ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ଚଳିତ ମାସ ୧୧ ତାରିଖ ଠାରୁ ୧୩ ତାରିଖ ଭିତରେ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ଦ୍ୱାରା ଗଜପତି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ କାଶୀନଗର ବ୍ଲକ ପ୍ରଶାସନ ଏକ ପ୍ରସ୍ତୁତି ବୈଠକରେ କିପରି ତାର ମୁକାବିଲା କରାଯାଇପାରିବ ସେ ଦିଗରେ ଯୋଜନା ତିଆରି କରିଛି | ଭାର ପ୍ରାପ୍ତ ବିଡ଼ିଓ ତଥା ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା , ନିର୍ବାହୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ | ବୈଠକରେ ଯୋଗ ଦେଇଥିବା ସରପଞ୍ଚମାନଙ୍କୁ ଜିଲ୍ଲା ପ୍ରଶାସନ ସୂଚନାନୁଯାୟୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା | ବିଶେଷ କରି ବଂଶ ଧାରା ନଦୀକୂଳରେ ଅବସ୍ଥିତ କଡୀଗାଁ ,ବୁଦୁରା ,ଖାଣ୍ଡବ ପଞ୍ଚାୟତର ଗ୍ରାମବାସୀଙ୍କୁ ଆବଶ୍ୟକ ହେଲେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା,ଖାଦ୍ୟ ସମାଦ୍ରୀ ମହଜୁଦ ରଖିବା ସକାଶେ ନିଷ୍ପତି ନିଆଯାଇଥିଲା | ମାଇକ ଜରିଆରେ ସଚେତନତା ସୃଷ୍ଟି ଲାଗି ମଞ୍ଚାସୀନ ଅଧିକାରୀ ଜନପ୍ରତିନିଧି ମାନଙ୍କୁ ନିବେଦନ ଜଣାଇଥିଲେ |


