ସମ୍ପର୍କଟା ପୋଷାକ ଭଳି
ଦିପ୍ତିମୟୀ ନାୟକ
ଜୀବନରେ ଅନେକ ସମ୍ପର୍କ ଗଢ଼ା ହୁଏ ଆଉ ସେହି ସମ୍ପର୍କଟା ପୋଷାକ ଭଳି ହୋଇଯାଏ | କଥାରେ ଅଛି ନୂଆ ନୂଆ ପୋଷାକ ଭାରି ଆଦର ଆଉ ପୁରୁଣା ହେଲେ ଘର ଠାରୁ ଦୂଆର ଅର୍ଥାତ ଯେତେବେଳେ ନୂଆ ପୋଷାକ କିଣାଯାଏ ସେତେବେଳେ ସେହି ପୋଷାକଟିର ବହୁତ ଯତ୍ନ ନିଆଯାଏ ଆଉ ଯେତେବେଳେ ସେହି ପୋଷାକଟି ପୁରୁଣା ହୋଇଯାଏ ସେତେବେଳେ ସେହି ପୋଷାକଟିକୁ ଘର ପୋଛା କରିଦିଆଯାଏ | ଠିକ ସେହିଭଳି ଆଜିର ମଣିଷ ନୂଆ ନୂଆ ସମ୍ପର୍କ ଗଢିଲାବେଳେ ବହୁତ ଭଲ କଥାବାର୍ତ୍ତା କରନ୍ତି ଆଉ ଯେତେବେଳେ ସେହି ସମ୍ପର୍କ ପୁରୁଣା ହେବାକୁ ଲାଗେ ସେତେବେଳେ ସେହି ପ୍ରିୟର ମଣିଷଟା ବିରକ୍ତ ହେବାକୁ ଲାଗେ | ଇଚ୍ଛାଥାଏ ଦୁଇ ଚାରିପଦ ଭଲରେ କଥା ହେବାକୁ କିନ୍ତୁ ସେ ମଣିଷର ଆଉ ଇଚ୍ଛା ନଥାଏ ତୁମ ସହ ସମୟ ବିତେଇବାକୁ | ଆଜିକାଲି ନୂଆ ମୁହଁ ସେମାନଙ୍କୁ ଭାରି ସୁନ୍ଦର ଲାଗିଥାଏ ଆଉ ପୁରୁଣା ମୁହଁଟା ସତେ ଯେମିତି ହତଆଦର ହୋଇଯାଇଥାଏ | ସେଥିପାଇଁ ଆଜିକାଲିର ସମ୍ପର୍କ ପୋଷାକ ଭଳି ଜଣେ ଜଳିଲେ ଆଉ ଜଣେ ଭଲକି ଜାଳେ ସତେ ଯେପରି ଏହି ସମ୍ପର୍କରେ ବଦଲାମର ଛିଟା ପଡେ | ଆଉ ଏ ସମ୍ପର୍କଟା ଗୋଟେ ପୁରୁଣା ପୋଷାକ ଭଳି ଲାଗେ |
ତେବେ କେହି କେହି କୁହନ୍ତି ଜୀବନରେ ଅନେକ ସମ୍ପର୍କ ଗଢ଼ା ହେବ | କିଏ ରକ୍ତର ସମ୍ପର୍କ ନହୋଇ ରକ୍ତର ସମ୍ପର୍କୀୟ ହୋଇଯିବ ଆଉ କିଏ ରକ୍ତର ସମ୍ପର୍କ ହୋଇ ମଧ୍ୟ ନିଜ ଗର୍ବ,ଅହଂକାରରେ ରହି ରକ୍ତର ସମ୍ପର୍କ ଠାରୁ ଦୂରେଇଯିବ | ତେଣୁ ଏଥିରେ ଦୁଃଖ କରିବାର କିଛି କଥା ନାହିଁ | ଯେଉଁ ମଣିଷ ମଣିଷର ଭାବନାକୁ ବୁଝେନାହିଁ ସେମିତି ମଣିଷ ସହ ସମ୍ପର୍କ ଯୋଡିବା କୌଣସି ଆବଶ୍ୟକ ନାହିଁ | ସେ ସାଙ୍ଗସାଥି ହୁଅନ୍ତୁ କିମ୍ବା ଯେକୌଣସି ଲୋକ ହୁଅନ୍ତୁ | ନିଜ ପରିବାରକୁ ଛାଡିଦେଲେ କେହି କେବେ ନିଜର ହେବେ ନାହିଁ ଅବଶ୍ୟ ଯିଏ ନିଜର ହେବା କଥା ନିଜର ହୋଇ ସବୁବେଳେ ରହିବେ କିନ୍ତୁ ସ୍ୱାର୍ଥପର ଲୋକ ତମକୁ ଅଲୋଡ଼ା ମଣିଷ ଭାବିବେ | ବାସ ସମୟ ସୁବିଧା ଦେଖି ସ୍ଵାର୍ଥ ହାସଲ କରିବେ ଶେଷରେ ପାଦରେ ଆଡେଇ ଦେଵେ |
ଅତୀତର ଭଲପାଇବାକୁ ଭୁଲି ବର୍ତ୍ତମାନର ଭଲପାଇବାକୁ ଖୋଜିବେ | ଅନ୍ୟକୁ ଧୋକା ଦେଇ ନିଜେ ଧୋକା ଖାଇଲେ ବୋଲି କହିବେ | ଯଦି ଏମାନେ ଅତୀତକୁ ଧୋକା ଦେଇପାରୁଛନ୍ତି ତାହେଲେ ବର୍ତ୍ତମାନ କାହିଁକି ଏମାନଙ୍କୁ ଧୋକା ଦେବନି | ତେଣିକି ଯାହା ହେଉଛି ହେଉ ପୋଷାକ ଭଳି ସମ୍ପର୍କ ବଦଳଉଥିବା ଲୋକକୁ ପ୍ରେମ ବଦଳରେ ପ୍ରତାରଣା ମିଳୁଥାଉ | ମଣିଷ ଜୀବନର ଅହରହ ଅନେକ ଘଟଣା ଭିତରେ ଏମାନଙ୍କ ମାନସିକ ଅଶାନ୍ତି ଏମିତି ବୃଦ୍ଧି ପାଉଥାଉ |
ଯେତେବେଳେ ଏ ମଣିଷ ସମ୍ପର୍କର ମାନେ ବୁଝିବ ସେତେବେଳେ ଏ ମଣିଷ ଏକ ପରିବର୍ତ୍ତନର ଦିଗ ପାଇବ | ସମ୍ପର୍କକୁ ପୋଷାକ ଭଳି ନଭାବି ସମ୍ପର୍କକୁ ସମ୍ପର୍କ ଭଳି ହୃଦୟଙ୍ଗମ କରିବା ଉଚିତ | କାହିଁକି ନା ଏ ମଣିଷ ପଥଭ୍ରଷ୍ଟ ହେଉଛି ଭଲ ସମ୍ପର୍କକୁ ଖରାପ କରି ଖରାପ ସମ୍ପର୍କରେ ଲିପ୍ତ ରହୁଛି | ଭଲ ଲୋକଙ୍କୁ ଚିଡଚିଡି ହୋଇ ମନ୍ଦ ଲୋକଙ୍କୁ ପ୍ରେମର ବାର୍ତ୍ତା ଦେଉଛି ସତେ ଯେମିତି ଏ ମଣିଷ ସମ୍ପର୍କର ସଂଜ୍ଞା ଏମିତି ବୁଝିଛି |
ଥରେ ଦୁଇଜଣ ଭଲ ବନ୍ଧୁ ଥିଲେ | ଦିନ ରାତି କଥା ହେଉଥିଲେ | ଆଉ ଯେତେବେଳେ ସେହି ବନ୍ଧୁ ଜଣକୁ ଆଉ ଗୋଟେ ବନ୍ଧୁ ମିଳିଗଲେ ସେତେବେଳେ ସେ ତାଙ୍କ ପୁରୁଣା ବନ୍ଧୁକୁ ଭୁଲିଗଲେ | ସେହି ପୁରୁଣା ବନ୍ଧୁ ତା ବନ୍ଧୁ ସହ ଟିକେ କଥା ହେବାକୁ ବହୁତ ବିକଳ ହୁଏ କିନ୍ତୁ ତା ବନ୍ଧୁ ନୂଆ ବନ୍ଧୁ ପାଇ ଏ ବନ୍ଧୁକୁ ନିଜଠୁ ଦୂରେଇ ଦିଅନ୍ତି | ଦିନ ଏମିତି ଆସିଲା ଯେତେବେଳେ ସେହି ବନ୍ଧୁଟିକୁ ତା ନୂଆ ବନ୍ଧୁ ଦୂରେଇ ଦେଲା | ଅନେକ କଟୁ କଥା କହିଲା ଯାହାଫଳରେ ଏମାନଙ୍କର ବନ୍ଧୁତା ଭାଙ୍ଗିଗଲା ଶେଷରେ ସେ ପୁଣି ତା ପୁରୁଣା ବନ୍ଧୁକୁ ଖୋଜିଲା | ପୁରୁଣା ବନ୍ଧୁ ନିଜ ବନ୍ଧୁକୁ ପାଇ ଖୁସିତ ହୋଇଗଲା କିନ୍ତୁ ଆଗଭଳି ଆଉ ବନ୍ଧୁତା ରଖିପାରିଲାନି | ଏ ବନ୍ଧୁଟି ଯେତେବେଳେ ପଚାରିଲା ତୁ ମୋ ସହ କାହିଁକି କଥା ହେଉନୁ | କାହିଁକି ମୋଠୁ ଦୂରେଇ ରହୁଛୁ | ସେଇଠୁ ବନ୍ଧୁଟି ହସିକି ଉତ୍ତର ଦେଲା ତୋତେ ହରେଇ ଯେଉଁ କଷ୍ଟ ପାଇଥିଲି ସେ କଷ୍ଟ ଆଉ ଥରେ ପାଇବାକୁ ଚାହେଁନି ବାସ ତୋର ମୋ କଥା ଯେବେ ମନେ ପଡିବ ତୁ ମୋ ସହ କଥା ହୋଇପାରେ କିନ୍ତୁ ମୁଁ ତୋ ସହ କଥା ହେବାକୁ ବିକଳ ହେବିନି କାରଣ ସେ ସମ୍ପର୍କ ଶିଖେଇଛି ଅନ୍ୟ ଠାରୁ ଦୂରେଇ ରହିବାର କଷ୍ଟ | ବନ୍ଧୁ ବୋଲି କହି ବନ୍ଧୁକ ସଜାଡିଥିବା ବନ୍ଧୁ ତୁମେ | ମୁଁ ବନ୍ଧୁ ଖୋଜିଥିଲି ହେଲେ ତୁମେ ବନ୍ଧୁକ ହୋଇଗଲ | ଆଉ ମୁଁ ଭଲ ସମ୍ପର୍କ ଖୋଜିଥିଲି ଆଉ ତୁମେ ମୋତେ ପୋଷାକ ଭାବିଦେଲ | ସେଇଠୁ ସେହି ବନ୍ଧୁଟି କହିଲେ ତୁମେ କଣ ଏମିତି ଭାବୁଛ | ସେଇଠୁ ବନ୍ଧୁ ଜଣକ କହିଲେ ବନ୍ଧୁ ନୂଆ ହେଉ କି ପୁରୁଣା ବନ୍ଧୁ ସବୁବେଳେ ବନ୍ଧୁ | ହୁଏତ ପୋଷାକ ପୁରୁଣା ହେଲେ ପାଦପୋଛା ହୋଇଯିବ କିନ୍ତୁ ବନ୍ଧୁ ପୁରୁଣା ହେଲେ ହୃଦୟ ଭିତରେ ସବୁ ସ୍ମୃତି ରହିଯିବ | ଯେଉଁ ସ୍ମୃତି ମଲାପରେ ସରିଯିବ କିନ୍ତୁ ବଞ୍ଚିବା ଅବସ୍ଥାରେ ପ୍ରତିଦିନ ମନେ ପଡୁଥିବ |
ତେବେ ପ୍ରତ୍ୟେକ ମଣିଷ ସମ୍ପର୍କର ମାନେ ବୁଝନ୍ତୁ | ଗୁରୁତ୍ୱ ତାକୁ ଦିଅନ୍ତୁ ଦିଏ ଆପଣଙ୍କୁ ଗୁରୁତ୍ୱ ଦିଏ | ଆଉ ଯେଉଁମାନେ ସମ୍ପର୍କର ମାନେ ବୁଝନ୍ତିନି ସେମାନଙ୍କ ସହ ସମ୍ପର୍କ ଯୋଡି ନିଜେ ନିଜର ଆତ୍ମସମ୍ମାନ ହରାଅନି | ବନ୍ଧୁଟିଏ ବନ୍ଧୁକୁ ସମ୍ମାନ ଦିଏ | ହେଲେ ସ୍ୱାର୍ଥବାଦୀ ବନ୍ଧୁ ସମ୍ମାନ ବଦଳରେ ଅପମାନ ଦିଏ | ଅନ୍ୟକିଏ ଦୂରେଇଲେ ସେ ପୁଣି ତୁମର ହୋଇଯାଏ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ