ସରକାରୀ ଅନୁମତି ସତ୍ତ୍ୱେ ଗଜପତିରେ ଗଡିଲାନି ବସ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସରକାରୀ ଅନୁମତି ଓ ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଗଜପତି ଜିଲ୍ଲାରେ କୌଣସି ଘରୋଇ ବସ୍ ଗଡି ନ ଥିବା ଜଣାପଡିଛି । ସବୁ ରାସ୍ତାରେ ବସ୍ ଚାଲିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା ପରେ ମଧ୍ୟ ଏହି ଘରୋଇ ବସ୍ ଗୁଡିକ ବର୍ତ୍ତମାନ ସୁଦ୍ଧା ଚାଲି ନ ଥିବା ଯୋଗୁଁ ଗଜପତିବାସୀ ବସ୍ ନ ଚାଲିବା କାରଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଏ ନେଇ ଗଜପତି ଜିଲ୍ଲା ବସ୍ ମାଲିକ ସଂଘର ତିରୁପତି ସାହୁକାର,ବୁଜି ରାଜୁ,ଆଇ.ଭେଙ୍କଟ ରାବଣା,କେ.ଗୋପାଳ କ୍ରୀଷ୍ଣା ପ୍ରମୁଖଙ୍କୁ ପଚାରିବାରେ କହିଛନ୍ତି,ସରକାରୀ ଅନୁମତି ଓ ପ୍ରଶାସନର ନିର୍ଦ୍ଦେଶକୁ ଆମେ କେବେ ବି ଅମାନ୍ୟ କରିନାହୁଁ । ଗଜପତି ଜିଲ୍ଲାରେ ମୋଟ ୧୦୦ଗୋଟି ବସ୍ ରହିଥିବା ବେଳେ ସେଥିରୁ ପୋଡଶୀ ଆନ୍ଧ୍ର ରାଜ୍ୟର ଲାସା,ବିଜୟନଗର,ଶ୍ରୀକୀକୁଲମ ଓ ଆନ୍ଧ୍ର ଦେଇ ବ୍ରହ୍ମପୁରକୁ ୨୦ଗୋଟି ବସ୍ ଯାତାୟତ କରେ । ଅନ୍ୟ ୮୦ ଗୋଟି ବସ୍ ମୋହନା,କାଶୀନଗର,ଆର.ଉଦୟଗିରି, ଗୁଣପୁର,ରାୟଗଡା ଇତ୍ୟାଦି ଓଡିଶା ସୀମା ମଧ୍ୟରେ ଚଳାଚଳ କରେ । ଲକ୍ଡାଉନ୍ ଯୋଗୁଁ ପ୍ରାୟ ୨ମାସରୁ ଉର୍ଦ୍ଧ୍ୱ ସମୟ ହେବ ଏହି ବସ୍ ଗୁଡିକ ବନ୍ଦ ହୋଇ ପଡି ରହିଛି । ଏଗୁଡିକରେ ବ୍ୟାଟେରି ଡାଉନ୍,ଟାୟର ଖରାପ ଓ ଯାନ୍ତ୍ରୀକ ତୃଟି ଦେଖାଯାଇଛି । ସେହିପରି ଏହି ଘରୋଇ ବସ୍ ଗୁଡିକର କର୍ମଚାରୀମାନେ ନିଜ ନିଜ ଗ୍ରାମକୁ ଲକ୍ଡାଉନ୍ ଯୋଗୁଁ ଚାଲି ଯାଇଥିବା ଯୋଗୁଁ ସେମାନେ ଫେରିବା ପାଇଁ ମଧ୍ୟ କିଛିଟା ସମୟ ଲାଗିବ ବୋଲି ଏହି ଘରୋଇ ବସ୍ ମାଲିକମାନେ ପ୍ରକାଶ କରି କହିଛନ୍ତି,ଆସନ୍ତା ୧ତାରିଖ ସୁଦ୍ଧା ବସ୍ ଚଳାଚଳ ସ୍ୱାଭାବିକ ହେବ ।


