ସରକାରଙ୍କ ୫ ଟି ପ୍ରହସନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ହିତାଧିକାରୀଙ୍କ ନାମ ପଂଚାୟତ କାର୍ଯ୍ୟାଳୟରେ ଲଗାଇବା ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗକୁ ମାସେ ପୁରିଯାଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ନହେବାରୁ ସରକାରଙ୍କ ୫-ଟି କେବଳ ପ୍ରହସନ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଗତ ମେ ମାସରେ ୨୩ ତାରିଖରେ ଫନି ବାତ୍ୟା ହୋଇଥିଲା । ଏହାକୁ ପାଖାପାଖି ୭ ମାସ ପୁରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନାଉଗାଁ ବ୍ଳକରେ ଫନିରେ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ସରକାରୀ ସାହାର୍ଯ୍ୟ ମିଳି ପାରିନାହିଁ । ଅନେକ ଲୋକ ଭଙ୍ଗା ଘରେ ପଡିଥିବା ବେଳେ ଗୃହପାଳିତ ପଶୁ ମଧ୍ୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହୋଉଛନ୍ତି । ଫନି ବାତ୍ୟା ହେବା ପରେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ ପାଇଁ ପ୍ରତି ବ୍ଳକ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଅନୁସାରେ ଉକ୍ତ ବ୍ଳକର ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ଭାଙ୍ଗି ଯାଇଥିବା ବାସଗୃହ ଓ ଗୁହାଳ ଆଦିର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି । ସେହିପରି ଉକ୍ତ ସମୟରେ ଚାଷ କରାଯାଇଥିବା ଡାଳୁଅ ଧାନ ଓ ମୁଗ,ବିରି ଫସଲ ନଷ୍ଟ ହୋଇଥିବା ଚାଷୀଙ୍କର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।ଏହା ୭ମାସ ବିତି ଯାଇଥିଲେ ମଧ୍ୟ ଉକ୍ତ ବ୍ଳକର ୧୬ଟି ପଂଚାୟତରେ ହୋଇଥିବା କ୍ଷୟକ୍ଷତିର ଏପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ପାରିନାହିଁ । ତହସିଲ କାର୍ଯ୍ୟାଳୟର ତଥ୍ୟ ମୁତାବକ ୨ହଜାର ୮ଶହ ୨୪ଜଣ ହିତାଧିକାରୀଙ୍କର ଘରଭଙ୍ଗା ପ୍ରଦାନ କରାଯିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇଥିବା ଲୋକମାନେ ତାହା ପାଇ ନଥିବା ଜଣାଯାଇଛି । ଯାହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଗତ ମାସ ୧୧ ନଭେମ୍ବରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପ୍ରତି ପଂଚାୟତ କାର୍ଯ୍ୟାଳୟର ନୋଟିସ ବୋର୍ଡରେ ଫନି ତାଲିକା ଲଗାଗଲେ ପଂଚାୟତରେ କିଏ ପ୍ରକୃତ ହିତାଧିକାରୀ ତାହା ଜଣାପଡିବ । ଅଭିଯୋଗ ପରେ ଜିଲ୍ଲାପାଳ ତହସିଲଦାରଙ୍କୁ ତାଲିକା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପାଖାପାଖି ୧ ମାସ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଲିକା ଲଗାଯାଉନାହିଁ । ସେହିପରି ଏବିଷୟରେ ପୁନର୍ବାର ଜିଲ୍ଲାପାଳଙ୍କୁ ଡିସେମ୍ବର ମାସ ୨ ତାରିଖରେ ମୌଖିକ ଭାବେ ମଧ୍ୟ ଜଣାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଉକ୍ତ ତାଲିକା ଲଗାଯାଉନାହିଁ । ଆହୁରି ମଧ୍ୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଫନି କ୍ଷୟକ୍ଷତିି ପାଇବା ପାଇଁ ଯଦି ପାଖାପାଖି ୩ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ତେବେ କାହିଁକିି ଉକ୍ତ ରିପୋର୍ଟକୁ ସର୍ବସଧାରଣରେ ପ୍ରକାଶ ପାଇଁ ପଂଚାୟତ କାର୍ଯ୍ୟାଳୟରେ ଲଗାଯାଉ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏ ସଂର୍ପକରେ ନାଉଗାଁ ତହସିଲଦାର ଜେ. କଳ୍ପନାଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।