ସମ୍ପୂର୍ଣ୍ଣ ନାଶ ହୋଇପାରିବ ନାହିଁ କରୋନା, ପ୍ରତିବର୍ଷ ଫେରିପାରେ
ନୂଆଦିଲ୍ଲୀ: କରୋନା ଭାଇରସ ରୋଗର ଶେଷ ନାହିଁ । ଏହି ଭାଇରସ ସାମୟିକ ଭାବେ ଆଶ୍ୱସ୍ତି ଦେଇପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ନାଶ ହୋଇପାରିବ ନାହିଁ । ପ୍ରତିବର୍ଷ ଏହି ଭାଇରସ ଫେରିପାରେ ବୋଲି ଚୀନର ବୈଜ୍ଞାନିକମାନେ କହିଛନ୍ତି । ଚୀନର କିଛି ଶୀର୍ଷ ବୈଜ୍ଞାନିକ ଦାବି କରିଛନ୍ତି ଯେ, ସାର୍ସ-ସିଓଭି-୨ ଭାଇରସ ଯାହା କରୋନା ରୋଗର କାରଣ କେବେ ବି ନାଶ ହୋଇପାରିବ ନାହିଁ । ଏହା ଋତୁକାଳୀନ ସଂକ୍ରମଣ ଭଳି ପ୍ରତିବର୍ଷ ଆସିପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି । ଡବ୍ଲ୍ୟୁଏଚଓ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ଆକଳନ ଅନୁଯାୟୀ ଋତୁକାଳୀନ ସଂକ୍ରମଣ ପାଇଁ ବିଶ୍ୱରେ ପ୍ରତିବର୍ଷ ୩ ଲକ୍ଷରୁ ୬ ଲକ୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଚୀନର ସର୍ବୋଚ୍ଚ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ, ଚାଇନିଜ ଏକାଡେମୀ ଅଫ ପାଥୋଜେନ ବାୟୋଲୋଜି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଜିନ ଜୀ କହିଛନ୍ତି, ଏହି ମହାମାରୀ ଅନେକ ସମୟ ଧରି ମାନବଜାତି ସହ ରହିବାର ସମ୍ଭାବନା ରହିଛି । ଏହା ଋତୁକାଳୀନ ହୋଇଯିବ ଏବଂ ମଣିଷ ଶରୀରରେ ଅନେକ ଦିନ ରହିବ । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଲର୍ଜି ଏବଂ ସଂକ୍ରାମକ ରୋଗ ନିର୍ଦ୍ଦେଶକ ଆନ୍ଥୋନି ଫସିଙ୍କ ସମେତ ଅନେକ ବୈଜ୍ଞାନିକ କହିଛନ୍ତି ଯେ, ନୂଆ କରୋନା ଭାଇରସ ପୁଣିଥରେ ଶୀତ ଋତୁରେ ଭୟଙ୍କର ଭାବେ ବଢ଼ିବ । ଋତୁକାଳୀନ ସଂକ୍ରମଣ ପରି ଏହା ଶୀତ ଋତୁରେ ପୁଣି ଫେରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସେହିପରି ଭାରତରେ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ଭାଇରସ ଅନେକ ଦିନ ଧରି ରହିବ । ଭାଇରସ ବ୍ୟାପିବାର ଭୟ ଅଧିକ ରହିଥିବାରୁ ଏବଂ ଅଧିକାଂଶ କ୍ଷେତ୍ରରେ ସଂକ୍ରମଣର ଲକ୍ଷଣ ନଥିବାରୁ ଏବଂ କମ ସଂକ୍ରମଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ହେଉନି । ଫଳରେ ସଂକ୍ରମଣ ଅଧିକ ବଢ଼ୁଛି । ସଂକ୍ରମଣ ଲକ୍ଷଣ ନଥିବା ରୋଗୀଙ୍କଠାରେ ଭାଇରସ ବ୍ୟାପିଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟଦାୟକ ହୋଇଯିବ । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଉପକରଣ ବ୍ୟବହାର କରିବାକୁ ପଡ଼ିବ ଯାହା କି ଅନେକ ଦିନ ଧରି ବଜାୟ ରଖିବା ଖୁବ କଷ୍ଟଦାୟକ ହୋଇଯିବ ବୋଲି ଗାନ୍ଧୀନଗର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥର ନିର୍ଦ୍ଦେଶକ ଡ.ଦିଲ୍ଲୀପ ମବଲଙ୍କର କହିଛନ୍ତି । ଲକ୍ଷଣର ପ୍ରଥମ ସପ୍ତାହରେ କୋଭିଡ-୧୯ ରୋଗୀମାନେ ଅଧିକ ସଂକ୍ରାମକ ହୋଇଥାନ୍ତି । ତେବେ ଏମାନଙ୍କ ଦ୍ୱାରା ବ୍ୟାପୁଥିବା ସଂକ୍ରମଣରୁ ୪୦ ପ୍ରତିଶତ ପ୍ରକୃତିରେ ଅସୁସ୍ଥ ନଥାନ୍ତି । ଏପ୍ରିଲ ୧୫ ନେଚର ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ ସାରସ ସିଓଭି ୨ ସାସ୍ର ସିଓଭିଠାରୁ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ । ସାରସରେ କେବଳ ଫୁସଫୁସ ସଂକ୍ରମଣ ହୋଇଥିଲା ଏବଂ ସଂକ୍ରମିତ ବ୍ୟକ୍ତି କାଶ ହେବା ବେଳେ ଏହା ବିସ୍ତାର ହୋଇପାରେ, କିନ୍ତୁ ସାରସ ସିଓଭି-୨ କ୍ଷେତ୍ରରେ, ଶ୍ୱାସନଳୀରେ ଉପରି ଅଂଶରେ ସଂକ୍ରମଣ ଆରମ୍ଭ ହୁଏ ତେଣୁ ଆପଣ କଥା ହେବା ବେଳେ ମଧ୍ୟ ଅନ୍ୟ ଜଣକୁ ସଂକ୍ରମିତ କରିପାରିବେ । ଏହି ଜୀବାଣୁ ନାସୋଫାର୍ଜିଙ୍ଗ ଫ୍ଲୁଇଡରେ ଥାଏ, ଯାହା ଲାଳ ସହିତ ମିଶିଥାଏ, ତେଣୁ ଗୀତ ଗାଇବା, କହିବା କିମ୍ବା ପାଟି କରିବା ସମୟରେ ମଧ୍ୟ ସଂକ୍ରମଣ ବ୍ୟାପେ । ଏହି ରୋଗରେ ନୀରବ ସଂକ୍ରମଣ ସାଧାରଣ ଅଟେ । ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକ ଅତି ସହଜରେ କରୋନା ସଂକ୍ରମିତ ହୋଇଥାନ୍ତି । ତେବେ ଯଦି କରୋନା ପାଇଁ ଟିକା ଆସେ ତାହା ହେଲେ ଆମେ ଏହାକୁ ମୂଳରୁ ନାଶ କରିପାରିବା ବୋଲି ଆଇସିଏମଆର ଜଣେ ଡାକ୍ତର ଲଳିତ କାନ୍ତ କହିଛନ୍ତି । ବିଶ୍ୱବ୍ୟାପୀ ବିଭିନ୍ନ ଦେଶମାନଙ୍କରେ ନଭେମ୍ବର ବେଳକୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେବ ବୋଲି କୁହାଯାଉଛି ।


