ସମୟୋଚିତ ପଦକ୍ଷେପ ହିଁ ସମାଧାନର ଚାବିକାଠି

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରାନ୍ତ ଦ୍ଵାଦଶ ବୈଠକ ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ସମେତ ନୀତି ଆୟୋଗର ସ୍ୱାସ୍ଥ୍ୟ ସଂକ୍ରାନ୍ତ ସଦସ୍ୟ ବିନୋଦ କେ. ପାଲ ଏବଂ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ଉପସ୍ଥିତ ଥିଲେ । ମନ୍ତ୍ରୀମଣ୍ଡଳ ସ୍ତରୀୟ ବୈଠକରେ କୋଭିଡ ପରିଚାଳନା ଓ ସଂକ୍ରମଣକୁ ରୋକିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହାଛଡା ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ନିରାକରଣ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଦୂରତ୍ଵ ରକ୍ଷା କରିବାର ବର୍ତ୍ତମାନର ସ୍ଥିତି ଓ ସଂକ୍ରମଣକୁ ରୋକିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ନେଇଥିବା କଡା କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହୋଇଥିଲା । ଏଥିରେ ମତ ପ୍ରକାଶ ପାଇଥିଲା ଯେ, କୋଭିଡ-୧୯କୁ ରୋକିବା ଦିଗରେ ପ୍ରତ୍ୟେକ ଜିଲ୍ଲାକୁ ଜରୁରିକାଳୀନ ଯୋଜନା କରିବା ପାଇଁ କୁହାଯାଇଛି । କେବଳ କୋଭିଡହସ୍ପିଟାଲର ନିର୍ମାଣ, ଡାକ୍ତରୀ ଅନୁଷ୍ଠାନ ପାଇଁ ବ୍ୟକ୍ତିଗତ ସୁରକ୍ଷା ଓ ଉପକରଣ, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଉପରେ ସବିଶେଷ ଆଲୋଚନା ହୋଇଥିଲା । ବର୍ତ୍ତମାନର ନିୟମାନୁସାରେ ରାଜ୍ୟଗୁଡିକ କୋଭିଡ କେନ୍ଦ୍ର ଓ ହସ୍ପିଟାଲକୁ ଚିହ୍ନଟ କରିବା ପାଇଁ କୁହାଯାଇଥିଲା । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ଜନିତ ଦେଶରେ ମୃତ୍ୟୁ ସଂଖ୍ୟା ଶତକଡା 3 ଭାଗ ଥିବା ବେଳେ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ଶତକଡା ୧୨ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଦେଶରେ ଲକଡାଉନ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ସଂକ୍ରମଣ ଥିବା ବେଳେ ମୃତ୍ୟୁ ଓ ଆରୋଗ୍ୟ ଲାଭ ହାର ଅନ୍ୟାନ୍ୟ ଦେଶଗୁଡିକ ତୁଳନାରେ ଆମର ଭଲ ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ମନ୍ତ୍ରୀମଣ୍ଡଳ ବୈଠକରେ ପରୀକ୍ଷା ଉପାୟ ଓ ଦେଶରେ ପରୀକ୍ଷା ପାଇଁ ଆବଶ୍ୟକ କିଟ୍ସର ଉପଲବ୍ଧତା ଓ ଚିହ୍ନଟ ହଟ ସ୍ପଟଗୁଡିକ ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ଉପରେ ସମୀକ୍ଷା କରାଯାଇଥିଲା । ଦେଶରେ ୧୭୦ଟି ଜିଲ୍ଲାକୁ ରେଡ ଜୋନ (ହଟ ସ୍ପଟ) ଭାବେ ଚିହ୍ନଟ କରାଯାଇଥିବା ବେଳେ ୧୨୩ଟି ଜିଲ୍ଲାରେ ଅଧିକ ସଂକ୍ରମଣ ଓ ୪୭ଟି ଜିଲ୍ଲାର ନିର୍ଦ୍ଦିଷ୍ଟ ସ୍ଥାନ ବା କ୍ଲଷ୍ଟର ସଂକ୍ରମଣ ନେଇ ବୈଠକରେ ଆଲୋଚନା ହୋଇଥିଲା । ଦେଶର ୨୦୭ଟି ନନ-ହଟ ସ୍ପଟ ସହିତ କ୍ଲଷ୍ଟର ଥିବା ବେଳେ 353ଟି ଜିଲ୍ଲାକୁ ବିନା ସଂକ୍ରମଣ ହେତୁ ସବୁଜ କ୍ଷେତ୍ର ଭାବେ ବିବେଚନା କରାଯାଉଥିବା ବୈଠକରେ ତଥ୍ୟ ଦିଆଯାଇଥିଲା । ଆଗାମୀ ୧୪ ଦିନ ମଧ୍ୟରେ ରେଡ ଜୋନରେ ଯଦି କୌଣସି ସଂକ୍ରମଣ ନଘଟେ ତେବେ ତାହାକୁ ଅରେଞ୍ଜ ଜୋନରେ ରଖାଯିବାକୁ ଥିବା ବେଳେ ପରବର୍ତ୍ତୀ ୧୪ ଦିନ ସଂକ୍ରମଣ ରହିଲେ ତାହାକୁ ସବୁଜ ଜୋନର ମାନ୍ୟତା ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ଦେଶରେ ଆବଶ୍ୟକ ବ୍ୟକ୍ତିଗତ ସୁରକ୍ଷା ଉପକରଣ, ମାସ୍କ, ଭେଣ୍ଟିଲେଟର, ଔଷଧପତ୍ର ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣ ସମ୍ପର୍କରେ ବୈଠକକୁ ଅବଗତ କରାଯାଇଥିଲା । ଏଥିରେ ସୂଚନା ଦିଆଯାଇଥିଲା ଯେ, ଘରୋଇ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ କରିବା ପାଇଁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି । ଏଥିସହିତ ଭେଣ୍ଟିଲେଟର ପାଇଁ ମଧ୍ୟ କାର୍ଯ୍ୟାଦେଶ ଦିଆଯାଇଛି । ଦେଶରେ ଯେଉଁ ଯେଉଁ ସରକାରୀ ଓ ଘରୋଇ ପରୀକ୍ଷାଗାରରେ କୋଭିଡ-୧୯ ପରୀକ୍ଷା ହେଉଛି ଓ ପ୍ରତ୍ୟେକ ଦିନ କେତେ ସଂଖ୍ୟକ ପରୀକ୍ଷା ହେଉଛି, ସେ ବିଷୟରେ ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା । ବିଜ୍ଞାନ ଓ ବୈଷୟିକ ବିଭାଗ, ବାୟୋ ପ୍ରଯୁକ୍ତି ବିଭାଗ, ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ମିଶି ମନ୍ତ୍ରୀମଣ୍ଡଳ ବୈଠକରେ ନିଦାନ, ଔଷଧପତ୍ର, କୋଭିଡ-୧୯ ଟୀକା ପ୍ରସ୍ତୁତି ନେଇ ପ୍ରଗତି ଇତ୍ୟାଦି ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସିଏସଆଇଆରର ମହାନିର୍ଦ୍ଦେଶକ ଡଃ ଶେଖର ସି. ମାଣ୍ଡେ ଓ ସିଏସଆଇଆର ଅନ୍ତର୍ଗତ ୩୮ଟି ପରୀକ୍ଷାଗାରର ନିର୍ଦ୍ଦେଶକମାନଙ୍କ ସହ ଏକ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ କୋଭିଡ-୧୯ର ପ୍ରଯୁକ୍ତିଗତ ସମାଧାନ ନେଇ ଆଲୋଚନା କରିଥିଲେ । ମନ୍ତ୍ରୀମଣ୍ଡଳ ବୈଠକର ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ପିପିଇ, ମାସ୍କ, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଉପକରଣ ଉତ୍ପାଦନରେ ଗୁଣାତ୍ମକ ମାନ ସହ କୌଣସି ସାଲିସ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୁଣାତ୍ମକ ମାନ ବା ପ୍ରୋଟୋକଲରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଗଲେ ଉତ୍ପାଦନକାରୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଯିବା ପାଇଁ ସେ ବୈଠକରେ ପ୍ରସ୍ତାବ ରଖିଥିଲେ । ଡଃ ହର୍ଷ ବର୍ଦ୍ଧନ ଆହୁରି କହିଥିଲେ ଯେ, କିଏ କେଉଁ ପ୍ରକାର ମାସ୍କ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର କରିବେ ସେ ସଂକ୍ରାନ୍ତରେ ସବିଶେଷ ମାର୍ଗଦର୍ଶିକା ଓ ନିୟମାବଳୀ ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଛି । ଏ ସଂକ୍ରାନ୍ତରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି । ତେବେ କୋଭିଡ ସଂକ୍ରମଣ ବିରୁଦ୍ଧରେ ସଂଗ୍ରାମ ପାଇଁ ସାମାଜିକ ଦୂରତ୍ଵ ଓ ଏକାନ୍ତବାସ ସବୁଠାରୁ ମହତ୍ଵପୂର୍ଣ୍ଣ ସାମାଜିକ ଟୀକା ହୋଇଥିବାରୁ ଲକଡାଉନ କାଳରେ ସମସ୍ତେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା ଓ ନିଶ୍ଵାସ ପ୍ରଶ୍ଵାସ ପ୍ରୋଟୋକଲ ଉପରେ ନଜର ଦେବା ପାଇଁ ନିବେଦନ କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପ୍ରୀତି ସୁଦନ, ବୟନ ସଚିବ ରବି କାପୁର, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା, ଫର୍ମାସ୍ୟୁଟିକାଲ ସଚିବ ପି.ଡି. ବାଘେଲା, ବାୟୋଟେକ୍ନୋଲୋଜି ସଚିବ ଡଃ ରେଣୁ ସ୍ୱରୂପ, ବିଜ୍ଞାନ ଓ ପ୍ରଯୁକ୍ତି ସଚିବ ପ୍ରଫେସର ଆଶୁତୋଷ ଶର୍ମା, ସିଏସଆଇଆର ମହାନିର୍ଦ୍ଦେଶକ ଡଃ ଶେଖର ସି. ମାଣ୍ଡେ ଏବଂ ଡିଏସଆଇଆର ସଚିବ ସଞ୍ଜୀବ କୁମାର, ସ୍ୱାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ସଚିବ ଅନିଲ ମଲିକ, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଆନନ୍ଦ ସ୍ୱରୂପ, ଆଇଟିବିପି ମହାନିର୍ଦ୍ଦେଶକ ଡଃ ରାଜୀବ ଗର୍ଗ, ଡିଜିଏଚଏସ ଡଃ ରମଣ ଆର. ଗଙ୍ଗାଖେଦକରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡ ନେଇ କୌଣସି ଜିଜ୍ଞାସା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ହେଲ୍ପଲାଇନ ନମ୍ବର +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)କୁ କଲ କରିବାକୁ ଅନୁରୋଧ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡିକର ତାଲିକା ନିମ୍ନରେ ଦିଆଗଲା । ଆନ୍ଧ୍ର ପ୍ରଦେଶ ୦୮୬୬-୨୪୧୦୯୭୮, ଅରୁଣାଚଳ ପ୍ରଦେଶ ୯୪୩୬୦୫୫୭୪୩, ଆସାମ ୬୯୧୩୩୪୭୭୭୦, ବିହାର ୧୦୪, ଛାତସଗଡ ୧୦୪, ଗୋଆ ୧୦୪, ଗୁଜରାଟ ୧୦୪, ହରୟଣ ୮୫୫୮୮୯୩୯୧୧, ହିମାଚଳ ପ୍ରଦେଶ ୧୦୪, ଝାରଖଣ୍ଡ ୧୦୪, କର୍ଣ୍ଣାଟକ ୧୦୪, କେରଳ ୦୪୭୧-୨୫୫୨୦୫୬, ମଧ୍ୟ ପ୍ରଦେଶ ୧୦୪, ମହାରାଷ୍ଟ୍ର ୦୨୦-୨୬୧୨୭୩୯୪, ମଣିପୁର ୩୮୫୨୪୧୧୬୬୮, ମେଘାଳୟ ୧୦୮, ମିଃଜ଼ଓରାମ ୧୦୨, ନାଗାଲାଣ୍ଡ ୭୦୦୫୫୩୯୬୫୩, ଓଡିଶା ୯୪୩୯୯୯୪୮୫୯, ପଂଜାବ ୧୦୪, ରାଜସ୍ଥାନ ୦୧୪୧-୨୨୨୫୬୨୪, ଶିକିମ ୧୦୪, ତାମିଲ ନାଡୁ ୦୪୪-୨୯୫୧୦୫୦୦, ତେଲେଙ୍ଗାନା ୧୦୪, ତ୍ରିପୁରା ୦୩୮୨-୨୩୧୫୮୭୯, ଉତ୍ତରାଖଣ୍ଡ ୧୦୪, ଉତ୍ତର ପ୍ରଦେଶ ୧୮୦୦୧୮୦୫୧୪୫, ପଚିମ ବଙ୍ଗ ୧୮୦୦୩୨୩୪୪୪୧୨୨, ୦୩୩୨୩୪୧୨୬୦୦, ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ୦୩୧୯୨-୨୩୨୧୦୨, ଚଣ୍ଡିଗଡ ୯୭୭୯୫୫୮୨୮୨, ଦାଦର ଓ ନଗର ହାବେଳୀ ଏବଂ ଦମନ ଓ ଡିଓ ୧୦୪, ଦେଲ୍ହୀ ୦୧୧-୨୨୩୦୭୧୪୫, ଜାମ୍ମୁ ଓ କାଶ୍ମୀର ୦୧୯୧୨୫୨୦୯୮୨, ୦୧୯୪-୨୪୪୦୧୮୩, ଲାଦଖ ୦୧୯୮୨୨୫୬୪୬୨, ଲାକ୍ଷାଦ୍ଵୀପ ୧୦୪, ପୁଡୁଚେର୍ରୟ ୧୦୪.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ