ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ୨୭ ଓ ୨୮ ତାରିଖ ପାଇଁ ବାଲେଶ୍ୱର ଜିଲ୍ଲା ପାଇଁ ଜାରି କରାଯାଇଥିବା ସମ୍ଭାବ୍ୟ ବର୍ଷା ଓ ବନ୍ୟା ସତର୍କକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I ପ୍ରାପ୍ତ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆବଶ୍ୟକସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିବେ। ସମସ୍ତ ବିଡ଼ିଓ, ତହସିଲଦାର ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ପ୍ରଭାବିତ ଅଞ୍ଚଳଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ଆଦେଶ ଦିଆଯାଇଛି। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିରଞ୍ଜନ ବେହେରା, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ