ସମୟ ଗଡୁଛି : ବଢୁଛି ପ୍ରାର୍ଥୀଙ୍କ ଉତ୍କଣ୍ଠା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଫେବୃୟାରୀ ୧୬ ତାରିଖ ଠରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୫ଟି ବ୍ଳକ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଚଳିତ ମାସ ୧୬ ତାରିଖରେ ବିଧି ବ୍ୟବସ୍ଥା ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନାମାଙ୍କନ ପତ୍ର ଦାଖଲ ଠାରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟ ପରିସରରେ ଗହଳ ଚହଳ ଲାଗି ରହି ନିର୍ବାଚନର ସମ୍ମୁଖୀନ ହେବେ ୫୪୭ ଆଶାୟୀ ପ୍ରାର୍ଥୀ । ଏଥି ପୂର୍ବରୁ ହିଞ୍ଜିଳିକାଟୁ ବ୍ଳକର ୪ଟି ପଞ୍ଚାୟତ ଯଥାକ୍ରମେ ପୋଚିଲିମା, ସାହାପୁର, ଭାବନ୍ଧ ଓ ଦୟାପଲ୍ଲୀରେ ସରପଞ୍ଚ ପଦବୀ ସକାଶେ ଜଣେ ଲେଖାଏଁ ଦାବିଦାର ଥିବା ବେଳେ ଅବଶିଷ୍ଟ ୧୭ଟି ପଞ୍ଚାୟତରେ ୨, ୩,୪ ଓ ବହୁମୁଖୀ ପ୍ରତିଦ୍ୱନ୍ଦିତା ହେବା ନିଶ୍ଚିତ ହୋଇଛି । ସେହିପରି ସମିତିମେମ୍ବର ପଦବୀ ସକାଶେ ୮ଟି ପଞ୍ଚାୟତ ଯଥାକ୍ରମେ କଞ୍ଚୁରୁ, ଦୟାପଲ୍ଲୀ, ଦାରୁଭଦ୍ରା, ପୁଟିଆପଦର, ପୋଚିଲିମା, ଭାବନ୍ଧ, ସାହାପୁର ଓ ସିକିରିରେ ଜଣେ ଲେଖାଏଁ ସହମିତି ଭିତ୍ତିରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅବଶିଷ୍ଟ ୧୩ଟି ପଞ୍ଚାୟତରେ ୨, ୩, ୪ ଓ ବହୁମୁଖୀ ପ୍ରତିଦ୍ୱନ୍ଦିତା ହେବା ଦେଖିବାକୁ ମିଳିଛି । ନିର୍ବାଚନୀ କଟକଣା ସାମାନ୍ୟ କୋହଳ ହେବା ପରେ ପ୍ରଚାର, ପ୍ରସାର କ୍ଷେତ୍ରରେ ପ୍ରାର୍ଥୀ ସମର୍ଥକ ଓ ଭୋଟରଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଭାବ ଦେଖିବାକୁ ମିଳିଛି । ନିର୍ବାଚନୀ ଗାଡ଼ିରେ ସୁସଜ୍ଜିତ ପୋଷ୍ଟର, ମନଲୋଭା ସଙ୍ଗୀତର ବୁକୁଫଟା ଶବ୍ଦ ଓ ୨୦ଜଣ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ଦେଖାଦେଇଛି । କିନ୍ତୁ କିଛି ଗ୍ରାମରେ ଆଶାୟୀ ପ୍ରାର୍ଥୀ ୨ଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସମର୍ଥକଙ୍କୁ ସାଙ୍ଗରେ ନେଇ ସଂପୃକ୍ତ ପଞ୍ଚାୟତର ବିଭିନ୍ନ ଗାଁର ଗଳିକନ୍ଦିରେ ବୁଲୁଥିବା ଦେଖିବାକୁ ମିଳିଛି । କିଛି ଅଭିଜ୍ଞ ଓ ଜନ ସମର୍ଥନ ଥିବା ପ୍ରାର୍ଥୀ ନିର୍ବାଚନ ନିୟମକୁ ଅନୁପାଳନ କରୁଥିବା ବେଳେ କିଛି ନବାଗତ ପ୍ରାର୍ଥୀ ଏହାକୁ ଉଲଂଘନ କରୁଥିବା ପରିବେଶ ଓ ପରିସ୍ଥିତିରୁ ଜଣାପଡ଼ିଛି । ବିଭିନ୍ନ ପଞ୍ଚାୟତରେ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଥିବା ପ୍ରାର୍ଥୀଙ୍କ ଆଶା ମଉଳି ଯାଇଥିବା ବେଳେ ପରୋକ୍ଷରେ ସେମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚ୍ଛଦ ପଟରେ ରହି ଗୋଟି ଚାଳନା କରୁଥିବା ଦେଖିବାକୁ ମିଳିଛି । କିଛି ନବାଗତ ଆଶାୟୀ ପ୍ରା୍ର୍ଥୀ ତୁଙ୍ଗନେତାଙ୍କ ଉପରେ ଭରସା ରଖି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଆଶା ରଖିଥିବା ବେଳେ ଅନ୍ୟ କିଛି ପ୍ରାର୍ଥୀ ଜନ ସମର୍ଥନକୁ ପାଥେୟ କରି ବିଜୟ ସମ୍ଭାବନାକୁ ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି । ହିଞ୍ଜିଳିକାଟୁ ବ୍ଳକର କିଛି ଗ୍ରାମ ପଞ୍ଚାୟତରେ ବିତ୍ତଶାଳୀ ଆଶାୟୀ ପ୍ରା୍ର୍ଥୀ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଲୁଚାଛପା ଉପହାର ପ୍ରଦାନ ପାଇଁ ଉଦ୍ୟମ ବେଳେ ଅପ୍ରିତିକର ପରିସ୍ଥିତି ଉପୁଜିଥିବା ଦେଖାଦେଇଛି । ପ୍ରାୟ ସବୁଠି ସନ୍ଧ୍ୟା ନଇଁଲେ ମଦର ଆସର ଜମୁଥିବା ବେଳେ ନିଶାସକ୍ତଙ୍କ ପାଇଁ ପୁଷମାସ ପାଲଟିଛି । ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ସକାଶେ ପୁଲିସ ପ୍ରଶାସନ ପକ୍ଷରୁ ରୀତିମତ ଭାବେ ଫ୍ଲାଗମାର୍ଚ୍ଚ ଜାରୀ ରହିଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ନିର୍ବାଚନୀ ହିଂସାକାଣ୍ଡ ଉପୁଜିନଥିବା ଜଣାପଡ଼ିଛି । ସକାଳୁ ରାତି ଯାଏଁ ପ୍ରାର୍ଥୀ ଓ ସମର୍ଥକ ଦଳ ଦଳ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଭୋଟରଙ୍କ ଠାରେ ଭୋଟଭିକ୍ଷା କରିବା ସହ ଲୋଭନୀୟ ପ୍ରତିଶୃତି ଅଜାଡ଼ି ଦେଉଥିବା ଜଣାପଡ଼ିଛି । ଦିନକୁ ଦିନ ବ୍ଳକର ଗ୍ରାମାଞ୍ଚଳ ପରିବେଶ ଚଳଚଞ୍ଚଳ ହୋଇଥବା ବେଳେ ସାହି ଗଳିରେ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ପୋଷ୍ଟର, ବ୍ୟାନର ନିର୍ବାଚନ ଉଷ୍ମତାକୁ ବଢାଇ ଦେଇଛି । କିଛି ପଞ୍ଚାୟତରେ ଯୁବ ଆଶାୟୀ ପ୍ରାର୍ଥୀ ଆର୍ବିଭାବ ସୁବିଧା ଜନକ ସ୍ଥିତିରେ ଥିବା ବେଳେ କିଛି ନବାଗତ ପ୍ରାର୍ଥୀ ଅଡ଼ୁଆ ସ୍ଥିତିରେ ଥିବା ଦେଖିବାକୁ ମିଳିଛି । ବିଶେଷତଃ କିଛି ନବାଗତ ପ୍ରାର୍ଥୀ ପୂର୍ବରୁ ଶାସକ ଦଳକୁ ବିରୋଧ କରୁଥିବା ବେଳେ ସଂମ୍ପ୍ରତି ଶାସକ ଦଳ ସମର୍ଥନରେ ନିର୍ବାଚନୀ ବୈତରଣୀ ପାର ହେବା ଚକ୍କରରେ ଥିବା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ପ୍ରାର୍ଥୀ ମାନଙ୍କ ପ୍ରଚାର ପାଇଁ ହାତରେ ମାତ୍ର ଆଉ ୨ଦିନ ବାକି ବେଳେ ନିର୍ବାଚନ ଆଉ ମାତ୍ର ୩ ଦିନ ରହିଛି । ଏଣେ ଯେଣେତେଣେ ପ୍ରକାରେ ନିର୍ବାଚନ ବୈତରଣୀ ପାର ହେବା ସହ ପଦବୀ ହାତେଇବା ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମଧ୍ୟରେ ଚାଲିଛି ପ୍ରାଣମୁର୍ଚ୍ଛା ଉଦ୍ୟମ । ଫଳରେ ସମୟ ଗଡ଼ୁଛି ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା ବଢିବା ସହ ବିଜୟ ପାଇଁ ହୃତସ୍ପନ୍ଦନ ବଢିବାରେ ଲାଗିଛି ।