ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି

ଛତ୍ରପୁର, (ଦେବଦତ୍ତ ମହାରଣା) : ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ ହୋଇ ରହିଛି । ଗଞ୍ଜାମ ଜିଲ୍ଲାପାଳ ତୁହାକୁ ତୁହା ବୈଠକ କରି ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ସଜାଗ ହୋଇ ରହିବା ସହ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଗୁଡିକୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ମାନଙ୍କ ଫସଲ ଯେପରି ନଷ୍ଟ ନ ହେବ ସେଥି ନିମନ୍ତେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ସମସ୍ତ ଆରଆଇ ଓ ସୁପରଭାଇଜର ଏବଂ କୃଷି ବିଭାଗର ଅଧିକାରୀ ମାନଙ୍କୁ ନେଇ କାର୍ଯ୍ୟାଳୟ ପରିସରରେ ବୈଠକ କରି ସମସ୍ତେ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଛତ୍ରପୁର ବ୍ଲକ ଅଂଚଳରେ ୧୧ ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ତଳିଆ ଅଂଚଳର ଲୋକମାନେ କିପରି ସୁରକ୍ଷିତ ଭାବେ ଏହି ଆଶ୍ରୟସ୍ଥଳୀ, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ସେଥି ନିମନ୍ତେ ଅଧିକାରୀ ମାନେ ପ୍ରସ୍ତୁତ ଓ ସଜାଗ ରହିବା ପାଇଁ ତହସିଲଦାର କହିଛନ୍ତି । ଅଧିକାରୀ ମାନେ ବିଭିନ୍ନ ଅଂଚଳ ବୁଲି ଏହା ଉପରେ ଲୋକଙ୍କୁ ସଚେତନତା କରିବା ସହ ଚାଷୀ ମାନଙ୍କ ଫସଲ କିପରି ସୁରକ୍ଷିତ ରହିବ ସେଥି ସକାଶେ କାର୍ଯ୍ୟ କରିବା ନିମନ୍ତେ କୃଷି ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଛତ୍ରପୁର ତହସିଲ ଅଂଚଳରେ ଶତକଡା ୫ ପ୍ରତିଶତ ଲୋକ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଥିବା ବେଳେ ବଳକା ପାଚିଲା ଧାନ ଗଛରେ ରହିଛି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କିପରି ଚାଷିର ଅମଳ ସୁରକ୍ଷିତ ରହିବ ସେଥି ନିମନ୍ତେ ପଲିଥିନ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ନିମନ୍ତେ ସେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ, ଅଗସ୍ତି ନୂଆଗାଁ ପଂଚାୟତର ମତ୍ସଜିବୀ ସମ୍ପ୍ରଦାୟର ଲୋକମାନେ କିପରି ସୁରକ୍ଷିତ ରହିବେ ଏବଂ ଯେଉଁ ମାନେ ମାଛ ମାରିବାକୁ ସମୁଦ୍ରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଗାମୀ କିଛି ଦିନ ପାଇଁ ମତ୍ସ୍‌ଜିବୀ ମାନେ ସମୁଦ୍ର ମଧ୍ୟକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କ ଧନ ଜୀବନ ଓ ଲୋକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳି ଗୁଡିକରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା ସହ ଶୌଚାଳୟ ଗୁଡିକ ପରିସ୍କାର ରଖିବା ପାଇଁ କୁହାଯାଇଛି । ତହସିଲ ଅଂଚଳରେ ୭୯୧୬ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ବେଳେ ୪୧୦ ହେକ୍ଟର ଜମିରେ ପନିପରିବା ସହ ଅନ୍ୟାନ୍ୟ ଚାଷ କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ବ୍ଲକ କୃଷି ଅଧିକାରୀ ରାଧା ଗୋବିନ୍ଦ ଦେ, ଉଦ୍ୟାନ ବିଭାଗର ସହକାରୀ ଅଧିକାରୀ ସୌମ୍ୟା ପ୍ରିୟଦର୍ଶିନୀ, ସହକାରୀ କୃଷି ଅଧିକାରୀ ସୌଦାମିନୀ ପଣ୍ଡାଙ୍କ ସମେତ ସମସ୍ତ ଆରଆଇ ଓ ସୁପରଭାଇଜର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ