୱାରା ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ରାଜନୀତି କ୍ଷେତ୍ରରେ ଭାରତର ସ୍ୱାଧିନତା ଆନ୍ଦୋଳନକୁ ଲକ୍ଷ୍ୟ କଲେ ଜଣାଯାଏ , ଲାଲା ଲଜପତ ରାୟ, ଜମୁନାଲାଲ ବଜାଜ, ଶ୍ରୀ ପ୍ରକାଶ, ମନ୍ନାରାୟଣ, ଡାଃ ରାମ ମନୋହର ଲୋହିୟା, ଡାଃ ରଘୁବୀର, ଲାଲା ହରଦେବ ସହାୟ, ଚନ୍ଦ୍ରଭାନୁ ଗୁପ୍ତା, ବନାରସୀ ଦାସ ଗୁପ୍ତା ନିଜକୁ ସର୍ମପିତ କରିବା ସହିତ ଗାନ୍ଧିଜୀଙ୍କ ପାଖରେ ନିଜ ନିଜର ଧନ ସଂପତି ସର୍ମପିତ କରି ଦେଇଥିଲେ । ସେଥିପାଇଁ ଜମୁନା ଲାଲା ବଜାଜଙ୍କୁ ଗାନ୍ଧିଜୀ ନିଜର  ତୃତୀୟ ପୁତ୍ର ରୁପେ ମାନ୍ୟତା ପ୍ରଦାନ କରିଥିଲେ । ବଙ୍ଗାଲର ପ୍ରମୁଖ ଅଧିକାରୀ  ଶ୍ରୀ  ଏ.ଏଚ. ଗଜନବୀ ତା ୨୭.୮.୧୯୩୦ ରେ ଭାୟସରାୟଙ୍କ ପ୍ରତିନିଧି ଶ୍ରୀ କନିଘଂମଙ୍କୁ ଲେଖିଥିବା ପତ୍ରରେ ଉଲ୍ଳେଖ କରିଥିଲେ ଯେ,  ଯଦି ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନରୁ  ମାରୱାଡି ମାନଙ୍କୁ ଅଲଗା କରିଦିଆଯାଏ ଏବଂ ବଙ୍ଗଳାର ଆନ୍ଦୋଳନ କେବଳ ବଂଗବାସୀଙ୍କ ହାତରେ ଛାଡି ଦିଆଯାଏ ତେବେ ୯୦ ଭାଗ ଆନ୍ଦୋଳନ ସ୍ୱୟଂ ସମାପ୍ତ ହୋଇଯିବ । ଏହି ଉକ୍ତି ହିଁ ମାରୱାଡି ସମାଜ ଦ୍ୱାରା ସ୍ୱାଧିନତା ସଂଗ୍ରାମ ପ୍ରତି ଦିଆଯାଇଥିବା ପ୍ରଭାବଶାଳି ସହଯୋଗକୁ ସୁଚାଇ ଥାଏ । ସ୍ୱାଧିନତା ସଂଗ୍ରାମ ଅବସରରେ ଶହ ଶହ ଅଗ୍ରବଂଶଜମାନେ କାରାବରଣ କରିବା ସହ ହସିହସି ଫାଶି ଖୁଣ୍ଟରେ ଝୁଲିଯାଇଥିଲେ । ସାହିତ୍ୟ କ୍ଷେତ୍ରରେ ଗୀତା ପ୍ରେସର ପ୍ରତିଷ୍ଠାତା ହନୁମାନ ପ୍ରସାଦ ପୋଦାର, ଭାରତେନ୍ଦୁ ହରିଶ୍ଚନ୍ଦ୍ର, ଭାରତ-ଭାରତୀର ରଚୟିତା ରାଷ୍ଟ୍ରକବୀ ମୈଥିଲି ଶରଣ ଗୁପ୍ତା, ଡାଃ ବାସୁଦେବ ଶରଣ ଅଗ୍ରୱାଲା ଏବଂ କାକା ହାଥରସୀ ପ୍ରମୁଖ ଅଟନ୍ତି । ଦେଶର ବ୍ୟବସାୟ ଏବଂ ଉଦ୍ୟୋଗ କ୍ଷେତ୍ରରେ ମୋଦି, ସିଂହାନିଆ, ପୋଦାର, ବଜାଜ, ଡାଲମିଆ, ଲୋହିୟା, ମୁରାରକା, ଝୁନଝନୱାଲା, ପରସରାମପୁରିଆ, ଗୋୟନକା, କାନୋଡିଆ, ଶ୍ରୀରାମ ପ୍ରମୁଖ ଅଟନ୍ତି । ସେହିପରି ଦେଶର ସୁରକ୍ଷା, ପ୍ରଶାସନ ଏବଂ ନ୍ୟାୟପାଳିକାରେ ଅଗ୍ରବଂଶଜଙ୍କ ସର୍ମପିତ ସେବା ରହିଛି । ବ୍ୟପାର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଜିତ ଧନକୁ ସଦୁପଯୋଗ କରିବା ସହିତ ଜନହିତ କଲ୍ୟାଣିକାରୀ ନିର୍ମାଣ କାର୍ଯ୍ୟରେ  ଖର୍ଚ୍ଚ କରିବାର ପ୍ରେରଣା ଦେଇଥିବା ମହାପୁରୁଷ ହେଲେ ମହାରାଜ ଶ୍ରୀ ଅଗ୍ରେସନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ