ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ ଶାସନକୁ ବିରୋଧ କରି ବଦଳି ଦାବି କଲେ ଅବିଭାବକ ଓ ଅଞ୍ଚଳବାସୀ
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଵଳ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ଏପରିକି ମଧ୍ୟ।ହ୍ନ ଭୋଜନ ଠାରୁ ଆରମ୍ଭ କରି ବହି, ଖାତା, ଜୋତା, ପୋଷାକ ଯୋଗାଉଛନ୍ତି । ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା । ଯାହାଫଳରେ ପିଲାଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଥିଲା । କିନ୍ତୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଜରିଆରେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ମାସିକ ୬ ଶହ ୧୭ ଟଙ୍କା ଯୋଗାଇଥିଲେ। ସେହି ଟଙ୍କାକୁ ସରକାରୀ ଆଶ୍ରମ ବିଦ୍ୟାଳୟ ଚୁଡଙ୍ଗପୁରର ପ୍ରଧାନ ଶିକ୍ଷୟତ୍ରୀ କୁନି ସେଠୀ ପିଲାଙ୍କୁ ଟଙ୍କା ନ ଦେଇ ନିଜ ପାଖରେ ୬ ମାସ ଧରି ରଖିଥିଲେ । ଯାହାକୁ ନେଇ ବିଦ୍ୟାଳୟର ସହକାରୀ ଶିକ୍ଷକ ଟି.କ୍ରିଷ୍ଣା ରାଓ ବିରୋଧ କରି ଟଙ୍କା ବାଣ୍ଟିବା ପାଇଁ କହିବାରୁ ପ୍ରଧାନ ଶିକ୍ଷୟତ୍ରୀ କୁନି ସେଠୀ ତାଙ୍କୁ ନାଲି ଆଖି ଦେଖାଇ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ବିଦ୍ୟାଳୟ ପରିସରରେ ପାଟିତୁଣ୍ଡ ହେବାର ଶୁଣି ଗ୍ରାମବାସୀ ବିଦ୍ୟାଳୟ ସାମ୍ନାକୁ ଆସି ଦେଖିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେଠୀ ଶ୍ରୀ ରାଓଙ୍କୁ ଗାଳି ଗୁଲଜ କରୁଥିବା ଶୁଣିଥିଲେ ଓ ଦେଖିଥିଲେ । ଏହାପରେ ସହକାରୀ ଶିକ୍ଷକ ଶ୍ରୀ ରାଓଙ୍କୁ ଏକ ଘରେ ରଖି ତାଲା ମଧ୍ୟ ପକାଇ ଦେଇଥିଲେ । ପରେ ଗ୍ରାମବାସୀଙ୍କ ଉଦ୍ୟମରେ ଶ୍ରୀ ରାଓ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ, ବ୍ଲକ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ଵାରସ୍ତ ହୋଇଥିବା ଜଣାଇଛନ୍ତି । ଅପରପକ୍ଷେ ପ୍ରଧାନ ଶିକ୍ଷୟତ୍ରୀ କୁନି ସେଠୀ ୧୨ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ରହି ବିଦ୍ୟାଳୟର ବହୁ ଟଙ୍କା ହେରଫେର କରିଥିବା ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଅସଦ ବ୍ୟବହାର କରୁଥିବାରୁ ବିଦ୍ୟାଳୟରେ ଅନେକ ସମୟ ଅଶାନ୍ତି ଦେଖା ଦେଉଥିବା ଅଞ୍ଚଳବାସୀ କହିଛନ୍ତି । ଯାହାକୁ ଛାତ୍ରଛାତ୍ରୀ ମାନେ ଭୟରେ ନିଜ ବାପା ମା\’ଙ୍କୁ କହିବାକୁ ଡରୁଥିବା ଅବିଭାବକ ମାନେ କହିଛନ୍ତି । ଏହାକୁ ନେଇ ବୁଧବାର ଦିନ କିଛି ଅବିଭାବକ, ସମିତି ସଭ୍ୟ ମାନେ ବିଦ୍ୟାଳୟକୁ ଆସିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ କୁନି ସେଠୀ ବିଦ୍ୟାଳୟ ଛାଡି କେଉଁ ଆଡେ ଚାଲିଯାଇଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ଲକ ମଙ୍ଗଳ ଅଧିକାରୀଙ୍କ ନିକଟକୁ ଯାଇଛନ୍ତି । ହେଲେ ବ୍ଲକ ମଙ୍ଗଳ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ବୁଧବାର ଦିନ ପହଞ୍ଚି ମୋ କାର୍ୟ୍ୟାଳୟକୁ କେହି ଆସି ନଥିବା କହିଛନ୍ତି । ତୁରନ୍ତ ଉକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ବଦଳି କରିବା ପାଇଁ ଦାବି କରିଛନ୍ତି ଚୁଡଙ୍ଗପୁର ସରପଞ୍ଚ ସେବତୀ ଗମାଙ୍ଗ, ସମିତି ସଭ୍ୟ ହେମନ୍ତ ଗମାଙ୍ଗ, କେଶରିଗୁଡା ସମିତି ସଭ୍ୟ କାର୍ତ୍ତିକ ଶବର, ଅବିଭାବକ ଗୁରା ଗମାଙ୍ଗ, ସନ୍ତୋଷ ପଣ୍ଡା, କଲ୍ୟା ଶବର, ବାଙ୍କ ରଇତ , ମାଶିଆ ରଇତ ଓ ଅଞ୍ଚଳବାସୀ । ଏହାର ଭିଜିଲାନସ ତଦନ୍ତ କଲେ ପ୍ରଧାନ ଶିକ୍ଷୟତ୍ରୀଙ୍କ କଳାକାରନାମା ପଦାରେ ପଡିବ ବୋଲି ଅଞ୍ଚଳବାସୀ କହିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥଙ୍କୁ ପଚାରିବାରୁ ସେ କହିଛନ୍ତି ଅଳ୍ପଦିନ ମଧ୍ୟରେ ବିଦ୍ୟାଳୟକୁ ଯାଇ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବ ।


