ସମ୍ପାଦକୀୟ ଚୋର
ଦିପ୍ତିମୟୀ ନାୟକ
ଆଗରୁ ଆପଣମାନେ ମନ ଚୋର, ସୁନାଗହଣା ଚୋର, ଗାଡି ମୋଟର ଚୋର, ଟଙ୍କା ପଇସା ଚୋର, ପାଠ ଚୋର ଏମିତିକି ଅନେକ ଯାବତୀୟ ଚୋରଙ୍କ ବିଷୟରେ ଶୁଣିଥିବେ କିନ୍ତୁ ସମ୍ପାଦକୀୟ ଚୋରଙ୍କ ବିଷୟରେ ଆପଣମାନେ କେବେ ଶୁଣିନଥିବେ | କାହିଁକି ନା ଏ ଚୋର ମାନେ ହେଲେ ଅତି ଭଦ୍ରାମି ଚୋର | ଏମାନେ ଅତି ଭଦ୍ରାମି ସହକାରେ ଆପଣଙ୍କ ଲେଖାକୁ ପଢିବେ ଶେଷରେ ଆପଣଙ୍କ ଲେଖାକୁ ଚୋରି କରି ନିଜ ନାଁରେ ଛାପିବେ କିନ୍ତୁ ମୁହଁ ଟାଣରେ କହିବେ | ଆମେ ଚୋର ନୁହେଁ ଯେ କାହା ଲେଖାକୁ ଚୋରି କରିବୁ | ଆମେ ଲେଖକ ନିଜେ ଲେଖିପାରିବୁ ହେଲେ କାହା ଲେଖାକୁ ଆମେ କେବେବି ଚୋରି କରିବୁ ନାହିଁ | ବାସ୍ତବରେ ଏହି ଚୋର ମାନଙ୍କ ଦୃଢବିଶ୍ୱାସ ହିଁ ଏହି ଚୋର ମାନଙ୍କୁ ସଫଳତାର ଶୀର୍ଷକରେ ପଂହଁଚାଇ ଦେଇଛି | ବେକରେ ଖଣ୍ଡେ ଖଣ୍ଡେ ଉପଢୌକନ ହାତରେ ଖଣ୍ଡେ ମାନପତ୍ର ଧରିବାର ସୁଯୋଗ ମିଳିପାରିଛି କିନ୍ତୁ ପ୍ରକୃତ ଲେଖକଟିକୁ କଣ ମିଳିଛି ଯଦି ଆମେ ନିଜକୁ ପ୍ରଶ୍ନ କରିବା ତେବେ ହୁଏତ ଆମେ ଜାଣିପାରିବା ଲେଖକ ଲେଖି ଚାଲିଛି ପ୍ରଶଂସା ଆଉ କିଏ ପାଉଛି |
ଯଦି କୌଣସି ବ୍ୟକ୍ତିଙ୍କୁ ଉକ୍ତ ଲେଖକ ଜଣଙ୍କର ଲେଖା ଭଲଲାଗିଛି ତେବେ ଭଲ କଥା କିନ୍ତୁ ଚୋରି କରିବା ଅଭାଦ୍ରାମୀର କଥା | ଯଦି କିଛି ଲେଖା ଆବଶ୍ୟକ ତେବେ ଆପଣ ଉକ୍ତ ଲେଖକ ଜଣଙ୍କୁ ତାଙ୍କ ଲେଖା ମାଗନ୍ତୁ | ସେ ଖୁସି ଖୁସିରେ ତାଙ୍କ ଲେଖା ଦେଇଦେବେ କିନ୍ତୁ ଏମିତି ଚୋରି କଲେ ସେ କଦାପି ସହ୍ୟ କରିପାରିବେ ନାହିଁ କାରଣ ତାଙ୍କ ଲେଖା ହିଁ ତାଙ୍କ ଜୀବନର ଏକ ଅଂଶ ପାଲଟିଯାଇଥାଏ | ହୁଏତ ସେ ନଖାଇଲେ ଚଳିଯିବ କିନ୍ତୁ ଲେଖା ଛାଡିଦେଲେ ତାଙ୍କ ପ୍ରାଣ ସେଇଠୁ ଅଟକିଯିବ |
ତେବେ ବର୍ତ୍ତମାନ ସମୟରେ ସମ୍ପାଦକୀୟ ଚୋରଙ୍କର ଆବିର୍ଭାବ ହୋଇଛି | ଯେଉଁମାନେ ସମାଜକୁ ନିରୀକ୍ଷୀ ଦେଖିନାହାଁନ୍ତି | ଯେଉଁମାନେ ସମାଜରେ ରହୁଥିବା ଲୋକଙ୍କ ସହ ଭଲଭାବରେ ମିଶିନାହାଁନ୍ତି | ସେମାନେ ସମାଜ ବିଷୟରେ ଟିପ୍ପଣୀ ଦେଉଥିବାର ଦେଖିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ | ଅନେକ ସମୟରେ ଦେଖିବାକୁ ମିଳେ ଧନ ବଳ ଓ ସଫଳତା ପ୍ରଦର୍ଶିତ କରି ଅଯାଚିତ ସମ୍ମାନର ଅଧିକାରୀ ହୋଇଥାଆନ୍ତି ଏହି ଲେଖକ | ଠିକ ସେମିତି ଗତକିଛି ଦିନ ତଳେ ଏହି କଥାକୁ ନେଇ ମୁଁ ଟିକେ ଦ୍ବନ୍ଦରେ ପଡିଯାଇଥିଲି ଏବଂ ଏ ସମ୍ପର୍କରେ ଲୋକଙ୍କ ମତାମତ ନେବାପାଇଁ ସାମାଜିକ ଗଣମାଧ୍ୟମରେ ଲେଖିଥିଲି ଚୋରି କର ବଡ଼ ହୁଅ ସମ୍ପାଦକୀୟ ଚୋର | ଏକଥା ଲେଖିବାରେ ମୋର କୌଣସି ମନ୍ଦ ଉଦେଶ୍ୟ ନଥିଲା | ଏକଥା ଏଥିପାଇଁ ଲେଖିଥିଲି ଅନେକ ସମୟରେ ଅନେକ ଲେଖକ ଲେଖିକା ମାନଙ୍କର ଲେଖା ଚୋରି ହେଉଛି ଏବଂ ପ୍ରକୃତ ଲେଖକଟିର ସର୍ତ୍ତା ହଜିଯାଉଛି | ଯଦି ଏଭଳି ହୁଏ ଲେଖା ମରିବନି କିନ୍ତୁ ଲେଖକ ଜଣଙ୍କର ମନୋବଳ ମରିଯିବି | ଶେଷରେ ଲେଖକ ହଜିଯିବ ଆଉ ସମ୍ପାଦକୀୟ ଚୋରଙ୍କ ସଂଖ୍ୟା ବଢିବ | ଅସଲ ତଥ୍ୟ ଲୁଚିବ ଗୁଜବ ଖବର ଖାଲି ଘୁରି ବୁଲିବ | ଜଣେ ଯଦି କିଛି ଭାବିବନି | ନିଜସ୍ୱ ବୁଦ୍ଧି କିଛି ଖଟେଇବନି କି କିଛି ଲେଖିବନି | ତେବେ ସେ କଣ ହୃଦୟଙ୍ଗମ କରି ଲେଖିବ | ବାସ ଅନ୍ୟର ଲେଖା ଚୋରି କରି ପ୍ରଶଂସାପତ୍ର ଖାଲି ଗୋଟେଇବ ହେଲେ ତା ମୁଣ୍ଡରେ ଖାଲି ଗୋବର ରହିଥିବ | ଲୋକ ଲୋଚନରେ ଯଦି ପ୍ରକୃତ ଲେଖକକୁ ଦେଖିବ | ତାଙ୍କର ସେହି ଲେଖା ଲେଖିବାର ପ୍ରକୃତ ଉଦେଶ୍ୟ କଣ ଥିଲା ବୋଲି ଯଦି ପ୍ରଶ୍ନ ପଚାରିବ | ସେ ସରଳ ଭାବରେ ଉତ୍ତର ଦେଇଦେବେ ହେଲେ ସମ୍ପାଦକୀୟ ଚୋର ମାନେ ଲୋକଙ୍କ ପ୍ରଶ୍ନ ଶୁଣିଲେ ଅନ୍ୟ କେଉଁଆଡେ ମୁହଁ ବୁଲେଇବେ | ଆଉ ନିଜକୁ ଅଭିଜ୍ଞ ଲେଖକ କହି ସବୁଠି ମଥା ଉପରକୁ କରି ଚାଲୁଥିବେ | ଅନେକ ସମୟରେ ଦେଖିଛି ନିଜକୁ ଅଭିଜ୍ଞ କହି ଅନ୍ୟର ଲେଖାକୁ ଚୋରି କରୁଥିବାର | ଏଠି ପ୍ରତିଭାକୁ ହତ୍ୟା କରି କିଛି ସମ୍ପାଦକୀୟ ଚୋରଙ୍କୁ ପ୍ରତିଭା ଲେଖକ ଲେଖିକା ମାନଙ୍କ ସ୍ଥାନ ଦିଆଯାଉଛି | ଆଉ ଚୋର ମୁହଁ ଟାଣରେ କହୁଛି ମୁଁ ଏହି ଲେଖା ଲେଖିଛି | ହୁଏତ କିଛି ସମ୍ପାଦକୀୟ ଲେଖାରୁ ତମେ ସେହି ଲେଖକର ନାଁ ହଟେଇ ତୁମେ ସେହି ସମ୍ପାଦକୀୟ ପୃଷ୍ଠାରେ ତମେ ତୁମ ନାଁ ଯୋଡି ପାର କିନ୍ତୁ ଲେଖକ ଭାବନା ତୁମେ କେବେ ଛଡେଇ ଆଣିପାରିବନି | ହୁଏତ ସେଦିନ ମୁଁ ଟିକେ ଭାବୁକ ହୋଇଯାଇଥିଲି ସେଥିପାଇଁ ଚୋରି କର ବଡ଼ ହୁଅ ସମ୍ପାଦକୀୟ ଚୋର ବୋଲି ଲେଖିଦେଇଥିଲି କିନ୍ତୁ ଜଣେ ସାର ତାଙ୍କର ମତ ଦେଇଥିଲେ | ଏଥିରେ ଅସୁବିଧା କେଉଁଠି ରହିଲା | ଲେଖା ଲେଖାଯାଏ ସମାଜ ପାଇଁ, ସମାଜର ହିତ ପାଇଁ, ଆଜକା ପେପର କାଲକା ଠୁଙ୍ଗୀ | ଯଦି ତୁମ ଲେଖାକୁ କେହି ଚୋରି କରୁଛି ତାକୁ ତା ନାଁରେ ଯଦି ପ୍ରଚାର କରୁଛି ତାହାଲେ ଏହା ବହୁତ ଭଲ କଥା | ଏଥିସହିତ ସେ ମୋତେ ଗୋଟେ ଭଲ ଉଦାହରଣ ଦେଇ କହିଥିଲେ |ମୁଁ ଛୋଟବେଳେ ଅନେକ ଡ୍ରାମାରେ ବିଭିନ୍ନ ଭୂମିକାକୁ ନେଇ ଅଭିନୟ କରିଛି ଯେମିତିକି ରାମ, ଲକ୍ଷ୍ମଣ, ରାବଣ, କୃଷ୍ଣ, ଅର୍ଜୁନ, ଅକ୍ରୁର ଏମିତି ବିଭିନ୍ନ ଭୂମିକାରେ ଅଭିନୟ କରିଛି | କାହିଁ ସେମାନେ ମୋତେ କେବେ କହି ନାହାଁନ୍ତି ତୁମ ଆମ ନକଲ କାହିଁକି କରୁଛୁ | ମୋତେ ଏମିତି ଅଭିନୟ କରିବାକୁ ଭଲ ଲାଗୁଥିଲା ତେଣୁ ମୁଁ ବିଭିନ୍ନ ଭୂମିକାକୁ ଗୁରୁତ୍ୱ ଦେଉଥିଲି ଆଉ ସେହି ଅନୁଯାୟୀ ମୁଁ ଡ୍ରାମାରେ ଅଂଶ ଗ୍ରହଣ କରୁଥିଲି | ଠିକ ସେମିତି ଯଦି କେହି ତୁମ ଲେଖାକୁ ଚୋରି କଲେଣି ତେବେ ତୁମେ ଖୁସି ହୋଇଯାଅ ତୁମେ ସଫଳତାର ଶୀର୍ଷକରେ ପହଂଚି ଗଲଣି | ଏଥିରେ ଦୁଃଖ କରିବାର କିଛି କଥା ନାହିଁ ବରଂ ଖୁସି ହୁଅ ଲେଖିବା ଜାରି ରଖ | ସେ ଏକଥା ମଧ୍ୟ କହିଥିଲେ ଏ ଦୁନିଆ ଯାକରେ ଅଧାରୁ ଅଧିକ ସମ୍ପାଦକୀୟ ଚୋର ବାହାରିବେ | ସେଥିରେ ତୁମେ ଉଦାସ ହେବା ଉଚିତ ନୁହେଁ | ସେଇଠୁ ମୁଁ ସାରଙ୍କୁ କହିଲି ଏହା କେବଳ ମୋ କ୍ଷେତ୍ରରେ ହୋଇନି ଏହା ଅନେକ ଲେଖକଙ୍କ କ୍ଷେତ୍ରରେ ଘଟିଛି | ମୋ ଲେଖା ଚୋରି ହେଲା ଠିକ ଅଛି କିନ୍ତୁ ଅନ୍ୟ ଲେଖକ ମାନେ ଯେଉଁ ଲେଖୁଛନ୍ତି ତାଙ୍କ ଲେଖାକୁ ଏମିତି ଚୋରି କରିବା କଣ ଠିକ କି | ଆପଣ କୁହନ୍ତୁ ଆପଣ ଯେଉଁ କହିଲେ ଏହା ଖୁସିର କଥା | ସତ କହିବାକୁ ଗଲେ ଏମିତି କିଛି ଲେଖକ ଅଛନ୍ତି ଯେଉଁମାନେ ଅନେକ ସମୟରେ ନିଜକୁ ଅଭିଜ୍ଞ କହି ଅନ୍ୟର ଲେଖାକୁ ଚୋରେଇ ନିଜ ନାଁ କହିବାର କୌଶଳ ଜାଣନ୍ତି | ନୂଆ ଲେଖକ ଲେଖିକା ମାନଙ୍କ ଲେଖାକୁ ସତେ ଯେମିତି ଏମାନେ ତଣ୍ଟି ଚିପି ହତ୍ୟା କରନ୍ତି | ହେଲେ ସେମାନେ ଭୁଲି ଯାଇଥାନ୍ତି ସେମାନେ ଅନ୍ୟର ସମ୍ପାଦକୀୟ ଲେଖାକୁ ଚୋରି କରି ନିଜସ୍ୱ ଢଙ୍ଗରେ ସମ୍ପାଦକୀୟ ଲେଖିବା ପ୍ରଣାଳୀଙ୍କୁ ହତ୍ୟା କରିଥାନ୍ତି | ହୁଏତ ସମ୍ପାଦକୀୟ ଚୋରଙ୍କ ମୁହଁ ଟାଣ ହୋଇଥାଏ କିନ୍ତୁ ପ୍ରକୃତ ଲେଖକ ତାଙ୍କ ଲେଖିବା ଜାରି ରହିଥାଏ | ତେଣୁ ଲେଖକର ଲେଖା ସ୍ୱତନ୍ତ୍ର ହୋଇଥାଏ | ସେ ଲେଖାକୁ ଯେତେ ଯିଏ ଚୋରେଇ ନିଜ ନାଁରେ ଛାପିଲେ ମଧ୍ୟ ନିଜ ଜ୍ଞାନର ବିକାଶ ହୁଏନି ବରଂ ସମାଜ ଆଗରେ ଆପଣଙ୍କୁ ସମ୍ପାଦକୀୟ ଚୋରର ଆଖ୍ୟା ମିଳିଥାଏ | ସବୁବେଳେ ନିଜସ୍ୱ ଢଙ୍ଗରେ ଲେଖନ୍ତୁ ସମାଜକୁ ସଚେତନର ବାର୍ତ୍ତା ଦିଅନ୍ତୁ | ଗୋଟେ ପ୍ରକୃତ ଲେଖକ ଯେମିତି ସବୁବେଳେ ସଜାଗ ରୁହେ ସେ ସମାଜକୁ କେମିତି ନୂଆ ବାର୍ତ୍ତା ଦେବ | କିପରି ଲୋକଙ୍କ ସମସ୍ୟା କିଛି ଦୂର ହେବ ଠିକ ସେହିପରି ଯେଉଁମାନେ ସମ୍ପାଦକୀୟ ପୃଷ୍ଠାରୁ ଅନ୍ୟର ଲେଖାକୁ ଚୋରି କରୁଛନ୍ତି ସେମାନେ ଅନ୍ୟର ଲେଖାକୁ ଚୋରି ନକରି ନିଜେ କିଛି ଲେଖିବାକୁ ଚେଷ୍ଟା କରନ୍ତୁ | ଆଗ ଲୋକଙ୍କ ସହ ମିଶନ୍ତୁ | ଲୋକଙ୍କ ଭାବନାକୁ ବୁଝନ୍ତୁ | ନିଜେ ସଜାଗ ରହିବା ସହ ଅନ୍ୟ ମାନଙ୍କୁ ପ୍ରତ୍ୟେକଟି କ୍ଷେତ୍ରରେ ସଜାଗ ରହିବାକୁ ନିଜ କଲମ ଚାଳନା କରନ୍ତୁ | ହେଲେ କିଛିଟା ସମ୍ମାନ ପାଇବା ପାଇଁ ଅନ୍ୟର ସମ୍ମାନକୁ କିଣିବାକୁ ଚେଷ୍ଟା କରନ୍ତୁନି | ନିଜ ଜ୍ଞାନକୁ କେବେ ବିକି ହୁଏନି | ଅନ୍ୟର ସମ୍ମାନକୁ କେବେ ନିଜ ସମ୍ମାନ ବୋଲି କହି ହୁଏନି କିନ୍ତୁ ସମ୍ପାଦକୀୟ ଚୋର ମାନଙ୍କ ପାଇଁ ସବୁ ସମ୍ଭବ ହୋଇଥାଏ | କିଛି ଲେଖକଙ୍କ ପାଖରେ ଟଙ୍କା ନଥାଏ କିନ୍ତୁ ଏହିଭଳି ଲେଖକଙ୍କ ପାଖରେ ଟଙ୍କା ଥାଏ ବୋଲି ବଡ଼ ବଡ଼ ମଞ୍ଚରୁ ଏମାନଙ୍କ ପାଖକୁ ଡାକରା ଆସୁଥାଏ | ଯଦିଓ ସବୁ ସଂଗଠନ ସମାନ ନୁହଁନ୍ତି କିନ୍ତୁ କିଛି ସଂଗଠନ ପ୍ରତିଭା ଦେଖି ପ୍ରକୃତ ଲେଖକଟିକୁ ଉଚିତ ସମ୍ମାନ ଦିଅନ୍ତି | ହେଲେ ସେହି ସମ୍ପାଦକୀୟ ଚୋରଙ୍କ ମେଳରେ ଆଉ କିଛି ସଂଗଠନ କେବଳ ସେ ଚୋରଙ୍କ ହାତରେ ସମ୍ମାନପତ୍ର ଧରେଇ ଦେଇଥାଆନ୍ତି | ଯେମିତିକି ଟଙ୍କା ଦିଅ ସମ୍ମାନୀତ ହୁଅ | ସେଥିପାଇଁ ଆଜିର ଦିନରେ ପ୍ରକୃତ ଲେଖକ ଲୁଚୁଛି ଚୋର ବାଃ ବାଃ ପାଉଛି |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର