ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆସନ୍ତା ନିର୍ବାଚନ ସମୟରେ ‘ଖୋଲାମଞ୍ଚ’ ପାଇଁ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘଗୃହରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଡ. କେଶବ ଚରଣ ପଣ୍ଡା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଅଭୟ ଚନ୍ଦ୍ର ମିଶ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ରାଜ୍ୟ ସରକାରଙ୍କୁ ବାଲେଶ୍ୱର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରି ଚିଠି ଲେଖିଥିବା ସଂପର୍କରେ ସଭାପତି ଡ. ପଣ୍ଡା ବୈଠକରେ ଜଣାଇଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ଏଥିପାଇଁ ପୂର୍ବରୁ ଅନୁକୂଳ ମତ ପ୍ରଦାନ କରିଛନ୍ତି । ତେଣୁ ଦୁଇ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ମତାମତକୁ ଭିତ୍ତିକରି ରାଜ୍ୟ ସରକାରଙ୍କର କୃଷିବିଭାଗ ସଚିବଙ୍କୁ ସାକ୍ଷାତ କରି ଆଲୋଚନା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଚଳିତ ସାଧାରଣ ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ଜିଲ୍ଲାବାସୀଙ୍କର ଏହି ପ୍ରମୁଖ ଦାବି ଉପରେ ସେମାନଙ୍କର ମତାମତ ରଖିବାପାଇଁ ଆସନ୍ତା ମାସରେ ଏକ ‘ଖୋଲାମଞ୍ଚ’ର ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ମନୋଜ ବେହେରା, ନିରଞ୍ଜନ ପରିଡ଼ା, ସୀତାରାମ ପ୍ରଧାନ, ରବି ନାରାୟଣ ଭୋଳ, ଭାଗୀରଥୀ ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ, ପ୍ରବୋଧ ମହାପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ. କ୍ଷିତୀଶ୍ୱର ଦାଶ, ହରନାରାୟଣ ମଢ଼ୁଆଳ ଓ ରବିକୁମାର ପାଣିଗ୍ରାହୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜତୀନ ପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ