ସରକାରୀ କ୍ୱାର୍ଟର୍ସରୁ ସମସ୍ତ ସୁରକ୍ଷା ଅଧିକାରୀଙ୍କୁ ଫେରାଇଦେଲେ ନରସିଂହ
ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସରକାର ପ୍ରତ୍ୟାହାର କରି ନେଇଥିବାରୁ ଏହାକୁ ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଶ୍ରୀ ମିଶ୍ର ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇଜଣ ସଶସ୍ତ୍ର ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱମୁକ୍ତ କରି ଫେରାଇଦେଇଛନ୍ତି । ଏ ନେଇ ସେ ପୁଲିସ କମିସନରଙ୍କୁ ଚିଠି ଲେଖି ଜଣାଇବା ସହ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଅବଗତି ନିମନ୍ତେ ଚିଠିର ନକଲ ପଠାଇଛନ୍ତି । କୌଣସି ପ୍ରାକ୍ ସୂଚନା ନ ଦେଇ ସରକାର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରତ୍ୟାହାର କରିବା ନେଇ ବିଧାନସଭାରେ ଶ୍ରୀ ମିଶ୍ର ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରି ବି କହିଥିଲେ, ସେ ଆଉ ସରକାରଙ୍କ ଦୟା ଓ କରୁଣାକୁ ଆଶା ରଖିନାହାନ୍ତି । ତାଙ୍କ ବାସଭବନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ଅଧିକାରୀଙ୍କୁ ବି ସେ ଫେରାଇଦେବେ ବୋଲି ଗୃହରେ କହିଥିଲେ ।