ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରାଥମିକ ଶିକ୍ଷକ ସଂଘର ବିରୋଧ
ଭୁବନେଶ୍ୱର, : ଓଡ଼ିଶା ସରକାର ଛାତ୍ରଛାତ୍ରୀ କମ୍ ଆଳ ଦେଖାଇ ୧୪୩୭୯ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ନିଷ୍ପତ୍ତିକୁ ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତୀବ୍ର ବିରୋଧ କରିଛି । ସରକାର ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ପାଇଁ ଯେଉଁ ଯୁକ୍ତି ବାଢିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ ଅଟେ । ଓଡ଼ିଶାରେ ଭୌଗୋଳିକ ପରିସ୍ଥିତି ସବୁ ଜିଲ୍ଲା, ବ୍ଲକରେ ସମାନ ନୁହେଁ । ଆଦିବାସୀ, ହରିଜନ ଓ ପଛୁଆବର୍ଗ ଅଞ୍ଚଳରେ କମ୍ ଜନବସତି ଯୋଗୁଁ ବିଦ୍ୟାଳୟରେ ୨୦ ଜଣ ଛାତ୍ରଛାତ୍ରୀ ହେବେ ନାହିଁ । ପିଲାସଂଖ୍ୟା ଦୃଷ୍ଟିରୁ ଆଜି ବି ଓଡ଼ିଶାରେ ନୂଆ ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ରହିଛି । ସମସ୍ତ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବାରୁ ଓହରିବାକୁ ସରକାର ଚେଷ୍ଟା କରୁଛନ୍ତି । ଶିକ୍ଷା ଅଧିକାର ଆଇନ୍କୁୁ ସରକାର ଖୋଲାଖୋଲି ଉଲଘଂନ କରୁଛନ୍ତି । ଶିକ୍ଷା ଅଧିକାର ଆଇନ୍ରେ ସମସ୍ତ ଜନବସତି ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଯେଉଁ ଆଇନ୍ ରହିଛି ସରକାର ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଶିକ୍ଷା ବଜେଟ ହ୍ରାସ କରି ନିଜ ଦାୟିତ୍ୱରୁ ଓହରିଯିବାକୁ ସରକାର ଚେଷ୍ଟା କରୁଛନ୍ତି । ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରି ଶିକ୍ଷକ ପଦବୀ ଉଚ୍ଛେଦ କରିବାକୁ ଚେଷ୍ଟା କରୁଛନ୍ତି । ଶିକ୍ଷା ପାଇଁ ସରକାର ଟଙ୍କା ଖର୍ଚ୍ଚ ନ କରି ଶିକ୍ଷାକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଘରୋଇକରଣ କରିବା ପାଇଁ ସରକାର ଚେଷ୍ଟା କରିଛନ୍ତି । ଶିକ୍ଷା ପିଲାମାନଙ୍କର ମୌଳିକ ଅଧିକାର ହୋଇଥିବା ବେଳେ କାହା ସ୍ୱାର୍ଥରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହେଉଛି ବୋଲି ସଂଘ ସରକାରଙ୍କୁ ପ୍ରଶ୍ନ କରିଛି । ପିଲାସଂଖ୍ୟା ଆଳରେ ବିଦ୍ୟାଳୟଗୁଡ଼ିକ ବନ୍ଦ କଲେ ଓଡ଼ିଶାରେ ଡ୍ରପ ଆଉଟ ସଂଖ୍ୟା ପୁଣି ବୃଦ୍ଧି ହେବ ସମସ୍ତଙ୍କ ପାଇଁ ଶିକ୍ଷା ପିଲାମାନଙ୍କ ଠାରୁ ଅପହଞ୍ଚ ହୋଇଯିବ । ସରକାର ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ନକରନ୍ତି ତେବେ ସଂଘ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ପ୍ରବୀଣ କୁମାର ଦାସ, ସୁଦାମ ବେହେରା, ଟୁଲୁ ଦେଇ, ସୁଧାଂଶୁ ଶେଖର ମଣ୍ଡଳ, ସବୀର ଅଲ୍ଲୀ ଖାନ ପ୍ରମୁଖ ଚେତାବନୀ ଦେଇଛନ୍ତି ।