ସରକାରଙ୍କ ପ୍ରଥମ ୫୦ ଦିନର ରିପୋର୍ଟ କାର୍ଡ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର

(ଯୁଗାବ୍ଦ ନ୍ୟୁଜ) ,କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଭାବ ବିନିମୟ କରିବା ସହ ସରକାରଙ୍କ ପ୍ରଥମ ୫୦ ଦିନର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ଏହି ସରକାର ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ କଠିନ ପରିଶ୍ରମ କରିବା ସହ ସଫଳତାର ସହ କାର୍ଯ୍ୟ କରୁଛନ୍ତି । ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ଲକ୍ଷ୍ୟ କାର୍ଯ୍ୟକାରୀ କରିବା ପାଇଁ ଭରପୂର ପ୍ରୟାସ କରାଯାଉଛି । ସଂସ୍କାର ପ୍ରକ୍ରିୟା, ସମସ୍ତଙ୍କ ପାଇଁ ବିକାଶ ଓ ନ୍ୟାୟ ହେଉଛି ସରକାରଙ୍କ ପ୍ରାଥମିକତା । କୃଷକ, ସୈନିକ, ଯୁବବର୍ଗ, ଶ୍ରମିକ, ବ୍ୟବସାୟୀ, ଗବେଷଣା, ପଡୋଶୀ ରାଷ୍ଟ୍ର ସହ ଉତମ ସମ୍ପର୍କ, ନିବେଶ, ଭିତିଭୂମିର ବିକାଶ, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ସାମାଜିକ ନ୍ୟାୟ ଆଦି ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସବୁ କୃଷକମାନଙ୍କୁ ଏବେ ୬୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଉଛି । ଅନେକ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇ ଗୁଣା ବୃଦ୍ଧି କରାଯାଇଛି । କେତେକ କ୍ଷେତ୍ରରେ ୨୦୧୪ ମୂଲ୍ୟ ତୁଳନାରେ ୩ ଗୁଣା କରାଯାଇଛି । ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ ଗଠନ କରାଯାଇଛି । ଶ୍ରମ ଆଇନରେ ପରିବର୍ତନ କରାଯିବା ଦ୍ୱାରା ମଜୁରି ଏବଂ ଶ୍ରମ ସୁରକ୍ଷା ମାଧ୍ୟମରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ୪୦ କୋଟି ବ୍ୟକ୍ତି ଲାଭବାନ ହେବେ । ପ୍ରଥମ ଥର ପାଇଁ ବ୍ୟବସାୟୀ ମାନଙ୍କୁ ପେନସନ ପ୍ରଦାନ କରାଯାଉଛି । ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାମାନଙ୍କ ପାଇଁ ଇଏସଆଇ ଯୋଗଦାନ ପରିମାଣ ହ୍ରାସ କରାଯାଇଥିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ । ଦେଶରେ ନିବେଶ ବୃଦ୍ଧି କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଉଲ୍ଲେଖ କରିଥିଲେ । ରାଷ୍ଟ୍ରାୟତ ବ୍ୟାଙ୍କ (ପିଏସବି) ଗୁଡ଼ିକର ପୁନଃପୁଞ୍ଜିଯୋଗାଣ ଲାଗି ୭୦,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଭାରତ ୫ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଗତି କରୁଛି । ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ଏକ ପୃଥକ ଟେଲିଭିଜନ ଚ୍ୟାନେଲ ଖୁବଶୀଘ୍ର ଆରମ୍ଭ କରାଯିବ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଅଧିକାରୀମାନଙ୍କ ପାଇଁ ଅଣ କାର୍ଯ୍ୟକ୍ଷମ ଆର୍ଥିକ ଉନ୍ନୟନ ବ୍ୟବସ୍ଥା ଲାଗୁ କରାଯାଇଛି । ସେ କହିଥିଲେ ଯେ ଭିତିଭୂମି ବିକାଶ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ଜଳ ସମ୍ପର୍କିତ ସମସ୍ୟାର ବ୍ୟାପକ ସମାଧାନ ପାଇଁ ସରକାର ଲକ୍ଷ୍ୟବଦ୍ଧ କାର୍ଯ୍ୟ କରୁଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ଜଳ ଶକ୍ତି ମନ୍ତ୍ରଣାଳୟର ଗଠନ ଏହାର ଉଦାହରଣ ବୋଲି ସେ କହିଥିଲେ ।
ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ପ୍ରଭାବ ହ୍ରାସ ନେଇ ସରକାର ଗ୍ରହଣ କରିଥିବା ସଫଳ ପଦକ୍ଷେପ ସମ୍ବନ୍ଧରେ ସେ ଉଲ୍ଲେଖ କରିଥିଲେ । ମାଳଦ୍ୱୀପ ଓ ଶ୍ରୀଲଙ୍କାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଗୁରୁତ୍ୱ ସମ୍ପର୍କରେ ସେ କହିଲେ ଯେ ବିମ୍ସଟେକ ଓ ଜି-୨୦ ଜରିଆରେ ଭାରତ ବିଶ୍ୱନେତା ଭାବେ ଉଭା ହୋଇଛି । ଚନ୍ଦ୍ରୟାନର ସଫଳ ଉତକ୍ଷେପଣ ଏବଂ ୨୦୨୨ରେ ମହାକାଶକୁ ଭାରତର ମାନବ ଅଭିଯାନ ନେଇ ଶ୍ରୀ ଜାଭଡ଼େକର ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ । ଅମଲାତନ୍ତ୍ରରୁ ଦୁର୍ନୀତି ହଟାଇବା ପାଇଁ ଗ୍ରହଣ କରାଯାଇଥିବା କଠୋର ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆର୍ଥିକ ଠକାମି ଯୋଜନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଆଇନ ଅଣାଯାଇଛି । ପୋକ୍ସୋ ଆଇନରେ ସଂଶୋଧନ ଆଣି ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ କରିବା ନେଇ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ଜାଭଡେକର ପ୍ରକାଶ କରିଥିଲେ । ଦେଶରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ ଏବଂ ଏ ନେଇ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଗୁଣାତ୍ମକତା ସୁନିଶ୍ଚିତ କରାଯାଉଥିବା ସେ କହିଥିଲେ । ମନ୍ତ୍ରୀ କହିଥିଲେ ଯେ ଭାରତକୁ ୫ ଟ୍ରିଲିଅନ ଡଲାର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଆଉ କେବଳ ଏକ ସ୍ୱପ୍ନ ହୋଇ ରହିନାହିଁ ବରଂ ଏହାକୁ ହାସଲ କରିବା ପାଇଁ ଏହି ୫୦ ଦିନ ମଧ୍ୟରେ ଏକ କାର୍ଯ୍ୟଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ