ସମ୍ଭାବ୍ୟ ବାତ୍ୟା ନିମନ୍ତେ ଜିଲ୍ଲାପ୍ରଶାସନ ପ୍ରସ୍ତୁତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଇଏମ୍‌ଡିର ସତର୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ୨୪ ଓ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଓ ବାତ୍ୟା ଜନିତ କ୍ଷୟକ୍ଷତି ଆଶଙ୍କା ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯେଉଁ ନିର୍ଦେଶନାମା ଜାରି କରାଯାଇଛି ସେହି ଆଧାରରେ କେନ୍ଦ୍ରପଡା ଜିଲ୍ଲାପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ସୋମବାର ଅପରାହ୍ନ ୪.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହିତ ଏହାର ସଫଳ ମୁକାବିଲା ନିମନ୍ତେ ସଜାଗ ରହିବା ସହ ଶୂନ୍ୟ ମୃତ୍ୟୁହାରକୁ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଭାସୀ ମାଧ୍ୟମରେ ଜିଲ୍ଲାର ବିଡିଓ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକରେ ଆଶୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ୨୪ ତାରିଖ ଦିନ ସକାଳୁ ପ୍ରବଳ ବର୍ଷା ଓ ୨୫ ତାରିଖ ଦିନ ବାତ୍ୟା ଉପକୁଳ ଛୁଇଁବା ଆଶଙ୍କା ଥିବାରୁ ସମସ୍ତ ବିଭାଗ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୧୧୭ ଗୋଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇ ପାନୀୟ ଜଳ, ସାନିଟେସନର ବ୍ୟବସ୍ଥା, ଶୁଖିଲା ଖାଦ୍ୟ ଏବଂ ୨୩ ତାରିଖରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ କାଲି ଜିଲ୍ଲାର ୧୨୪ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବେସାମରିକ ଯୋଗାଣ ଅଧିକାରୀଙ୍କୁ ଶୁଖିଲା ଖାଦ୍ୟ, ମହମବତୀ,ଦିଆସିଲି, କିରୋସିନି ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।୬ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଆଳି, ରାଜନଗର, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଗରଦପୁର, ରାଜକନିକା ୬ ଟି ବ୍ଲକକୁ ନୋଡାଲ ଅଫିସର ଭାବେ ପ୍ରେରଣ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୬ ଗୋଟି ଓଡ୍ରାଫ୍ ଟମ୍ କେନ୍ଦ୍ରାପଡାରେ ପହଞ୍ଚିବେ । ମହାକାଳପଡ଼ା ଓ ରାଜନଗର ବ୍ଲକ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହି ୨ ଟି ବ୍ଲକ ପ୍ରତି ଅଧିକ ସତର୍କତା ଅବଲମ୍ବନ କରାଯାଇଛି । ବାତ୍ୟା ଯୋଗୁଁ ବିଦ୍ୟୁତ୍ ସରବରାହ ଠିକ୍ କରିବା ପାଇଁ ବିଭାଗ ପକ୍ଷରୁ କର୍ମଚାରୀ ନିୟୋଜିତ ହେବା ସହ ବିଦ୍ୟୁତ୍ ଉପକରଣ ମହଯୁଦ ରଖାଯାଇଛି ବୋଲି ଟିପିସିଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ଓଆରଏସ୍ , କ୍ଲୋରିନ୍ ବଟିକା, ଅତ୍ୟାବଶ୍ୟକ ଔଷଧ ସମାଗ୍ରୀ ,ପଶୁ ଖାଦ୍ୟ ଆଦି ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି । ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ବନ୍ଦ ରହିବ କିନ୍ତୁ ଶିକ୍ଷକମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି । ରାସ୍ତା ଅବରୋଧ ହଟାଇବା ପାଇଁ ଅଗ୍ନିଶମ ବିଭାଗ,ପୋଲିସ୍ ପ୍ରଶାସନ, ଓଡ୍ରାଫ ଟମ୍ ମିଳିତ ଭାବେ କାର୍ଯ୍ୟ କରିବେ । ଉକ୍ତ ଆଭାସୀ ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ. ଦୂର୍ଗା ପ୍ରସନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜରୁରୀକାଳୀନ ଅଧିକାରୀ ଅଶୋକ କୁମାର ଦାସ, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ