ସମାଜସେବୀ ଡଃ ସୁକାନ୍ତୀ ମିଶ୍ର କଳିଙ୍ଗ ପ୍ରତିଭା ସମ୍ମାନରେ ସମ୍ମାନିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟସ୍ତରୀୟ ‘ପ୍ରକୃତି ମିତ୍ର’ ସମ୍ମାନର ଅଧିକାରିଣୀ ତଥା ବିଶିଷ୍ଟ ସମାଜସେବୀ ଡଃ ସୁକାନ୍ତୀ ମିଶ୍ର ଶ୍ରୀମତୀ କଳିଙ୍ଗ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସ୍ଥାନୀୟ ଜୟଦେବ ଭବନଠାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବିଣାପାଣୀ ନାଟ୍ୟ ସଂସ୍ଥା ଦ୍ୱାରା ଆୟୋଜିତ ଏକ ଭବ୍ୟ ସମାବେଶରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଡଃ ବିପିନ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲାୟନ ବିପିନ ବିହାରୀ ନାୟକ, ଡଃ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀମାନଙ୍କୁ ସମ୍ମାନିତ କରିଥିଲେ । ଡଃ ସୁକାନ୍ତୀ ମିଶ୍ର ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ନାମକ ଏକ ଜାତୀୟସ୍ତରର ସମାଜସେବା ଅନୁଷ୍ଠାନ ଗଠନ କରି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ପରିବେଶ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଡଃ ମିଶ୍ର ସମ୍ପ୍ରତି ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଜାତୀୟ ଉପସଭାପତି ରହିଛନ୍ତି । ଏତଦ୍ବ୍ୟତୀତ ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ପାଇଁ ପ୍ରୋଜେକ୍ଟ ସବୁଜିମା, ଆଦିବାସୀ ମହିଳାମାନଙ୍କ ସଶକ୍ତିକରଣ ପାଇଁ ପ୍ରୋଜେକ୍ଟ ସୁରଭି, ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ପ୍ରୋଜେକ୍ଟ ସୁରକ୍ଷା ହାତକୁ ନେଇଛନ୍ତି ।


