ସମାଜସେବୀ ବାବୁଲା ସ’ଙ୍କ ଦେହାନ୍ତ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସିଭିଲ୍ ସୋସାଇଟିର ଉପସଭାପତି ତଥା ଜଣେ ସମାଜସେବୀ ବସନ୍ତ ସ (ବାବୁଲା)ଙ୍କର ସୋମବାର ଦିନ ଅପରାହ୍ନରେ ବାଲେଶ୍ୱର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୬୭ ବର୍ଷ ବୟସ ହୋଇଥିଲା ।ସେ ଗତ କିଛିଦିନ ଧରି କିଡ଼୍‌ନି ରୋଗରେ ପିଡ଼ିତ ହୋଇ ଚିକିତ୍ସାଧିନ ଥିଲେ ।ବାଲିଆ ନୂଆସାହି ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ବାଞ୍ଛାନିଧି ଦାସଙ୍କର ସେ ଜ୍ୟେଷ୍ଠପୁତ୍ର ଥିଲେ । ଶିକ୍ଷା ସମାପ୍ତ କରି ସେ କଂଗ୍ରେସ ଦଳର ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରି ଜିଲ୍ଲା ପରିଷଦ ସଦସ୍ୟ ଭାବେ ସ୍ଥାନୀୟ ଅଞ୍ଚଳର ବିକାଶ କରିଥିଲେ । ବାଲିଆର ଶ୍ରୀରାମେଶ୍ୱର ମନ୍ଦିର, ନୂଆସାହି ବାସନ୍ତୀ ପୂଜା କମିଟିର ସେ ପୃଷ୍ଠପୋଷକ ସଦସ୍ୟଭାବେ ଏବଂ ବହୁ ସାମାଜିକ ସଂଗଠନରେ ମୃତ୍ୟୁପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ପ୍ରତିଦିନ ସେ ନିଜ ବାଡ଼ିରୁ ଫୁଲତୋଳି ରାମେଶ୍ୱର ମନ୍ଦିରରେ ପ୍ରଦାନ କରୁଥିଲେ । ସ୍ୱର୍ଗତ ସ ଜଣେ ମିଷ୍ଟଭାଷୀ, ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଥିଲେ । ଗତ ଦୁଇବର୍ଷ ତଳେ ତାଙ୍କ ପତ୍ନୀଙ୍କ ଅକାଳ ବିୟୋଗରେ ସେ ମ୍ରିୟମାଣ ହୋଇପଡ଼ିଥିଲେ । ତାଙ୍କର ଦୁଇ ଝିଅ ଓ ଜ୍ୱାଇଁ, ନାତିନାତୁଣିମାନେ ଅଛନ୍ତି । ତାଙ୍କ ମୃତଶରୀର ବାଲିଆସ୍ଥିତ ଘରେ ପହଞ୍ôଚବାପରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷଦର୍ଶନ କରିଥିଲେ । ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଓକିଲ ସଂଘର ସଭାପତି ମନୋଜ ନାୟକ, ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ସାମାଜିକକର୍ମୀ ଗୌରାଙ୍ଗ ପାଣିଗ୍ରାହୀ ଓ କାଉନ୍‌ସିଲର ଦେବାଶିଷ ସିଂହ ପ୍ରମୁଖ ସ୍ୱର୍ଗତ ସ ଙ୍କ ମରଶରୀରରେ ପୁଷ୍ପ ପ୍ରଦାନ କରିଥିଲେ । ତାଙ୍କ ମୃତ୍ୟୁରେ ବାଲେଶ୍ୱର ସହର ଓ ସ୍ଥାନୀୟ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ସକାଳେ ଶବ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ