ସମାଜସେବୀ ଗୋପାଳ ଚନ୍ଦ୍ର ବେଶ୍ରାଙ୍କ ପକ୍ଷରୁ ଶ୍ରମିକ ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ବିଜୁ ଜନତାଦଳର ବରିଷ୍ଠ ନେତା ତଥା ସମାଜସେବୀ ଗୋପାଳ ଚନ୍ଦ୍ର ବେଶ୍ରା, ଶ୍ରମିକମାନଙ୍କ ଦାବି ହାସଲର ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ଆଜି ବିଶ୍ୱ ଶ୍ରମିକ ଦିବସକୁ ନିରାଡମ୍ବର ସହିତ ପାଳନ କରିଥିଲେ । ବେଶ୍ରା ବାବୁ ଭୁବନେଶ୍ୱରସ୍ଥିତ ପଟିଆ ଠାରେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି କିଛି ଶ୍ରମିକଙ୍କ ସହିତ, ଶ୍ରମିକମାନଙ୍କ ଝାଳବୁହା ପରିଶ୍ରମ ବଳରେ ରାଷ୍ଟ୍ର ବିକାଶର ପରିକଳ୍ପନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଦିନ ଥିଲା, ଶ୍ରମିକମାନେ କୋଟିପତି ମାଲିକମାନଙ୍କ ଦ୍ୱାରା ଶୋଷିତ ହୋଇ, କୌଣସି ସମୟସୀମା ନ ରଖି ଅନବରତ କାର୍ଯ୍ୟ କରିଚାଲିଥିଲେ । ତେଣୁ ଆଠ ଘଂଟାର କାର୍ଯ୍ୟ ନିର୍ଦ୍ଧାରଣ ପାଇଁ ଶ୍ରମିକମାନେ ଏକଜୁଟ ହୋଇ ସଂଗ୍ରାମ ଜାରି ରଖିଥିଲେ ଏବଂ ସଫଳତାର ସ୍ୱାଦ ଚାଖିଲେ । ସମାଜସେବୀ ଗୋପାଳ ଚନ୍ଦ୍ର ବେଶ୍ରା ଆଜିର ଏହି ଆନ୍ତର୍ଜାତିକ ଶ୍ରମିକ ଦିବସରେ ତାଲା ବନ୍ଦ ଯୋଗୁଁ ପରିବାର ସହିତ ବିଚ୍ଛିନ୍ନ ହୋଇ ପଡିଥିବା ଶ୍ରମିକମାନଙ୍କୁ ସେମାନଙ୍କ ପରିବାର ସହିତ ଯୋଗାଯୋଗର ସୁବିଧା ପାଇଁ ମୋବାଇଲ ପଇସା ରିଚାର୍ଜ କରିଦେବା ସହ ଜଳଖିଆର ବ୍ୟବସ୍ଥା କରିଥିଲେ । ଶେଷରେ ସରକାରଙ୍କର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ଶ୍ରମିକମାନଙ୍କ ମୌଳିକ ଅଧିକାର ଗୁଡିକ ପ୍ରାପ୍ତ କରି କିପରି ଲାଭବାନ ହେବେ ସେ ବିଷୟରେ ସେମାନଙ୍କୁ ଉପଦେଶ ଦେଇଥିଲେ ।