ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ସମିତିର ଜରୁରୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା ଦାବିରେ ଗଠିତ କ୍ରିୟାନୁଷ୍ଠାନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଗଠନର ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଅଫିସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇବର୍ଷ ଧରି ସମିତି ଓ ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦିଆଯାଇଥିବା ଦାବିପତ୍ର ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆସିଥିବା ଚିଠି ଉପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ କେତେକ ସ୍ପଷ୍ଟୀକରଣ ଓ ମତାମତ ମାଗିଥିବା ସଂପର୍କରେ ସଭାପତି ଡ. ପଣ୍ଡା ବୈଠକରେ ଅବଗତ କରାଇଥିଲେ ।ସମିତିର ସଂପାଦକ ଚୌଧୁରୀ ଅଭୟ ଚନ୍ଦ୍ର ମିଶ୍ର ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହି ସର୍ବସମ୍ମତ ପ୍ରସ୍ତାବକୁ ଲିଖିତଭାବେ ଇସ୍ରୋ ଡାଇରେକ୍ଟରଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫକୀରମୋହନ ବିଶ୍ୱ ବିଦ୍ୟାଳୟର ଆସନ୍ତା ଏକାଡେମୀ କାଉନସିଲ୍ ବୈଠକରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ସଂପର୍କରେ ଆଲୋଚନା ପାଇଁ ସମିତି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।ଗତ ଶୁକ୍ରବାର ଦିନ ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ଅନୁମତିକ୍ରମେ ସମିତି ପକ୍ଷରୁ ପ୍ରତିନିଧିମାନେ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକ୍ ଓ ୩୫୪ଟି ପଞ୍ଚାୟତ ସ୍ଥାନୀୟ କମିଟିମାନ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିବା ସଂପର୍କରେ ଉପସ୍ଥିତମାନଙ୍କୁ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଅବଗତ କରାଇଥିଲେ ଓ ସଂଗଠନର ସଭ୍ୟସଂଖ୍ୟା ବୃଦ୍ଧି ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଭୂପତି ଚନ୍ଦ୍ର ପାତ୍ର, ଅନନ୍ତ ଦତ୍ତ, ସୀତାରାମ ପ୍ରଧାନ, ଭାସ୍କର ପାଢ଼ୀ, ଅପର୍ଣ୍ଣା ମହାପାତ୍ର, ସରସ୍ୱତୀ ପଣ୍ଡା, ରବୀନ୍ଦ୍ର ଭୋଳ, ଗୌରାଙ୍ଗ ପାଣିଗ୍ରାହୀ, ଯୋଗେଶ ପ୍ରଧାନ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂଜୁଲତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ