ସମ୍ପାଦକ ସ୍ୱୟଂ ଭୋଟର ଥାଇ ଅନ୍ୟ ପାଇଁ କରୁଛନ୍ତି ପ୍ରଚାର : ଡିଆରସିଏସଙ୍କୁ ସଭ୍ୟଙ୍କ ଭୋଟ ବର୍ଜନ ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ସମ୍ପାଦକଙ୍କ ତଞ୍ଚକତା ପ୍ରତିବାଦରେ ଆସନ୍ତା ୧୯ ତାରିଖ ନିର୍ବାଚନରେ ରସାଳପୁର ପ୍ରାଥମିକ କୃଷି ସମବାୟ ସମିତିର ଭୋଟରମାନେ ଭୋଟ ବର୍ଜନ ନେଇ ସମବାୟ ସମିତି ସମୂହ ଉପ-ନିର୍ଦ୍ଦେଶକ ଡିଆରସିଏସଙ୍କୁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ସମିତି ସମ୍ପାଦକ ଭୋଟର ସଂଶୋଧନ ବିଜ୍ଞପ୍ତିକୁ ବିଧିବଦ୍ଧ ପ୍ରକାଶ ନ କରିବା ଯୋଗୁଁ ୪ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ବିଶିଷ୍ଟ ଏହି ସମିତିରେ ମାତ୍ର ୧୮୦ ଜଣ ମତଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅନ୍ୟପକ୍ଷରେ ସମିତି ସମ୍ପାଦକ ନିଜେ ଜଣେ ଭୋଟର ହୋଇଥିବା ବେଳେ ତଞ୍ଚକତା କରି ସେ ତାଙ୍କର ବଡ଼ଭାଇ, ବଡ଼ ଭଉଣୀ, ଓ ଚାକରାଣୀକୁ ଭୋଟର ତାଲିକାଭୁକ୍ତ କରିଛନ୍ତି । ସେହିଭଳି ଏହି ସମିତିର ସହ-ସମ୍ପାଦକଙ୍କ ପତ୍ନୀ ଓ ପିତା-ମାତା ମଧ୍ୟ ଭୋଟର ତାଲିକାଭୁକ୍ତ ହୋଇଛନ୍ତି । ଦୁଇ ଅଧିକାରୀଙ୍କ କବଜାରେ ଥିବା ଏହି ରସାଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ନିର୍ବାଚନ ଏକ ପ୍ରହସନ ପାଲଟିଛି । ଇଚ୍ଛାନୁସାରେ ବୋର୍ଡ଼ ଗଠନ ପାଇଁ ଦୁଇ ଅଧିକାରୀ ଏବେ ଖୁଲମଖୁଲା ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । ମାତ୍ର ଦୁଇଗୋଟି ଜୋନରେ ହେଉଥିବା ନିର୍ବାଚନରେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ଆଶାତୀତ କ୍ଷତି କରିବା ନେଇ ସମ୍ପାଦକ ଭୋଟରଙ୍କୁ ଧମକ ଦେଉଥିବା ସଭ୍ୟମାନେ ଡିଆରସିଏସଙ୍କୁ ଆପତ୍ତିରେ ଜଣାଇଛନ୍ତି । ଏ ବାବଦରେ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।