ସରକାରଙ୍କ ଚେତାପସିବ କେବେ, ବ୍ଲକଗ୍ରାଣ୍ଟ ସ୍କୁଲରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧ୍ରାପାପ୍ତ

ହାଟଡ଼ିହି : ରାଜ୍ୟ ସରକାର ଓ ରାଜ୍ୟ ଶିକ୍ଷା ବିଭାଗର ଦୁରଦୃଷ୍ଟିର ଅଭାବ ଯୋଗୁଁ ଏବେ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକ ବନ୍ଦ ହେବାକୁ ବସିଛି । ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କ ଅବସର ପରେ ଆଉ ଶିକ୍ଷକ ନିଯୁକ୍ତି ହେଉ ନଥିବାରୁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଗତ କିଛିଦିନ ତଳେ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବାକୁ ଯୋଜନା କରିଥିବାବେଳେ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଗୁଡିକ ପାଇଁ କୌଣସି ନିଷ୍ପତି ନେଇ ନଥିବାରୁ ଏହି ବ୍ଲକଗ୍ରାଣ୍ଟ ହାଇସ୍କୁଲ ଗୁଡିକର ଭାଗ୍ୟ ଅନ୍ଧାକାର ମୟ ହୋଇ ପଡୁଛି ।
ଖବରରୁ ଜଣାଯାଇଛି ଯେ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅନେକ ହାଇସ୍କୁଲ ନଥିବା ପଞ୍ଚାୟତରେ ବୁଦ୍ଧିଜିବୀ ମାନଙ୍କ ଦ୍ୱାରା ହାଇସ୍କୁଲ ସ୍ଥାପନ କରାଯାଇଥିଲା । ଏହାଦ୍ୱାରା ସେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସୁରଦୁରାନ୍ତକୁ ନଯାଇ ସହଜରେ ମାଟ୍ରିକ ଶିକ୍ଷା ଶେଷ କରିପାରିଥିଲେ । ପୁର୍ବପରି ଏହି ସ୍କୁଲ ଗୁଡିକୁ ସରକାର ହାତକୁ ନେଇ ଶିକ୍ଷକ ଦରମା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସମସ୍ତ ଦାୟିତ୍ୱ ସରକାର ବୁଝିବେ ବୋଲି ଆଶା କରାଯାଉଥିଲା । ମାତ୍ର ସରକାର ପୁର୍ବ ନିୟମକୁ ପ୍ରଚଳନ ନକରି ନୁତନ ବ୍ଲକଗ୍ରାଣ୍ଟ ନିୟମ ଲାଗୁ କରିଦେବା ଦ୍ୱାରା ଏହି ବିଦ୍ୟାଳୟ ଗୁଡିକରେ ଅନିଶ୍ଚିତତା ଲାଗି ରହିଥିଲା । ଏବେ ରାଜ୍ୟ ସରକାର ଏହି ସବୁ ସ୍କୁଲକୁ ବ୍ଲକ ଗ୍ରାଣ୍ଟ ସ୍କୁଲର ମାନ୍ୟତା ଦେଇ କେବଳ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ କିଛି କିଛି ଦରମା ଦେଇଦେଲେ ସିନା କିନ୍ତୁ ସ୍କୁଲକୁ ହାତକୁ ନେଲେନି । ଯେଉଁ ଶିକ୍ଷକମାନେ ସେତେବେଳେ ନିଯୁକ୍ତି ପାଇଥିଲେ ଏବେ ସେଥିମଧ୍ୟରୁ ଅନେକ ଅବସର ଦେଲେଣି ତ ଆଉ କିଏ ମୃତ୍ୟୁ ବରଣ କରିସାରିଲେଣି । ସରକାରଙ୍କ ନିୟମାନୁଯାଇ ସେହିସବୁ ବିଦ୍ୟାଳୟ ମାନଙ୍କରେ ଆଉ ଶିକ୍ଷକ ନିଯୁକ୍ତି କରାଯାଇପାରୁ ନାହିଁ । ଫଳରେ ସେହିସବୁ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନରେ ଘୋର ବାଧା ଦେଖାଦେଇଛି । ଗୋଟିଏ ଗୋଟିଏ ବିଦ୍ୟାଳୟରେ ୪/୫ଜଣ ଶିକ୍ଷକ ନଥିବାରୁ କିପରି ଶିକ୍ଷାଦାନ ହେଉଥିବ ତାହା ସହଜରେ ଅନମେୟ । ଉଦାହରଣ ସ୍ୱରୁପ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ହାଇସ୍କୁଲ ଖୋଲାଯିବା ସମୟରେ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଆର୍ଟସ ଶିକ୍ଷକ, ଦୁଇଜଣ ବିଜ୍ଞାନ ଶିକ୍ଷକ, ଜଣେ ସଂସ୍କୃତ, ଜଣେ ହିନ୍ଦି, ଜଣେ ଖେଳ ଶିକ୍ଷକ, ଜଣେ କିରାଣୀ ଓ ତିନିଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଥିଲେ । କିନ୍ତୁ ଗତ କିଛିବର୍ଷ ହେଲା ମାତ୍ର ୪ଜଣ ଶିକ୍ଷକରେ ବିଦ୍ୟାଳୟଟି ଚାଲିଛି । ପ୍ରଧାନ ଶିକ୍ଷକ ଅବସର ନେଇ ସାରିଥିବାବେଳେ ଜଣେ ବିଜ୍ଞାନ ଶିକ୍ଷକ ଗତ କିଛିବର୍ଷ ତଳେ ମୃତ୍ୟୁବରଣ କରିସାରିଛନ୍ତି । ସେହିପରି ଅନ୍ୟଜଣେ ଆର୍ଟସ ଟିଚର ଅବସର ନେଇ ସାରିଥିବାବେଳେ ଅନ୍ୟଜଣେ ଆର୍ଟସ ଶିକ୍ଷକ ଅଳ୍ପ ଦିନ ଭିତରେ ଅବସର ନେବାକୁ ଯାଉଛନ୍ତି । ସେହିପରି ଜଣେ କିରାଣୀ ଓ ଜଣେ ପିଅନ ଅବସର ନେଇ ସାରିଥିବାବେଳେ ଏବେ ଅଳ୍ପ ଦିନ ଭିତରେ ଆଉ ଜଣେ ପିଅନ ଅବସର ନେବେ । ବିଦ୍ୟାଳୟରେ ମୋଟ ୮ଜଣ ଶିକ୍ଷକ ଶିକ୍ଷାଦାନ କରିବାକୁ ଥିବାବେଳେ ୪ଜଣ ଶିକ୍ଷକରେ କିପରି ଶିକ୍ଷାଦାନ ହେଉଥିବ ତାହା ସହଜରେ ଅନୁମେୟ । ଖାଲି ଏହି ବିଦ୍ୟାଳୟ ନୁହଁ ହଦଗଡ ପଞ୍ଚାୟତ ହାଇସ୍କୁଲରେ ମଧ୍ୟ ସେହି ସମାନ ଅବସ୍ଥା । ସେଠାରେ ପ୍ରଧାନ ଶିକ୍ଷକ ଓ ଦୁଇଜଣ ଆର୍ଟସ ଶିକ୍ଷକ ଅବସର ନେଇ ସାରିଥିବାବେଳେ ଜଣେ ଖେଳ ଶିକ୍ଷକଙ୍କର ପରଲୋକ ହୋଇଯାଇଛି । ଫଳରେ ବିଦ୍ୟାଳୟରେ ଶାରିରୀକ ଶିକ୍ଷା ଦୀର୍ଘବର୍ଷ ହେଲା ବନ୍ଦ ହୋଇଯାଇଥିବାବେଳେ ପାଠ ପଢ଼ାରେ ମଧ୍ୟ ଘୋର ଅସୁବିଧା ଦେଖାଦେଇଛି । କେବଳ ଏହି ବିଦ୍ୟାଳୟ ନୁହଁ ରାଜ୍ୟରେ ୩ହଜାରରୁ ଉର୍ଦ୍ଧ ସ୍କୁଲର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି । ସରକାରୀ ଓ ଟେକନ ଓଭର ସ୍କୁଲକୁ ଗେଷ୍ଟ ଟିଚର ଦିଆଯାଇ ଶିକ୍ଷା ବ୍ୟବସ୍ଥାକୁ ସଜଡା ଯାଉଥିବାବେଳେ ବ୍ଲକଗ୍ରାଣ୍ଟ ସ୍କୁଲ ପ୍ରତି ସରକାରଙ୍କ ଏ ପ୍ରକାର ବୈମାତୃକ ମନୋଭାବ କାହିଁକି ବୋଲି ବ୍ଲକ ଗ୍ରାଣ୍ଟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଯୋଗ କରିଛନ୍ତି । ବ୍ଲକଗ୍ରାଣ୍ଟ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅନ୍ୟ ସରକାରୀ ଓ ଟେନଓଭର ସ୍କୁଲକୁ ଗେଷ୍ଟ ଟିଚର ହୋଇ ଯାଉଥିବାବେଳେ ବ୍ଲକଗ୍ରାଣ୍ଟ ସ୍କୁଲରେ ଗେଷ୍ଟ ଟିଚର ନିଯୁକ୍ତି ଦେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ଲକଗ୍ରାଣ୍ଟ ହାଇସ୍କୁଲରେ ନୁତନ ନିଯୁକ୍ତି ପାଇଁ କୌଣସି ସରକାରୀ ନିୟମ କରାଯାଉ ନଥିବାରୁ ଏହିସବୁ ସ୍କୁଲ ଗୁଡିକ ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି । ଏଣୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସ୍ୱତନ୍ତ୍ର ନୀତି ନିୟମ ପ୍ରଣୟନ କରି ଶିକ୍ଷକ ନିଯୁକ୍ତି ପ୍ରଦାନ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି । ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ ବ୍ଲକ ଗ୍ରାଣ୍ଟ ସ୍କୁଲର ସମସ୍ୟାକୁ ସ୍ୱୀକାର କରିବା ସହ ଏ ବାବଦରେ ସରକାରଙ୍କ କୌଣସି ନିୟମ ନଥିବାରୁ ଆମେ ନିରୁପାୟ ବୋଲି କହିଥିଲେ । ଏ ସମ୍ପର୍କରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଏନେଇ ବିଧାନସଭାରେ ଆଲୋଚନା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ