ସମାଜ ପାଇଁ ପ୍ରେରଣା ଯୁବ ସାମଜସେବୀ ପ୍ରସନ୍ନଜିତ
୧୧ ମାସ ପରେ ହରିୟାଣାର ସୁନିଲ ସିଙ୍ଗଲା ନାଉଗାଁରୁ ଉଦ୍ଧାର
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ନାଉଗାଁ ବଜାରରେ ଜଣେ ଅଜଣା ବ୍ୟକ୍ତି ବୁଧବାର ବୁଲୁଥିବାର ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣଙ୍କର ବେଶଭୂଷା ଦେଖି କେହି ପିଲା ଚୋର ତ କେହି ପାଗଳ ବୋଲି କହିଥିଲେ । ଏହି ବ୍ୟକ୍ତି ସଂପର୍କରେ ଜାଣିବା ପାଇଁ ନାଉଗାଁ ଅଂଚଳର ଯୁବ ସମାଜସେବୀ ପ୍ରସନ୍ନଜିତ ସାହୁ କିଛି ଖାଦ୍ୟ ଯୋଗାଇ ଦେବା ସହିତ ତା ସଂର୍ପକରେ ପଚାରି ବୁଝିଥିଲେ । ଏହାପରେ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ପକ୍ଷରୁ ତାଙ୍କୁ ଥାନାକୁ ନିଆଯାଇ ତାଙ୍କର ପରିଚୟ ବିଷୟରେ ପଚରା ଉଚରା କରାଯାଇଥିଲା । ତାଙ୍କ ନାମ ସୁନିଲ କୁମାର ସିଙ୍ଗଲା କହିବା ସହିତ ପିତାଙ୍କ ନାମ ସତିଶ କୁମାର ଓ ମାତାଙ୍କ ନାମ ଉର୍ମିଳା ଦେବୀ ବୋଲି କହିଥିଲେ । ତାଙ୍କ ଘର ହରିୟାଣାସ୍ଥିତ ଅମ୍ବଲା ଜିଲ୍ଲା ବରାଡା ଥାନାର ବୋଲି ଜଣାପଡିଥିଲା । ସୂଚନା ପାଇବା ପରେ ନାଉଗାଁ ଥାନା ପକ୍ଷରୁ ହରିୟାଣା ସରକାରଙ୍କ ପୋର୍ଟାଲରୁ ଅମ୍ବଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନମ୍ବର ସଂଗ୍ରହ କରାଯାଇ ଯୋଗାଯୋଗ କରାଯାଇଥିଲା । ଉକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ବରାଡା ଥାନା ସହ ଯୋଗାଯୋଗ ହେବାରୁ ସୁନିଲଙ୍କ ବିଷୟରେ ସମସ୍ତ ତଥ୍ୟ ଜଣାପଡିଥିଲା । ଗତବର୍ଷ ପେବୃଆରୀ ମାସ ୨୦ ତାରିଖରେ ସୁନିଲ ଘରୁ କୁଆଡେ ପଳାଇ ଯାଇଥିଲେ । ପରିବାରଙ୍କ ପକ୍ଷରୁ ବହୁତ ଖୋଜାଖୋଜି କରାଯିବବା ପରେ ଥାନାରେ ଅଭିଯୋଗ ଦିଆଯାଇଥିଲା । ସେହି ସମୟରେ ସାରା ଦେଶରେ ଲକଡାଉନ ଲାଗୁ ହୋଇଥିଲା । ଦୀର୍ଘ ୧୧ ମାସ ପରେ ସୁନିଲଙ୍କ ପରିବାର ଲୋକଙ୍କୁ ନାଉଗାଁ ଥାନା ପକ୍ଷରୁ ସୁନିଲଙ୍କ ସଂର୍ପକରେ ସୂଚନା ଦିଆଯିବା ସହି ସୁନିଲର ପରିଚୟ ପତ୍ର ମଗାଯାଇଥିଲା । ପରିବାରଙ୍କ ପକ୍ଷରୁ ସୁନିଲଙ୍କ ଆଧାର, ଭୋଟର ଆଦି ନାଉଗାଁ ଥାନାକୁ ପଠାଯିବା ସହ ୨ ଦିନ ମଧ୍ୟରେ ତାଙ୍କୁ ପରିବାର ପକ୍ଷରୁ ନେବା ପାଇଁ ଆସିବେ ବୋଲି ସୂଚନା ଦେଇଥିଲେ । ୨ ଦିନ ପର୍ଯ୍ୟନ୍ତ ନାଉଗାଁ ଥାନା ପକ୍ଷରୁ ଜଗତସିଂହପୁରସ୍ଥିତ ରାତ୍ର ଆଶ୍ରୟ ସ୍ଥଳରେ ତାଙ୍କୁ ରଖାଯିବାର ବନ୍ଦୋବସ୍ତ କରାଯିବା ସହ ପରିବାର ଲୋକ ଆସିଲେ ତଦନ୍ତ କରାଯାଇ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି । ଅନ୍ୟପଟରେ ଯୁବ ସମାଜସେବୀ ପ୍ରସନ୍ନଜିତ ପାଗଳ ବେଶଭୂଷାରେ ବୁଲୁଥିବା ବ୍ୟକ୍ତିକୁ ଘୃଣା ନକରି କିମ୍ବା ପାଗଳ କି ପିଲା ଚୋର ନ ଭାବି ତାହା ସହିତ ମିଶି ତା ସଂର୍ପକରେ ଜାଣିବାକୁ ଚେଷ୍ଟା କରିଥିବାରୁ ଦୀର୍ଘ ୧୧ମାସ ଧରି ନିଜ ପରିବାର ଠାରୁ ଦୁରରେ ରହିଥିବା ବ୍ୟକ୍ତିକୁ ତାଙ୍କ ପରିବାର ସହିତ ମିଶାଇବାରେ ସହାୟକ ହୋଇଛନ୍ତି ।


