ସରକାରଙ୍କ ୫ବର୍ଷ କାର୍ଯ୍ୟ ଅବଧିର ଅନ୍ତିମ ଦିଶା ବୈଠକ, ଜିଲ୍ଲା ପ୍ରଗତିର କାର୍ଡ ପ୍ରଦର୍ଶନ କଲେ ଅଧିକାରୀ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନ୍ନୟନ ସଂଯୋଜନ ଓ ତଦାରଖ କମିଟି(ଦିଶା) ଦ୍ୱିତୀୟ ତ୍ରୟୋମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ତାଙ୍କ ରାଜନୈତିକ ଜୀବନର ପାଞ୍ଚ ବର୍ଷର ଅଭିଜ୍ଞତା, ଉପଲବଧି ଏବଂ ସଫଳତା ବର୍ଣ୍ଣନା ସହ ଏହା ତାଙ୍କ ପ୍ରଥମ ପାଞ୍ଚ ବର୍ଷ କାର୍ଯ୍ୟକାଳର ଶେଷ ଦିଶା ବୈଠକ ବୋଲି କହିଥିଲେ । ବିଶେଷ ଭାବେ ବିଭିନ୍ନ ସମୟରେ ଜନସାଧାରଣ ତାଙ୍କର ସମସ୍ୟା ସଂପର୍କରେ ଅବଗତ କରିବା ତାଙ୍କର ଅଧିକାର ଏବଂ ସେହି ସମସ୍ୟାର ସମାଧାନ କରିବା ରାଜନେତାଙ୍କ କର୍ତ୍ତବ୍ୟ ବୋଲି କହି କେତୋଟି ମର୍ମସ୍ପର୍ଶୀ ଉଦାହରଣ ଦେବା ସହ ସଂସଦରେ ଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହେବା ଯାଏଁ ଯେଉଁ ଲମ୍ବା ରାସ୍ତା ସେ ଅତିକ୍ରମ କରିଛନ୍ତି ସେଥିରେ ସେ କେବଳ ୫ ପ୍ରତିଶତ ଶିଖିପାରିଛନ୍ତି ବୋଲି କହିଥିଲେ । ଦେଶର ଡାକ୍ତରଖାନାମାନଙ୍କରେ ପ୍ରସୂତି ପାଇଁ ଭର୍ତ୍ତି ହୋଇଥିବା ମାଆମାନଙ୍କୁ ଅସ୍ତ୍ରୋପଚାର ଯୋଗେ ସନ୍ତାନ ପ୍ରସବ କରାଇବା ୮୦୦ ପ୍ରତିଶତ ବୃଦ୍ଧି ପାଇବା ଉଦବେଗଜନକ ସ୍ଥିତିରେ ପହଞ୍ଚିବା ହୃଦୟଙ୍ଗମ କରିବା ପରେ ଏ ନେଇ ସେ ସଂସଦରେ ଯେଉଁ ପ୍ରଶ୍ନ ଉତଥାପନ କରିଥିଲେ । ତାର ଗୁରୁତ୍ୱ ଉପଲବଧି କରି ସରକାର ଏ ଦିଗରେ ବିଶେଷ ଯତ୍ନବାନ ହେବା ଏବଂ ଏହି କାର୍ଯ୍ୟଧାରାରେ ଅଙ୍କୁଶ ଲଗାଇବା ପାଇଁ ନିର୍ଦ୍ଦେଶିକା ଜାରୀ କରିବା ତାଙ୍କୁ ବିଶେଷ ଆତ୍ମ ସନ୍ତୋଷ ଦେଇଥିବା ପ୍ରକାଶ କରିଥିଲେ । ଦ୍ୱିତୀୟରେ ବଜ୍ରପାତର ପୂର୍ବାନୁମାନ କରି ଲୋକଙ୍କୁ ସତର୍କ କରାଇବା ପାଇଁ ସେ ସଂସଦର ଦୃଷ୍ଟି ଆକର୍ଷଣ କରି ଏ ଦିଗରେ ବି ଆଖିଦୃଶିଆ ସଫଳତା ପାଇଥିବା ତାଙ୍କୁ ସବୁଦିନ ମନେ ରହିବ ବୋଲି କହିଥିଲେ । ପରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଗତ ପାଞ୍ଚ ବର୍ଷରେ ନିଜ ସଫଳତା ପଛରେ ସାଂସଦଙ୍କ ସହଯୋଗ ବିଶେଷ କରି ଜଳେଶ୍ୱରଠାରେ ଦୁଇଟି ରୋଡ ଓଭରବ୍ରିଜ ନିର୍ମାଣ ଜିଲ୍ଲାର ବିକାଶ ଚିତ୍ରକୁ ସୁଦୃଢ କରିଥିବା ସେ ପ୍ରକାଶ କରିଥିଲେ । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କେତେକ ଅଧାପନ୍ତରିଆ ବିକାଶ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଦିଶା ବୈଠକ ନିୟମିତ ବ୍ୟବଧାନରେ ଆୟୋଜିତ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଖସଡାକୁ ରୂପାୟନ କରିବା ଦିଗରେ ବିଶେଷ ଭୂମିକା ନେଇଥିବାରୁ ସେ ସାଂସଦଙ୍କୁ ପ୍ରଶଂସା କରିବା ସହ ସମର୍ଥନ ଜଣାଇଥିଲେ । କୃଷି ଓ କୃଷକଙ୍କ ସମସ୍ୟାର କଥା ଉଠାଇ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଡ୍ରେନେଜ ଡିଭିଜନର ତତ୍ପରତା ପାଇଁ ବାଲେଶ୍ୱର ଜିଲ୍ଲାର ଚାଷୀକୁଳ ବନ୍ୟା ସମୟରେ ବିଶେଷ କ୍ଷୟକ୍ଷତିର ସମ୍ମୁଖୀନ ହେଉ ନ ଥିବା ଦର୍ଶାଇ ସରକାରୀ ଅଧିକାରୀମାନଙ୍କ ଏଥିରେ ଦକ୍ଷତାପୂର୍ଣ୍ଣ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ସେ ପେଜଗଳା ପୋଲ ଏବଂ ବ୍ରିଟିଶ୍ କାଳର ୫ଟି ପୋଲର ପୁନରୁଦ୍ଧାର କାର୍ଯ୍ୟର ଉଦାହରଣ ଦେଇଥିଲେ । ପରେ ଅଧିକାରୀମାନେ ତାଙ୍କ ବିଭାଗର କାର୍ଯ୍ୟାବଳୀର ଚିତ୍ର ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ପୂର୍ତ ୧ ଓ ୨ ଡିଭିଜନର ନିର୍ବାହୀ ଯନ୍ତ୍ରୀ, ନେସକୋ ଅଧୀକ୍ଷଣ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ, ଉପଜିଲ୍ଲାପାଳ ବାଲେଶ୍ୱର ଓ ନୀଳଗିରି ଓ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ରହିଛନ୍ତି । ଏହି ବୈଠକରେ ଜିଲ୍ଲାପାଳରମେଶ ଚନ୍ଦ୍ର ରାଉତ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପିଡି ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ବାଲେଶ୍ୱର ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ନୀଳଗିରି ବିଶାଲ ସିଂହ ସମସ୍ତ ନିମନ୍ତ୍ରିତ ବ୍ଲକ ଅଧ୍ୟକ୍ଷ-ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟସଦସ୍ୟା ଲାଇନ୍ ଡିପାର୍ଟମେଂଟ ଅଧିକାରୀଗଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ