ସରକାରଙ୍କ ମାଳ ମାଳ ଯୋଜନା, ହେଲେ ମିଳୁନି ସରକାରୀ ସହାୟତା ସାତ ସପନ

ହାଟଡିହ, (ବିକାଶ ବିଶ୍ୱାଳ):ଗରିବଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା, ହେଲେ ସବୁ ଯୋଜନା ଯେପରି ଫେଲ ମାରିଛି ଏହି ମହିଳାଙ୍କ ପାଇଁ । ନିଜ ଆଖିରେ ନଦେଖିଲେ କେହି ବିଶ୍ୱାସ କରିପାରିବେନି ମହିଳାଙ୍କ କଷ୍ଟ । ତିନିବର୍ଷ ହେଲା ସ୍ୱାମୀ ଚାଲିଗଲେ, ପୁଅ ବାହାରେ ରହିଛି ଯେ ୧୦ବର୍ଷ ହେଲା ଘରକୁ ଆସୁନି, ଘର ଭାଙ୍ଗି ମାଟିରେ ମିଶିବାକୁ ବସିଛି, ଚାଷଜମି ମଧ୍ୟ ନାହିଁ, ଏପରି ଅବସ୍ଥାରେ ଅତି ଦୟନୀୟ ଅବସ୍ତାରେ କାଳାତିପାତ କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ବିଧବା ମହିଳା ଜାନକୀ ରଣା । ଦୁଇଝିଅ, ଗୋଟିଏ ପୁଅ ଓ ସ୍ୱାମୀଙ୍କୁ ନେଇ ତାଙ୍କର ପରିବାର । ଦୁଇ ଝିଅଙ୍କୁ ବିବାହ କରାଇଦେବା ପରେ ପୁଅ ବିଦେଶ ଚାଲିଗଲା କାମଧନ୍ଦା କରିବା ପାଇଁ । ସ୍ୱାମୀ ଜଟାଧାରୀ ଗତ କରୋନା ସମୟରେ ଆର ପାରିକୁ ଚାଲିଗଲେ । ବାପାର ମୃତୁ୍ୟ ଖବର ପାଇବି ପୁଅ ଆସିଲାନି । ଗାଁ ଲୋକଙ୍କ ସହଯୋଗରେ ଶବ ସକ୍ରାର ସହିତ ଶୁଦ୍ଧିକ୍ରୀୟା ହେଲା । ଘରେ ଖାଇବାକୁ ଗଣ୍ଡେ ନାହିଁ । ସରକାରଙ୍କ ତରଫରୁ ମିଳୁଥିବା ରେସନ ଚାଉଳ ହିଁ ତାଙ୍କର ସାହା ଭରଷା । ପ୍ରତିଦିନ ଗାଁ ବୁଲି ଯାହା ମାଗିକରି ଆଣୁଛନ୍ତି ସେଇଥିରେ ତେଲ ଲୁଣ ଟିକିଏ କିଣି ରୋଷେଇ କରି ଖାଉଛନ୍ତି । ଏପରିକି ଅଧାଦିନ ଉପବାସରେ ଦିନ କାଟୁଛନ୍ତି ଜାନକୀ । ସେମାନେ ରହୁଥିବା ମାଟିଘରଟି ଅର୍ଥାଭାବରୁ ଛପର କରିନପାରିବାରୁ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । ଭଙ୍ଗା ବାରଣ୍ଡାରେ ଗୋଟିଏ ମସୁରି ଟାଙ୍ଗି ଦିନ ରାତି ବିତାଉଛନ୍ତି ବିଧବା ଜାନକୀ । କେତେବେଳେ ଯେ ଘରର କାନ୍ଥ ତାଙ୍କ ଉପରେ ନପଡିବ ତାହା କହି ହେବ ନାହିଁ । ସେହିପରି ବିଧବା ଭତ୍ତା ପାଇଁ ଆବେଦନ କରିଥିଲେବି ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ପାଇ ପାରିନାହାନ୍ତି । ବହୁ ଦୁଖଃକଷ୍ଟରେ କାଳାତିପାତ କରୁଥିବା ଜାନକୀଙ୍କୁ ତୁରନ୍ତ ବିଧବା ଭତ୍ତା ଖଣ୍ଡିଏ ସହିତ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏନେଇ ତଦନ୍ତ କରାଯାଇ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ କହିଛନ୍ତିଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ