ସମ୍ମାନିତ ହେବାକୁ ବାଲେଶ୍ୱରରୁ ୪ ଯବାନଙ୍କ ଭୁବନେଶ୍ୱର ଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା) : ୫୦ ବର୍ଷ ପୂରିଥିବା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧକୁ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ସମଗ୍ର ଦେଶରେ ପାଳିତ ହେଉଛି ସ୍ୱର୍ଣ୍ଣିମ ବିଜୟ ବର୍ଷ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ହେବା ପାଇଁ ବାଲେଶ୍ୱରରୁ ୪ଜଣ ଅବସରପ୍ରାପ୍ତ ବର୍ଷୀୟାନ ଯବାନ ଶୁକ୍ରବାର ଭୁବନେଶ୍ୱର ଯାତ୍ରା କରିଛନ୍ତି । ଏହି ୪ ବୀର ଯବାନ ହେଲେ ସହଦେବଖୁଣ୍ଟା ଅଞ୍ଚଳର ଅବସରପ୍ରାପ୍ତ ମେଜର ଜେନେରାଲ(ଆର୍ମି) ଆର.କେ.ସାହୁ, ନୀଳଗିରି ଶ୍ୟାମସୁନ୍ଦରପୁରର ଅବସରପ୍ରାପ୍ତ ଆର୍ମି ସିଗନାଲ ଫୋର୍ସ ବିଭାଗର ହାବିଲଦାର ଉମାକାନ୍ତ ମଲିକ, ଦରଖୁଳିର ଅବସରପ୍ରାପ୍ତ ଆର୍ମି ନାୟକ ଭାଗୀରଥି ପଣ୍ଡା ଓ ମାନସିଂବଜାର ଅଞ୍ଚଳର ଅବସରପ୍ରାପ୍ତ ଏୟାରଫୋର୍ସର ୱାରେଣ୍ଟ ଅଫିସର ଅଶ୍ୱିନୀ କୁମାର ବର୍ଦ୍ଧନ । ଏମାନେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇଥିଲେ । ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ପାଳନ ଅବସରରେ ଏହି ଯୋଦ୍ଧାମାନେ ଭୁବନେଶ୍ୱର ରାଜଭବନରେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବା ସହ ୩୧ତାରିଖ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ହେବେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଗାଡ଼ିରେ ବାଲେଶ୍ୱରରୁ ଏହି ୪ ଯବାନ ଯାତ୍ରା କରିଥିଲେ । ଡେପୁଟୀ କଲେକ୍ଟର ଶରତ କୁମାର ଗିରି ଓ ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ୧୯୭୧ ମସିହା ଯୁଦ୍ଧରେ ଭାରତ ଅଭୂତପୂର୍ବ ବିଜୟ ହାସଲ କରିଥିବା ବେଳେ ଏକ ସ୍ୱାଧୀନ ଦେଶ ଭାବେ ବାଂଲାଦେଶ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ଏହି ଯୁଦ୍ଧରେ ସାମିଲ ବୀର ଯବାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏନେଇ ଏକ ବିଜୟ ମଶାଲ ଶୋଭାଯାତ୍ରା ଦେଶର ବିଭିନ୍ନ ରାଜ୍ୟ ପରିଭ୍ରମଣ ସହ ଗତ ୨୦ ତାରିଖରୁ ଓଡ଼ିଶାରେ ପହଞ୍ଚିଛି । ଆସନ୍ତା ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ ଦେଇ ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି ।