ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ଦାବିକୁ ବିଧାୟକ ସ୍ୱରୂପ ଦାସଙ୍କ ସମର୍ଥନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ‘କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର’ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ଗତ ଏକବର୍ଷ ଧରି ଦାବି କରାଯାଇଆସୁଛି । ରବିବାରଦିନ ପୂର୍ବାହ୍ନରେ ସମିତିର ବୈଠକ ଅନନ୍ତ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଉକ୍ତ ଦାବିକୁ ସମର୍ଥନ ଜଣାଇଥିଲେ । ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରୁଥିବାବେଳେ ବାଲେଶ୍ୱରବାସୀଙ୍କ ଦାବିପ୍ରତି ସୁବିଚାର କରିବେ ବୋଲି ବିଧାୟକ ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ । କୃଷି ବିଭାଗ ମନ୍ତ୍ରୀଙ୍କ ସହ ଏ ସଂପର୍କରେ ଆଲୋଚନା କରିବାକୁ ସେ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ସମିତିର ଆବାହକ ଡ. କେଶବ ଚରଣ ପଣ୍ଡା କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାକୁ ବାଲେଶ୍ୱର ଜିଲ୍ଲା ପରିଷଦ ଓ କେତେକ ବ୍ଲକ୍ ଏବଂ ବିଭିନ୍ନ ସଂଗଠନ ସମର୍ଥନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଆସନ୍ତା ଦୁର୍ଗାପୂଜା ସମୟରେ ଜିଲ୍ଲାର ସମସ୍ତ ମଣ୍ଡପ ନିକଟରେ ବ୍ୟାନାର ଓ ପ୍ରଚାର ପୁସ୍ତିକା ବଣ୍ଟନ କରି କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିପ୍ରତି ଜନସମର୍ଥନ ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଧାସଭାର ଆସନ୍ତା ଶୀତକାଳୀନ ଅଧିବେଶନ ସମୟରେ ସମିତିର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ସଚିବମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।ଉକ୍ତ ବୈଠକରେ ଆଇନଜୀବୀ ନିରଞ୍ଜନ ପରିଡ଼ା, ଭାସ୍କର ଚନ୍ଦ୍ର ପାଢ଼ୀ, ରବିନାରାୟଣ ଭୋଳ, ବିଜୟ କୁମାର ଦାସ, ଭୂପତି କୁମାର ପାତ୍ର, ନିରଞ୍ଜନ ରାଉତ, ଯୋଗେଶ ଚନ୍ଦ୍ର ପ୍ରଧାନ, ହରନାରାୟଣ ମଢ଼ୁଆଳ, ଅନନ୍ତ ପଟ୍ଟନାୟକ, ସୀତାରାମ ପ୍ରଧାନ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ ।