ସମ୍ଭାବ୍ୟ ବାତ୍ୟା ଦାନା ମୁକାବିଲା ନେଇ ପ୍ରସ୍ତୁତି

ବନ୍ତ, (ଚାନ୍ଦିନୀ ମହାନ୍ତି):ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ଆଜି ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଆବାହକତ୍ୱରେ ରାଜସ୍ୱ, ସ୍ୱାସ୍ଥ୍ୟ, ଯୋଗାଣ, ଶିକ୍ଷା, ଅଗ୍ନିଶମ, ବିଦ୍ୟୁତ୍‌, କୃଷି, ଉଦ୍ୟାନ, ମିଶନଶକ୍ତି, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଥାନା ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷକରି ବାତ୍ୟା ଆରମ୍ଭରୁ ପଞ୍ଚାୟତ ଜନପ୍ରତିନିଧିଙ୍କ ସହଯୋଗରେ ଏହି ବ୍ଲକରେ ଥିବା ୨୫ ଗୋଟି ପଞ୍ଚାୟତ ଗୃହକୁ ବ୍ୟବସ୍ଥିତ କରିବା ସହ ସେଠରେ ବିଦ୍ୟୁତ୍‌, ପାନୀୟ ଜଳ, ଶୁଖିଲା ଖାଦ୍ୟ ଏବଂ ଜରୁରୀ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ଆଦି ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଥିଲା । ବାତ୍ୟା ପୂର୍ବ ଓ ପରର ସ୍ଥିତିକୁ ସ୍ୱାଭାବିକ କରିବା ନେଇ ଅଗ୍ନିଶମ ଓ ବନ ବିଭାଗ ସଜାଗ ରହିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ଏଥିସହ ଜରିରୀକାଳୀନ ସ୍ଥିତିରେ ୨୪ ଘଣ୍ଟିଆ ସହାୟତା ଫୋନ ନମ୍ବରକୁ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା । ଏହି ବ୍ଲକର ବନ୍ତ, କେନ୍ଦୁଆପଦା, ଆଗରପଡା ଅଞ୍ଚଳରେ ଥିବା ତେଜରାତି ଦୋକାନ ଗୁଡିକରେ ପ୍ରଚୁର ପରିମାଣରେ ଚୁଡା, ଗୁଡ, ବିସ୍କୁଟ ଓ ରାସନ ସାମଗ୍ରୀ ମହଜୁଦ ଥିବା ବେଳେ ଲୋକ ମାନେ କଳା ବଜାରରେ ଶୀକାର ନହେବାକୁ ପରାମର୍ଶ ଦିଆଯାଇଥିଲା । ଆବଶ୍ୟକ ସ୍ଥଳେ ବାତ୍ୟା ଓ ବନ୍ୟା ବିପନ୍ନ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି । ଆଜିର ବୈଠକରେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ତହସିଲଦାର ସାରା ହେମ୍ବ୍ରମ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମନୋଜ ପତି, ବ୍ଲକ ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ମାନସ ପଣ୍ଡା, ଆଗରପଡା ବନଖଣ୍ଡ ଅଧିକାରୀ ବସନ୍ତ ମାଝୀ, ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ଆର୍‌.ଡି ବିଭାଗର କନିଷ୍ଠ ଯନ୍ତ୍ରୀ ସୁରଥ ବେହେରା, ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି, ବନ୍ତ ଥାନା ଏସ୍‌.ଆଇ ରଞ୍ଜିତା ବେହେରା, ସହକାରୀ ଉଦ୍ୟାନ ଓ କୃଷି ବିଭାଗର ଅଧିକାରୀ ପାୟଲ ଚୌଧୁରୀ, ବିଇଓ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ରାଜସ୍ୱ ନୀରିକ୍ଷକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ