ସମ୍ବିଧାନ ବିରୋଧୀ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଦାବ

ଭୁବନେଶ୍ୱର, : ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବି କରି ଦେଶବ୍ୟାପୀ ପ୍ରତିବାଦ କରିବା ପାଇଁ ବାମପନ୍ଥୀ ଦଳମାନେ ଆହ୍ୱାନ ଦେଇଥିଲେ । ଭୁବନେଶ୍ୱରରେ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧୀମାର୍ଗଠାରେ ଗଣଧାରଣା ସଂଗଠିତ ହୋଇଯାଇଛି । ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌) ଲିବରେସନ ଏବଂ ଫରୱାର୍ଡ଼ ବ୍ଲକ ତରଫରୁ ଆୟୋଜିତ ଧାରଣା କାର୍ଯ୍ୟକ୍ରମରେ ବାମପନ୍ଥୀ ଦଳମାନଙ୍କର ବହୁ ସଭ୍ୟ, ସମର୍ଥକଙ୍କ ସମେତ ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ସିପିଆଇ(ଏମ୍‌)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ସିିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ କ୍ଷୀରୋଦ କୁମାର ସିଂହଦେଓ, ସିପିଆଇ(ଏମ୍‌ଏଲ୍‌) ଲିବରେସନ ରାଜ୍ୟନେତା ମହେନ୍ଦ୍ର ପରିଡ଼ା, ଫରୱାର୍ଡ଼ ବ୍ଲକର ଯୁବନେତା ନାରାୟଣ ଡ଼ାଳୁଆ ପ୍ରମୁଖଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ଗଣଧାରଣାକୁ ପରିଚାଳନା କରିଥିଲେ । ଗଣଧାରଣାରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍‌)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ(ଏମ୍‌ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, ପ୍ରଫେସର ମନୋରଞ୍ଜନ ମହାନ୍ତି, ପ୍ରଫେସର ବିଜୟ କୁମାର ବହିଦାର, ବରିଷ୍ଠ ସାମ୍ବାଦିକ ରବି ଦାସ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟମହାପାତ୍ର, ନିଶାନ ପତ୍ରିକାର ସମ୍ପାଦକ ଲେଲିନ କୁମାର, ସାମାଜିକ କର୍ମୀ ମାନସ ପଟ୍ଟନାୟକ, ସିପିଆଇ ରଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ରାମକୃଷ୍ଣ ପଣ୍ଡା, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ୍‌ଏଲ୍‌) ଲିବରେସନର ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଗଣଧାରଣାରେ ଉଦ୍‌ବୋଧନ ଦେଇ ବାମପନ୍ଥୀ ଦଳର ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀମାନେ କହିଛନ୍ତି ଯେ, ନାଗରିକ ସଂଶୋଧନ ଆଇନ୍ ଆମ ସମ୍ବିଧାନର ମୌଳିକ ଢାଞ୍ଚାକୁ ବିରୁଦ୍ଧାଚରଣ କରୁଛି । ଧର୍ମ ନାମରେ ବିଦେଶୀ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ଦେବା ଏବଂ ମୁସଲମାନ ମାନଙ୍କୁ ଏଥିରୁ ବାଦ୍ ଦେବା ଆମ ସମ୍ବିଧାନ ଓ ଧର୍ମନିରପେକ୍ଷତା ଉଭୟଙ୍କୁ ଜଳାଞ୍ଜଳି ଦିଆଯାଇଛି । ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେନ୍ଦ୍ରର ଶାସକ ଦଳ କ୍ଷମତାର ଦୁରୂପଯୋଗ କରି ସଂସଦରେ ବିଲ୍ ଗୃହିତ କରାଇବା ମଧ୍ୟ ସମ୍ବିଧାନ ବିରୋଧୀ କାର୍ଯ୍ୟ । ବର୍ତ୍ତମାନ ଏହା ଆଇନ୍‌ରେ ପରିଣତ ହୋଇଛି । ସାମଗ୍ରିକ ଭାବେ ନାଗରିକତ୍ୱର ସ୍ୱୀକୃତି ଦେବା ନାମରେ ଏହି ଆଇନ୍ ଆମ୍ ଆଦ୍‌ମୀ ବା ଗରିବ ଜନସାଧାରଣଙ୍କ ନାଗରିକତ୍ୱ ପ୍ରତି ଗଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଆଇନ୍ ବଳରେ ୬ଟି ଧର୍ମାବଲମ୍ବୀ ଲୋକମାନେ ନାଗରିକତ୍ୱ ପାଇଲା ବେଳେ ମୁସଲମାନ ଧର୍ମାବଲମ୍ବୀ ଲୋକମାନେ ନାଗରିକତ୍ୱ ପାଇବେ ନାହିଁ । ବାମପନ୍ଥୀ ଦଳମାନେ ବିଚାର କରୁଛନ୍ତି ଯେ, ଏହା ଧର୍ମ ଧର୍ମ ଭିତରେ ବିଦ୍ୱେଷ ସୃଷ୍ଟି କରି ଆମ ସମାଜ ଏବଂ ଦେଶକୁ ଏକ ବିଭାଜନର ରାସ୍ତା ଖୋଲିବ । ଏହି ଆଇନ୍ ପରେ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକ୍ରମ ସାରା ଦେଶରେ ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଅର୍ଥାତ୍ ଯେଉଁ ଭାରତୀୟମାନେ ନିଜର ନାଗରିକତାର ପ୍ରମାଣ ଦେଇପାରିବେ ନାହିଁ, ସେମାନେ ଦେଶହରାରେ ପରିଣତ ହେବେ । ନାଗରିକତା ପାଇଁ ପାସ୍‌ପୋର୍ଟ, ଆଧାରକାର୍ଡ଼, ଭୋଟର ପରିଚୟ ପତ୍ର ଇତ୍ୟାଦି ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ସାଧାରଣ ଲୋକଙ୍କୁ ଅନେକ ପ୍ରକାରର ଦଲିଲ୍ ଦେବାକୁ ପଡ଼ିବ ଯାହା ଆଦୌ ସମ୍ଭବ ନୁହେଁ । ଏହି ପ୍ରକ୍ରିୟାରେ ଅସଂଖ୍ୟ ଦଳିତ, ଆଦିବାସୀ ଏବଂ ମୁସଲମାନମାନଙ୍କୁ ଦେଶହରା ଭାବେ ଗିରଫ କରାଯାଇ ବନ୍ଦୀଶାଳାରେ ରଖାଯିବାର ଆଶାଙ୍କା ରହିଛି । ଏହି ଦେଶହରା ନାଗରିକମାନଙ୍କୁ ଅନ୍ୟ କୌଣସି ଦେଶ ଗ୍ରହଣ କରିବେ ନାହିଁ । ଏହିଭଳି ଏକ ଅତି ଭୟଙ୍କର ଆଇନ ଆସିଲା ପରେ କେରଳ, ପଶ୍ଚିମବଙ୍ଗ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଏହିପରି ୬ଟି ରାଜ୍ୟ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଓଡ଼ିଶାର ବିଜେଡ଼ି ସଂସଦରେ ଏହି ଆଇନ୍ ସପକ୍ଷରେ ଭୋଟ ଦେଇ ବର୍ତ୍ତମାନ ଏନ୍‌ଆରସି ଲାଗୁ ହେବ ନାହିଁ ବୋଲି କହିବା ହାସ୍ୟାସ୍ପଦ, ଦୋମୁହାଁ ଏବଂ ସୁବିଧାବାଦୀ ରାଜନୀତିକୁ ପ୍ରତିଫଳିତ କରୁଛି । ଦେଶରେ ଏକହଜାର ବୈଜ୍ଞାନିକ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହ, ଦେଶର ରାଜଧାନୀ ଦିଲ୍ଲୀ, ପ୍ରାୟ ସମସ୍ତ ପ୍ରମୁଖ ସହର ଏବଂ ରାଜ୍ୟମାନଙ୍କରେ ପ୍ରତିବାଦର ଜୁଆର ଦେଖାଦେଇଛି । ୨୪ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିବାଦ ଆନ୍ଦୋଳନର ଆଗ ଧାଡ଼ିରେ ରହିଛନ୍ତି । ପ୍ରତିବାଦକୁ ଦମନ କରିବା ପାଇଁ ସରକାର ପୋଲିସ୍ ବାହିନୀ ଲଗାଇ ଆକ୍ରମଣ ଓ ଗିରଫ କରୁଛନ୍ତି । ଆଜି ଦିଲ୍ଲୀରେ ବିରୋଧ କରୁଥିବା ଜାତୀୟ ନେତାମାନଙ୍କୁ ଏବଂ ବାଙ୍ଗାଲୋରରେ ବିଶିଷ୍ଟ ଇତିହାସବିତ୍ ରାମଚନ୍ଦ୍ର ଗୁହାଙ୍କୁ ଗିରଫ କରାଯାଇଛି । ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିଶେଷକରି ଛାତ୍ରୀମାନଙ୍କ ଉପରେ ବର୍ବର ଆକ୍ରମଣ ଭଳି ନିନ୍ଦନୀୟ ଘଟଣା ଘଟିଛି । ଆମ ଦେଶର ୨୦କୋଟି ମୁସଲମାନ, ଆଦିବାସୀ ଓ ଦଳିତ ମିଶି ୧୮ କୋଟି ଏବଂ ସାଧାରଣ ଜନତାଙ୍କ ମଧ୍ୟରୁ ଏକ ଅଂଶକୁ ନାଗରିକତ୍ୱରୁ ବାଦ୍ ଦେଇ ଧର୍ମ ନାମରେ ରାଷ୍ଟ୍ର ପରିଚାଳନା କରିବା ପାଇଁ ମୋଦି-ଶାହା ସରକାର ଯୋଜନା କରୁଛନ୍ତି । ଏହି ଯୋଜନା ଦେଶ ବିଭାଜନର ଅତି ଦୁଃଖଦ ଏବଂ ଅଭାବନୀୟ ଘଟଣାକୁ ମନେ ପକାଇ ଦେଉଛି । ଏହି ସମ୍ବିଧାନ ବିରୋଧୀ-ଧର୍ମନିରପେକ୍ଷତା ବିରୋଧୀ ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ନେତୃବୃନ୍ଦ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ