ସମାଜସେବୀ ନିଶାମଣୀ ମିଶ୍ରଙ୍କ ଦେହାନ୍ତ
ବେଗୁନିଆ, (ଯୁଗାବ୍ଦ ନ୍ୟୁଜ) : କଣ୍ଟାବାଡ଼ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ସହଧର୍ମିଣୀ ସମାଜସେବୀ ନିଶାମଣୀ ମିଶ୍ରଙ୍କ ଗତକାଲି ରାତି ୧୨.୦୩ ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତା ମିଶ୍ର ଜଣେ ପରୋପକାରୀ, ସ୍ନେହୀ, ସାହାଯ୍ୟକାରୀ ମହିଳା ଥିଲେ । ବିଶେଷ କରି କଣ୍ଟାବାଡ଼ ଗ୍ରାମରେ ଉ.ପ୍ରା. ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ସାହାଯ୍ୟ, ସହଯୋଗ ଅତୁଳନୀୟ । ୧୯୬୫ ମସିହାରେ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଜର ୭ ଏକର ପୈତୃକ ସମ୍ପତ୍ତି ବିଦ୍ୟାଳୟକୁ ପ୍ରଦାନ କରିବା, ସରକାରଙ୍କ \”ମୋ ସ୍କୁଲ\’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ. ୧୦,୦୦,୦୦୦/-ର ଅନୁଦାନ ଦେବା, ଗ୍ରାମାଞ୍ଚଳ ଛାତ୍ର/ଛାତ୍ରୀମାନଙ୍କୁ ମାଗଣା ପୋଷାକ, ପଢ଼ିବା ପାଇଁ ବହିପତ୍ର ଯୋଗାଇବା, ସର୍ବୋପରି ରାଜ୍ୟର ଅନାଥ ପିଲାମାନଙ୍କୁ ସାହାଯ୍ୟ ସହଯୋଗ ଓ ବୃଦ୍ଧାଶ୍ରମକୁ କମ୍ବଳ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ଜଣେ ସ୍ୱାଭିମାନୀ ଚିନ୍ତାଶୀଳ ମହିଳା ହିସାବରେ ପରିଚିତ ଥିଲେ । ନିଜର ଏଭଳି ସମାଜସେବା କାର୍ଯ୍ୟ ପାଇଁ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ମଦର ଟେରେସା, କସ୍ତୁରବା ନାରୀ ସମ୍ମାନ ଆଦି ସମ୍ମାନରେ ସମ୍ମାନିତା ଥିଲେ ସ୍ୱର୍ଗତା ମିଶ୍ର ।
ସମାଜସେବା ବ୍ୟତୀତ ଅନେକ ଭଜନ, ଜଣାଣ, ଲୋକଗୀତ ମଧ୍ୟ ରଚନା କରି ନିଜର ଅଭୁଲା ସ୍ମୃତିକୁ ଛାଡ଼ିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୬ ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ତୃତୀୟ ପୁତ୍ର ସମାଜସେବୀ ତଥା ବିଶିଷ୍ଟ ଶିଳ୍ପପତି ଶିବନାରାୟଣ ମିଶ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ମିଶ୍ରଙ୍କ ଆକସ୍ମିକ ପରଲୋକରେ ସମଗ୍ର କଣ୍ଟାବାଡ଼ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।


