ସରକାରୀ ଅନୁଦାନ ହଡପ ଘଟଣା…

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ସୁଲଣ ଓ ସୋସୋ ପଞ୍ଚ।ୟତରେ ସରକାରୀ ଅନୁଦାନ ହଡପ ଘଟଣାରେ ପିଇଓ ବ୍ୟାସଦେବ ନାଏକଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିବାପରେ ଉଭୟ ପଂଚାୟତର ସରପଞ୍ଚ ଓ ପିଇଓଙ୍କ ନାମରେ ଥାନାରେ ଏଫଆଇଆର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ନିର୍ଦ୍ଦେଶକୁ ତିନିଦିନ ବିତି ଯାଇଥିଲେବି ଆଜି ପର‌୍ୟ୍ୟନ୍ତ ବ୍ଲକ ପକ୍ଷରୁ ଏନେଇ କୌଣସି ଅଭିଯୋଗ କରାଯାଇ ନଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପିଇଓ ବ୍ୟାସଦେବ ନାଏକ ସୋସୋ ଓ ସୁଲଣ ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ଉଭୟ ପଞ୍ଚାୟତର ସରପଞ୍ଚ ମାନଙ୍କ ସହ ମିଶି ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସରକାରୀ ଅନୁଦାନକୁ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା । ସୁଲଣ ପଞ୍ଚାୟତରେ ୨୦୧୭/୧୮ ରେ ପଞ୍ଚାୟତକୁ ମିଳିଥିବା ୨୩ଲକ୍ଷ ୩୨ହଜାର ଟଙ୍କାକୁ ଖର୍ଚ୍ଚ କରାଯାଇଥିବା ଦର୍ଶାଇଥିଲେବି ତାହାର କୌଣସି ହିସାବପତ୍ର ନଥିବାବେଳେ ୨୦୧୮/୧୯ରେ ଆସିଥିବା ୨୬ଲକ୍ଷ ୨୬ହଜାର ଟଙ୍କାର ଅନୁଦାନକୁ ହେରଫେର କରାଯାଇଛି । ସେହିପରି ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ପିଇଓ ସରପଞ୍ଚଙ୍କ ସହ ମିଶି କଳ୍ୟାଣ ମଣ୍ଡପ ନିର୍ମାଣ ନକରି ସେହି ଟଙ୍କାକୁ ଉଠାଇ ନେଇଛନ୍ତି । ସେହିପରି ପଞ୍ଚାୟତକୁ ପୁରସ୍କାର ପାଇଁ ଆସିଥିବା ୩ଲକ୍ଷ ଟଙ୍କାର ମଧ୍ୟ କୌଣସି ହିସାବ ନାହିଁ ବୋଲି ୱାର୍ଡସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ସେହିପରି ସୋସୋ ପଞ୍ଚାୟତରେ ୨୬ଲକ୍ଷରୁ ଉର୍ଦ୍ଧ ଟଙ୍କାର ହିସାବପତ୍ର ମିଳୁନଥିବାବେଳେ ଅଧିକାଶଂ କାର୍ଯ୍ୟର ପେମେଣ୍ଟ ହୋଇନଥିଲେ ମଧ୍ୟ ପଞ୍ଚାୟତରେ ଟଙ୍କା ଜମା ନାହିଁ । ୨୦୧୯/୨୦ପାଇଁ ଆସିଥିବା ଅନୁଦାନ ଟଙ୍କାରୁ ମଧ୍ୟ ବେନିୟମ ଭାବେ ଟଙ୍କା ଉଠାଣ କରିନେଇଥିଲେ । ଏହାକୁନେଇ ସୋସୋ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ମାନେ ମିଶି ଦୀର୍ଘଦିନ ଧରି ଧାରଣାରେ ବସିବା ସହିତ ସୁଲଣ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ମାନେ ବାରମ୍ବାର ବିଡିଓ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲକ୍ଷଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତାକୁ ନେଇ ପିଇଓଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିବାବେଳେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଚିଠିନଂ ୧୭୫୧ ଓ ୧୭୫୩ ତା ୨୯/୧୧/୨୦୧୯ରେ ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇ ଓ ସୋସୋ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାଇକଙ୍କ ସହିତ ପିଇଓ ବ୍ୟାସଦେବ ନାଏକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବାପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଚିଠି ଆସିବାର ୪ଦିନ ବିତିଯାଇଥିଲେବି ଆଜି ପର‌୍ୟ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏ ସମ୍ପର୍କରେ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ପଚାରିବାରେ ସେ ଜିପିଓଙ୍କୁ ଏଫ.ଆଇ.ଆର ଦେବାକୁ କହିଛନ୍ତି ବୋଲି ସୁଚନା ଦେଇଛନ୍ତି । ଏ ସମ୍ପର୍କରେ ଜିପିଓଙ୍କୁ ପଚାରିବାରେ ସେ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଛି ତେଣୁ ବିଡିଓ ଏଫ.ଆଇ.ଆର ଦେବେ ବୋଲି କହୁଛନ୍ତି । ଏହାକୁ ନେଇ ଦ୍ୱନ୍ଦ ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ