ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ଉଦ୍ଧାର ଜନିତ ମକଡ୍ରିଲ ଅନୁଷ୍ଠିତ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍) : ସମ୍ଭାବ୍ୟ ପ୍ରାକୃତିକ ତଥା ବିଭିନ୍ନ ବିପର୍ଯ୍ୟୟରୁ ଉଦ୍ଧାର ଜନିତ ମକଡ୍ରିଲ କାର୍ଯ୍ୟାନୁଷ୍ଠାନ ଅଭ୍ୟାସ କୈାଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରୀ ବିଭାଗ ଆନୁକୁଲ୍ୟରେ ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଜରୁରୀ ବିଭାଗ ଡେପୁଟୀ କଲେକ୍ଟର ସମ୍ବିତ ଶତପଥୀଙ୍କ ପରିଚାଳନାରେ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମକଡ୍ରିଲରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ରଞ୍ଜନ କୁମାର ଦେ,ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁ ଯୋଗଦେଇ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ବିଭିନ୍ନ ବିପର୍ଯ୍ୟୟରୁ ଉଦ୍ଧାର ପାଇଁ କିଭଳି ପ୍ରସ୍ତୁତ ରହିବା ଆବଶ୍ୟକ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ହୋଇଥିବାରୁ ଜନସାଧାରଣଙ୍କୁ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଉଦ୍ଧାର କରାଯିବା ଜନିତ ବିଭିନ୍ନ ବେସାମରିକ ପ୍ରତିରକ୍ଷା ଦଳ ଉଦ୍ଧାରର ଜ୍ଞାନ କୈାଶଳ ପ୍ରତି ସଦା ସର୍ବଦା ସଜାଗ ରହିବା ସହ ସମସ୍ତ ଯୁବ ଗୋଷ୍ଠି ଏହି ଉଦ୍ଧାର ଜନିତ ଜ୍ଞାନ କୈାଶଳ ପ୍ରତି ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ । ଡେପୁଟୀ କଲେକ୍ଟର ଶ୍ରୀ ଶତପଥୀ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ୧୧୭ଟି ବାତ୍ୟା ଆଶ୍ରୟସ୍ଥଳରେ ଏବଂ ସମସ୍ତ ବ୍ଲକ ସଦର ମହକୁମାରେ ମକଡ୍ରିଲର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଜନସାଧାରଣ ବହୁଳ ମାତ୍ରାରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ଭାବ୍ୟ ବାତ୍ୟା ନାମାନୁକରଣ ‘ହିକ୍କା’ମକଡ୍ରିଲରେ ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ଟୁଡୁ ତାଙ୍କର ବିଭାଗୀୟ ତାଲିମପ୍ରାପ୍ତ ଅଗ୍ନିଶମ ସେବା କର୍ମଚାରୀଙ୍କ ସହ ବିଭିନ୍ନ ବିପର୍ଯ୍ୟୟରୁ କିଭଳି ଜନସାଧାରଣଙ୍କୁ ଉଦ୍ଧାର କରାଯିବା ସହ ସୁରକ୍ଷା ପ୍ରଦାନ କରାଯିବ ସେ ସମ୍ପର୍କରେ ଅତ୍ୟାଧୁନିକ ଯନ୍ତ୍ରପାତି,ଉପକରଣ ଓ ଜ୍ଞାନକୈାଶଳ ବ୍ୟବହାରର ପ୍ରଦର୍ଶନ କରିଥିଲେ । ବାତ୍ୟା ସମୟରେ ରାସ୍ତାରେ ପଡିଯାଇଥିବା ବଡ ବଡ ଗଛ କାଟି ରାସ୍ତା ଅବରୋଧ ହଟାଇବା, ଟାୱାର ଲାଇଟ ମାଧ୍ୟମରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା,ବାଷ୍ପ ଓ ଗ୍ୟାସ ଦୂର୍ଘଟଣାରେ ପ୍ରତିରୋଧକ ଯନ୍ତ୍ରରେ ଜନସାଧାରଣଙ୍କୁ ଉଦ୍ଧାର ଓ ସୁରକ୍ଷା ଦେବା,ପାଣି ବୁଡାଳି ଯନ୍ତ୍ର ଓ ପୋଷାକ ପରିଧାନ କରି ପାଣିରୁ ଉଦ୍ଧାର କରିବା ସହ ଅଗ୍ନି ନିର୍ବାପକ ପୋଷକ ପିନ୍ଧି ନିଆଁରୁ ଉଦ୍ଧାର କାର୍ଯ୍ୟ,ବନ୍ୟା ସମୟରେ ବୋଟରେ ଉଦ୍ଧାର କାର୍ଯ୍ୟ ଓ ଲାଇଫ ଜାକେଟ ପରିଧାନ,ବହୁତଳ ପ୍ରସାଦରେ ନିଆଁ ଲାଗିଲେ ସେଠାରୁ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଚିତାକର୍ଷକ ତଥା ବିପଦପୂର୍ଣ୍ଣ ପରିସ୍ଥିତିରୁ ସରଳ ଜ୍ଞାନକୈାଶଳର ଉଦ୍ଧାର କାର୍ଯ୍ୟ ପ୍ରଦର୍ଶନ କରିଥିଲେ । ଜନସାଧାରଣଙ୍କୁ ସଚେତନ କରିବା ଏହି ମକଡ୍ରିଲର ଉଦେଶ୍ୟ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ ବିଭାଗର ପ୍ରୋଗ୍ରାମ ଅଧିକାରୀ ଅଜୟ କୁମାର ମହାନ୍ତି,ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରି ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲାପାଳଙ୍ଲ କାର୍ଯ୍ୟାଳୟର ଅଧିକାରି ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ