ସମ୍ବର୍ଦ୍ଧିତ ହେଲେ କଣ୍ଠଶିଳ୍ପୀ ଶିବୁ ପଟ୍ଟନାୟକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ସାମାଜିକ ସଂଗଠନ ବିସ୍ତାରିତ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ କଣ୍ଠଶିଳ୍ପୀ ଶିବ ନାରାୟଣ ପଟ୍ଟନାୟକ (ଶିବୁ)ଙ୍କୁ ସଙ୍ଗୀତ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ସୁନାମଧନ୍ୟ ତଥା ଖ୍ୟାତିସମ୍ପନ୍ନ ଗାୟକ ଡଃ ପ୍ରଣବ କିଶୋର ପଟ୍ଟନାୟକ ଶିବୁଙ୍କୁ ଅଙ୍ଗବସ୍ତ୍ର ତଥା ସ୍କାରକ ଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଏହି ଅବସରରେ ସେ ପ୍ରକାଶ କରିଥିଲେ ଯେ, ସଙ୍ଗୀତ ସାଧନା ଏକ ନିରନ୍ତର ତଥା ଅନବରତ ପ୍ରକ୍ରିୟା ହୋଇଥିବାରୁ ସେଥିପାଇଁ କଣ୍ଠଶିଳ୍ପୀମାନେ ନିଷ୍ଠା ତଥା ଏକାଗ୍ରତା ଭାବ ସହ ନିବିଷ୍ଟ ହେବା ଏକାନ୍ତ ଆବଶ୍ୟକ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବମ୍ବେ ଓଡ଼ିଆ ସମାଜର ସଭାପତି ଡଃ ବିପିନ ବିହାରୀ ମିଶ୍ର, ସୁବିଦିତ ସାମାଜିକ ସଂଗଠକ ଲାୟନ ବିପିନ ବିହାରୀ ନାୟକ ତଥା ବରିଷ୍ଠ ଶଲ୍ୟ ଚିକିତ୍ସକ ଡଃ ବିଶ୍ୱନାଥ ପଟ୍ଟନାୟକ ଶିବୁଙ୍କୁ ଉତ୍ସର୍ଗୀକୃତ ସଙ୍ଗୀତ ସାଧନା ପାଇଁ ପ୍ରଂଶସା କରିବା ସହ ଆଗାମୀ ଦିନମାନଙ୍କରେ ଶାସ୍ତ୍ରୀୟ ସଙ୍ଗୀତକୁ ନୂତନ ଢଙ୍ଗରେ ଉପସ୍ଥାପିତ କରି ତାହାର ମର୍ଯ୍ୟାଦା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଦିବଙ୍ଗତ ଲୋକପ୍ରିୟ କଣ୍ଠଶିଳ୍ପୀ ‘କେକେ’ଙ୍କ ସ୍ମୃତିରେ ଶିବୁଙ୍କ ଦ୍ୱାରା ଗାୟିତ ଅଡ଼ିଓ ସିଡ୍ ‘କିସ୍ ଦେଶ ମେଁ ତୁମ୍ ଖୋ ଗୟେ’କୁ ଉନ୍ମୋଚିତ କରିଥିଲେ ଲବ୍ଧପ୍ରତିଷ୍ଠ ସାମାଜିକ ସଂଗଠିକା ଶ୍ରୀମତୀ କସ୍ତୁରୀ ପଟ୍ଟନାୟକ । ଏହି ଭାବୋଦ୍ଦୀପକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଙ୍ଗୀତକୁ ରଚନା କରିଛନ୍ତି ଅଭିଷେକ ଆନନ୍ଦ ତଥା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ରାୟ । ବିସ୍ତାରିତ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ ସଭାପତି ନରେଶ ଚନ୍ଦ୍ର ରଥ, ସମ୍ପାଦକ ଗୋଲକ ବିହାରୀ ସିଂହ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ସୁବାସ ଚନ୍ଦ୍ର ରଥ ଓ ଅଭିଷେକ ଆନନ୍ଦ ।


