ସମ୍ଭାବ୍ୟ ବାତ୍ୟା ଅମ୍ଫନର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ସମ୍ଭାବ୍ୟ ବାତ୍ୟା ଅମ୍ଫନର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଅସୱାନ ହଲରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଜିଲ୍ଲାର ସମସ୍ତ ବ୍ଲକର ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଶୂନ୍ୟ ଜୀବନହାନୀ (ଜିରୋ କାଜୁଆଲଟି) ଏବଂ ବାତ୍ୟା ପରେ ପୁନରଦ୍ଧାର କାର୍ଯ୍ୟ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୧୯ ତାରିଖରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଥିବା ବେଳେ ୨୦ ତାରିଖରୁ ପବନର ବେଗ ତୀବ୍ର ହେବାର ସମ୍ଭାବନା ରହିଛି । ତେଣୁ ବ୍ଲକ ସ୍ତରରେ ବିଡିଓ, ତହସିଲଦାର, ସିଡିପିଓ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ମୁକାବିଲା ଲାଗି ବ୍ଲକ ସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଥିବା ବେଳେ ରାଜ୍ୟ ସରକାର ୫ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ସେହିପରି ଉପକୂଳର ୩ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅସୁରକ୍ଷିତ ଅଂଚଳର ଲୋକଙ୍କୁ ମେ ୧୯ ତାରିଖ ଅପରାହ୍ନ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି । ଜିଲ୍ଲାରେ ଥିବା ୧୪୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୫୮ଟି ଏବେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବାରୁ ସ୍କୁଲ ଘରଗୁଡିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରିବାକୁ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି କ୍ରମରେ ପ୍ରାୟ ୪ଶହ ସ୍କୁଲ ଘରକୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ଆସନ୍ତା କାଲିଠାରୁ ସମସ୍ତ ସ୍କୁଲ ଘର ଖୋଲା ରଖିବା ସହିତ ଶିକ୍ଷକମାନେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଘରଗୁଡିକ ନିକଟରେ ଯେପରି ଉଚ୍ଚ କ୍ଷମତାସମ୍ପନ୍ନ ବିଜୁଳି ତାର ଓ ବଡ ଗଛ ନ ଥିବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ସମସ୍ତ ଉପକରଣର ତଦାରଖ କରିବା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଛି । ସମସ୍ତ ସମ୍ବେଦନଶୀଳ ଅଂଚଳରେ ସବୁ ପ୍ରକାର ପ୍ରସ୍ତୁତି ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟସ୍ଥଳୀଗୁଡିକରେ ଡିଜି ସେଟ, ଆସ୍କା ଲାଇଟ, ଟାୱାର ଲାଇଟ ପ୍ରଭୃତି ପ୍ରସ୍ତୁତ କରି ରଖାଯିବ । ଏଥି ସହିତ ଆଶ୍ରୟସ୍ଥଳୀଗୁଡିକରେ ଯେପରି ରନ୍ଧା ଖାଦ୍ୟ ଦିଆଯାଇପାରିବ ଏବଂ ତାହା ସମ୍ଭବ ନ ହେଲେ ଶୁଖିଲା ଖାଦ୍ୟ ଦିଆଯାଇପାରିବ ସେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ପ୍ରତି ବ୍ଲକରେ ୨ଟି ଲେଖାଏଁ ଜେସିବି ମେସିନ ପ୍ରସ୍ତୁତ କରି ରଖିବାକୁ ପୂର୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ଅଂଚଳରେ ପାନୀୟ ଜଳର ବ୍ୟବସ୍ଥା କରିବା ଏବଂ ଆଗୁଆ ଭାବେ ଓଭରହେଡ ଟ୍ୟାଙ୍କଗୁଡିକୁ ପୂର୍ଣ୍ଣ କରି ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିଗୁଡିକ ଦ୍ୱାରା ଆସନ୍ତା କାଲି ମକଡ୍ରିଲ କରାଯିବ । ଆଶ୍ରୟସ୍ଥଳୀଗୁଡିକରେ ଯେପରି ସାମାଜିକ ଦୂରତା ରକ୍ଷା ହୋଇପାରିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କିଟ୍‌, ଓଆରଏସ, ହାଲୋଜେନ ବଟିକା, ସାପକାମୁଡା ଔଷଧ ଇତ୍ୟାଦି ଯେପରି ମହଜୁଦ ରହେ ତାହା ଦେଖିବାକୁ ସିଡିଏମଓଙ୍କୁ କୁହାଯାଇଛି । ଏଏନଏମ ଓ ଆଶାକର୍ମୀଙ୍କ ପାଖରେ ମଧ୍ୟ ପ୍ରାଥମିକ ଚିକିତ୍ସା କିଟ ଓ ଔଷଧ ଉପଲବଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । କେତେ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ହେବ ତାହାର ତାଲିକା ଆସନ୍ତା କାଲି ସକାଳ ସୁଦ୍ଧା ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି । ଖାଦ୍ୟଶସ୍ୟ ସୁରକ୍ଷିତ ରଖିବାକୁ ଗୋଦାମ ଘର ଖୋଲା ରଖିବା ସହିତ ତାର୍ପୋଲିନର ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ କୁହାଯାଇଛି । ପଲିଥିନ ମହଜୁଦ କରି ରଖିବାକୁ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ପଶୁଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି । ନେସ୍କୋକୁ ଟିମ ପ୍ରସ୍ତୁତ କରି ବିଭିନ୍ନ ଉପକୂଳ ଅଂଚଳରେ ଆଗୁଆ ମୁତୟନ କରିବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଏନଡିଆରଏଫର ୨ଟି ଟିମକୁ ନିୟୋଜିତ କରାଯାଇଥିବା ବେଳେ ବିହାରରୁ ମଧ୍ୟ ଏକ ଟିମ ଆସି ପହଂଚିବ ବୋଲି ଏନଡିଆରଏଫ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଅଗ୍ନିଶମ ବିଭାଗର ୧୩ଟି ଟିମ ପ୍ରସ୍ତୁତ ହୋଇ ରହିଥିବା ବେଳେ ରାଜ୍ୟ ସରକାର ଆହୁରି ୧୫ଟି ଟିମ ଜିଲ୍ଲାକୁ ପଠାଇଛନ୍ତି । ଏହି ସଙ୍କଟ ସମୟରେ ଏକ ଟିମ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ଜେନା, ସିଡିଏମଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବଙ୍କ ସମେତ ଅନ୍ୟାନ୍ୟ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଉପସ୍ଥିତ ରହିବା ସହିତ ବ୍ଲକସ୍ତରର ଅଧିକାରୀମାନଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ