ସମାଜସେବୀ ପ୍ରଭାତ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) :ସମାଜସେବୀ ପ୍ରଭାତ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବୟସାଧିକ ରୋଗରେ ପୀଡ଼ିତ ଥାଇ ମଙ୍ଗଳବାର ସକାଳେ ୮୭ ବର୍ଷ ବୟସରେ ରାଣୀପାଟଣାସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ପତ୍ନୀଙ୍କ ସମେତ ଦୁଇପୁଅ ପଲ୍ଲବ ଓ ପ୍ରସନ୍ନ, ପୁତ୍ରବଧୂଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ସମ୍ପର୍କରେ ପ୍ରଚାର ହୋଇଯିବା ପରେ ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବ ଓ ସମ୍ପର୍କୀୟମାନେ ରାଣୀପାଟଣାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଇଂ. ବନମାଳି ନାୟକ, ଆଇନଜୀବୀ ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ବସନ୍ତ କୁମାର ନାୟକ, ଅଭିରାମ ଦାସ, ହାରାଧନ ଗିରି, ବରେନ୍ଦ୍ର ବର ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ସ୍ୱର୍ଗତ ମହାନ୍ତିଙ୍କୁ ଶେଷଦର୍ଶନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ମଧ୍ୟାହ୍ନରେ ସ୍ଥାନୀୟ ମୁକ୍ତିଦ୍ୱାର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ସ୍ୱର୍ଗତ ମହାନ୍ତି ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗରୁ ଗତ ୧୯୯୫ ମସିହାରେ ଅବସର ଗ୍ରହଣ ପରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଜଣେ ସକ୍ରିୟ ସଦସ୍ୟ ଭାବେ ସମସ୍ତ କାର୍ଯ୍ୟରେ ସହଯୋଗ କରି ଆସୁଥିଲେ । ୨୦୦୫ ମସିହାରୁ ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଓ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ବାଲେଶ୍ୱରର ବହୁ ସାମାଜିକ ସଂଗଠନ ସହ ମଧ୍ୟ ସେ ଜଡ଼ିତ ଥିଲେ । ସ୍ୱଳ୍ପଭାଷୀ, ସମୟାନୁବର୍ତ୍ତିତା, ସଚ୍ଚୋଟତା ପ୍ରକୃତିର ବ୍ୟକ୍ତିତ୍ୱ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ।