ସମ୍ଭାବ୍ୟ ବାତ୍ୟା “ଦାନା” ମୁକାବିଲା ପାଇଁ ଆସିକା ଏନଏସିର ବ୍ୟାପକ ପ୍ରସ୍ତୁତି
ଆସିକା, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଅନ୍ୟତମ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ରୂପେ ପରିଚିତ ରହିଛି ଆସିକା ଅଞ୍ଚଳ । ଗତ ୧୯୭୯ ଓ ୧୯୯୦ ମସିହା ବନ୍ୟା, ୧୯୯୯ ମସିହା ମହାବାତ୍ୟା, ୨୦୧୩ ମସିହାରେ ହୋଇଥିଲା ସାମୁଦ୍ରିକ ଝଡ ଫାଇଲିନ୍ ଜନିତ ପ୍ରଳୟଙ୍କରୀ ବନ୍ୟା ଓ ୨୦୧୮ ମସିହାରେ ହୋଇଥିବା ସାମୁଦ୍ରିକ ଝଡ ତିତିଲି ଜନିତ ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତବର୍ଷ ଅକ୍ଟୋବର ମାସରେ ପୁଣି ଏକ ବାତ୍ୟା “ଦାନା”ର ଆଶଙ୍କା ଥିବାରୁ ଆସିକା ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ସମ୍ଭାବ୍ୟ ବାତ୍ୟା “ଦାନା”ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପକ୍ଷରୁ ସୋମବାର ଅପରାହ୍ନରେ ଏକ ଜରୁରୀ ବୈଠକ ଅନୁଷ୍ଟିତ ହୋଇଯାଇଛି । ଆସିକା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ସଂକ୍ରାନ୍ତୀୟ ବୈଠକରେ ଲୋକଙ୍କ ଧନଜୀବନର ସୁରକ୍ଷା, ବାତ୍ୟାର ପ୍ରଭାବରେ ଅଧିକ ବର୍ଷା ହେଲେ ଖାଲୁଆ ଅଞ୍ଚଳରେ ଜଳ ନିଷ୍କାସନ, ସହରତଳି ଅଞ୍ଚଳର ଖାଲୁଆ ସ୍ଥାନ ମାନଙ୍କରେ ରହୁଥିବା ଲୋକମାନଙ୍କୁ ସୁରକ୍ଷା ଦେବା, ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବର୍ଷାର ମୁକାବିଲା, ଏନଏସି ପରିସରଭୁକ୍ତ ବିଭିନ୍ନ ୱାର୍ଡର ତଳିଆ ଅଞ୍ଚଳ ଓ ବିପଦପୁର୍ଣ୍ଣ ବସ୍ତିରେ ରହୁଥିବା ଲୋକଙ୍କୁ ଆବଶ୍ୟକ ପଡିଲେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଏବଂ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବା, ଲୋକଙ୍କ ସୁବିଧା ଲାଗି ଏନଏସି କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିବା, କଚ୍ଚା ଘରେ ରହୁଥିବା ଲୋକଙ୍କୁ ପକ୍କା ଘରକୁ ସ୍ଥାନାନ୍ତର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ସମ୍ଭାବ୍ୟ ବାତ୍ୟା “ଦାନା” ଗତିପଥ ସଂକ୍ରାନ୍ତରେ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ । ତଥାପି ଆସିକା ଏନ୍ଏସି ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏନଏସି ପରିସରଭୁକ୍ତ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ପ୍ରକାଶ କରିଛନ୍ତି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମ୍ଭାବ୍ୟ ବାତ୍ୟା “ଦାନା”ର ମୁକାବିଲା ପାଇଁ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଥିବା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ, ଇଂ ଲକ୍ଷ୍ମୀ ସିଂ, ଅଜିତ୍ କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ମିଶ୍ର, ଦୀପକ କୁମାର ଗୌଡ, ଗୌତମ ସ୍ୱାଇଁ, ସୁମନ୍ତ କୁମାର ସେନାପତି, ଭଗବାନ ସାହୁ, ଜଗନ୍ନାଥ ବେହେରାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ସମ୍ଭାବ୍ୟ ବାତ୍ୟା “ଦାନା”କୁ ନେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ବିଗତ ବର୍ଷ ମାନଙ୍କରେ ଫାଇଲିନ୍, ହୁଡ୍ହୁଡ୍, ତିତିଲି, ଫନି, ଅମ୍ପନ, ୟସ୍ ଓ ଅସାନି ପରେ ଚଳିତ ମାସରେ ପୁଣି “ଦାନା” ଏକ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ ଆସିକାବାସୀଙ୍କ ଚିନ୍ତା ବଢାଇ ଦେଇଛି । ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ କିଭଳି ରହିବ ସେ ନେଇ କୌଣସି ସ୍ୱଷ୍ଟଚିତ୍ର ମିଳିପାରି ନଥିବା ଜଣାପଡିଛି ।