ସରକାରୀ କାର୍ଯ୍ୟରେ ମାଟିବିକ୍ରି ଅଭିଯୋଗ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ପଞ୍ଚାୟତ ବାହାଦୁଲନଗର ଠାରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଯୋଜନାରେ ଚନ୍ଦନେଶ୍ୱର ପୋଖରୀର ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏଥିରେ ଅନେକ ତୃଟି ବିଚ୍ୟୁତି ରହିଥିବା ଗ୍ରାମବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜେସିବି ମେସିନ ସାହାଯ୍ୟରେ ପଙ୍କ ଉଦ୍ଧାର ପାଇଁ ମାଟିଖୋଳାଯାଉଥିଲେ ସୁଦ୍ଧା ସେଗୁଡିକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଖୋଳାଯାଉଥିବା ମାଟିକୁ ପୋଖରୀ ଆଡି ସଂଲଗ୍ନ ସ୍ଥାନରେ ପକାନଯାଇ ସେଗୁଡିକୁ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ଜଣାଯାଇଛି । ଏହା ଦ୍ୱାରା ପୋଖରୀର ଆଡି ସଦୃଢୀକରଣ ହୋଇପାରୁନଥିବାବେଳେ ମାଟି ବିକ୍ରିକରି କାର୍ଯ୍ୟ ଦାୟିତ୍ୱ ନେଇଥିବା ସରପଞ୍ଚ ଲାଭବାନ ହେଉଛନ୍ତି । ତେଣୁ ଏହା ଉପରେ ଦୃଷ୍ଟି ଦେବାକୁ ନିରଞ୍ଜନ ଚନ୍ଦ, ଭାସ୍କର ଜେନା, ଅଭୟ ଚନ୍ଦ,କୁଳମଣୀ ନାୟକ, କାଶିନାଥ ସିଂ, ନରେନ୍ଦ୍ର ଜେନା, ଶ୍ରୀକାନ୍ତ ଜେନା, ଧନେଶ୍ୱର ଜେନା ପ୍ରମୁଖ ଗ୍ରାମବାସୀ ବିଡିଓଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି । ଏହାସହିତ ଜିଲ୍ଲାପାଳ ଓ ପିଡିଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାଯାଇଛି ।