ସମାଜସେବୀ ପ୍ରତାପ ସାହୁ ଅସୁସ୍ଥ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସମାଜସେବୀ, ଓଡ଼ିଶା ବସ୍ତି ସଂଘର୍ଷ ସମିତି, ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ, ଓଡ଼ିଶା କିନ୍ନର ମହାସଂଘ, ଡ଼ାଲା ଅଟୋ ମହାସଂଘର ରାଜ୍ୟ ସଭାପତି ତଥା ସର୍ବଭାରତୀୟ ଉଠାଦୋକାନୀ ମହାସଂଘର ସମ୍ପାଦକ ପ୍ରତାପ କୁମାର ସାହୁ ଏବେ ଅସୁସ୍ଥ । ଏକମାସ ତଳେ ଦିଲ୍ଲୀରେ ଏକ ମିଟିଂ ସାରି ଟ୍ରେନ୍ରେ ଭୁବନେଶ୍ୱର ଫେରୁଥିବା ସମୟରେ ଶ୍ରୀଯୁକ୍ତ ସାହୁ ହଠାତ୍ ବାମପାଶ୍ୱର୍ ଅଙ୍ଗରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲର ଉପନିର୍ଦ୍ଦେଶକ ଡଃ ଧନଞ୍ଜୟ ଦାସଙ୍କୁ ଦେଖା କରିବାରୁ ଡଃ ଦାସ ଶ୍ରୀଯୁକ୍ତ ସାହୁଙ୍କ ପ୍ରଥମେ ଏକ୍ସ-ରେ, ଓ ଏମ୍ଆରଆଇ କଲା ପରେ ଜଣାପଡ଼ିଥିଲା ଯେ, ଶ୍ରୀଯୁକ୍ତ ସାହୁଙ୍କ ବେକ ହାଡର ସ୍ଥିତି ସି୩-୪, ସି୪-୫, ସି୬-୭ ଲେବୁଲ ହୋଇଯାଇଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ସମୟ ୨୫ କେଜି ବିଶିଷ୍ଟ ସାନିଟାଇଜର ମେସିନ୍ କାନ୍ଧରେ ବୋହି ସକାଳ ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସାରା ରାଜ୍ୟରେ ଜନସାଧାରଣଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କରେ ସାନିଟାଇଜ କରିବା ଦ୍ୱାରା ସାନିଟାଇଜର ମେସିନ ପ୍ରଭାବରେ ତାଙ୍କ ବେକର ହାଡ଼ରେ ଏବେ ସମସ୍ୟା ଦେଖାଦେଇଛି । ଶ୍ରୀଯୁକ୍ତ ସାହୁ ଏବେ ଡଃ ଧନଞ୍ଜୟ ଦାସଙ୍କ ତତ୍ତ୍ୱାବଧାନରେ ଏକମାସରୁ ଉର୍ଦ୍ଧ୍ୱ ହେବ କ୍ୟାପିଟାଲ ହସ୍ପିଟାଲର ଅର୍ଥପେଡ଼ିକି, ନ୍ୟୁରୋଲୋଜି ଓ ଫିଜିଓଥେରାପିରେ ଚିକିତ୍ସିତ ହେଉଛନ୍ତି ।