ସରକରଙ୍କ ବିଚିତ୍ର ନିୟମ : ସ୍କୁଲ ଛୁଟି- ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା
ହିଞ୍ଜିଳିକାଟୁ -(ଶେଷଦେବ ସାହୁ)-ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ଯୋଗୁଁ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ମାନଙ୍କ ସକାଶେ ଆଗୁଆ ଛୁଟି ଘୋଷଣା କରିଛନ୍ତି । ଗ୍ରୀଷ୍ମ ଅବକାଶ ଯୋଗୁଁ ମଇ ୬ ଠାରୁ ଜୁନ ୧୮ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ସେରକରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଥିବା ବେଳେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ରାଜ୍ୟ ସରକାର ଆଗୁଆ (ଏପ୍ରିଲ ୧୮ ତାରିଖ ଠାରୁ )ଛୁଟି ଘୋଷଣା କରିଛନ୍ତି । ପରିତାପର ବିଷୟ ପ୍ରବଳ ଗ୍ରାଷ୍ମ ପ୍ରବାହ ଜାରୀ ରହିଥିବା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ଖୋଲା ରହୁଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ରୌଦ୍ରତାପର କଷ୍ଟ ଅନୁଭବ କରିପାରୁଥିବା ବେଳେ ଅଙ୍ଗନୱାଡ଼ିର ଶିଶୁ ମାନଙ୍କୁ ରୌଦ୍ରତାପର କଷ୍ଟ ହେଉନାହିଁ କି ନା ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁ ମାନେ ଶିଶୁ ନୁହନ୍ତି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ସାରା ରାଜ୍ୟରେ ଅଗ୍ନି ବର୍ଷା ଯୋଗୁଁ ସକାଳ ୮ ଟାରୁ ସନ୍ଧ୍ୟା ୬ ଘଂଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡ଼ୁଛି । ପ୍ରଚଣ୍ଡ ରୌଦ୍ରତାପରେ ଶିକ୍ଷାର୍ଥୀ ମାନେ ଯେପରି ଅଂଶୁଘାତର ଶିକାର ନହୁଅନ୍ତି, ଏହାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆସନ୍ତା ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ମାତ୍ର ରାଜ୍ୟରେ ଚାଲିଥିବା ହଜାର ହଜାର ଅଙ୍କନୱାଡ଼ି କେନ୍ଦ୍ରରେ ଲକ୍ଷ ଲକ୍ଷ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନେ ପ୍ରତିଦିନ ସକାଳ ସାଢେ ୬ ଟାରୁ ପୁର୍ବାହ୍ନ ୧୧ ଘଂଟା ପର୍ଯ୍ୟନ୍ତ ଶିକ୍ଷାଦାନ ସକାଶେ ଆସୁଛନ୍ତି । ଏହି ସମୟରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁ ମାନେ ପ୍ରଚଣ୍ଡ ରୌଦ୍ରତାପରେ ବହୁ କଷ୍ଟ ଅନୁଭବ କରି ଖରାରେ ଡ଼ହଳ ବିକଳ ହେଉଛନ୍ତି । ହିଞ୍ଜିଳିକାଟୁ ପୌରପରିଷଦର ୨୯ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୩୫୯ଜଣ ଶିଶୁ ଓ ବ୍ଳକର ୧୧୯ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୧୯୫୭ଜଣ ଶିଶୁ ଅଧ୍ୟୟନରତ । ସେମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପରେ ଅଙ୍ଗନୱାଡ଼ିର କର୍ମୀ ଓ ହେଲପର ମାନେ ଘରୁ ଆଣି ଅଙ୍ଗନୱାଡ଼ି କେନ୍ଦ୍ରରେ ରଖି ଶିକ୍ଷା ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ଖରା କାଟୁଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରର କୋମଳମତି ଶିଶୁଙ୍କୁ ଖରା କାଟୁ ନାହିଁ କି ବୋଳି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖରାର ଏଭଳି ପରିସ୍ଥିତିରେ ଅଭିଭାବକ ମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଛାଡ଼ିବାକୁ କୁଣ୍ଠାବୋଧ କରୁଛନ୍ତି । ଯଦି ସେମାନଙ୍କର କିଛି ଅଘଟଣ ଘଟେ, ସେଥିପାଇଁ ଦାୟୀ କିଏ ରହିବ , ସରକାର ନା ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ବୋଳି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଯଦି ଟାଣ ଖରାକୁ ନେଇ ଶିଶୁ ମାନଙ୍କର କିଛି ଅଘଟଣ ଘଟେ ତାହେଲେ ରାଜ୍ୟ ସରକାର ଚେତିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ସ୍ଥାନୀୟ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କୁ ପଚାରିବାରୁ ସେ କହିଲେ ଅଙ୍ଗନୱାଡ଼ି ଛୁଟି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଲିଖିତ ନିର୍ଦ୍ଦେଶନାମା ଜାରୀ କରାଯାଇ ନଥିବାରୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାରହୁଛି ।