ସରକାରୀ ଚିଠିକୁ ଗ୍ରାମୀଣସ୍ତରରେ କଡ଼ାକଡ଼ିଭାବେ କାର୍ଯ୍ୟକାରୀ କରିବାକୁ ସଂଘର ଦାବି
ଭୁବନେଶ୍ୱର : ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଳକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉତ୍କଳ ସାମ୍ବାଦକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ସୌଭାଗ୍ୟ ମିଶ୍ର, ଗାଁସାଥୀ ସଂଗଠକ କୁଳମଣି ମେଣ୍ଟା, ରବିନ୍ଦ୍ର ଗୌଡ଼, ମଙ୍ଗଲସାଇ ଭ୍ରତା, କନକଲତା ଜେନା, ମନସରୋଜ ପଣ୍ଡା, ଚରଣ ନାହାକ, ତପନ ମହାନ୍ତି, ଯଦୁନାଥ ମୁର୍ମୁ, ଶଙ୍କର୍ଷଣ ପଲାଇ, ନଳିନୀ ପ୍ରଧାନ, ପରମାନନ୍ଦ ମାଝୀ, ପ୍ରଫୁଲ୍ଲ ସ୍ୱାଇଁ, ଠାକୁର ନାୟକ ଓ ଅନ୍ୟ ପ୍ରମୁଖମାନେ ଉପସ୍ଥିତ ଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଗାଁସାଥୀ (ମେଟ୍)ମାନଙ୍କ ପାଇଁ କରାଯାଇଥିବା ସରକାରୀ ଚିଠିଗୁଡ଼ିକ ପଞ୍ଚାୟତ ଓ ଗ୍ରାମୀଣସ୍ତରରେ ସଠିକ୍ ଭାବେ କ୍ରିୟାନ୍ୱୟନ ହୋଇନପାରିବାର କାରଣରୁ ଅଧିକାଂଶ ଗାଁସାଥୀ (ମେଟ୍)ମାନେ ସେମାଙ୍କର କାର୍ଯ୍ୟ ଓ ପ୍ରାପ୍ୟ ପାଇପାରୁ ନାହାଁନ୍ତି । ଠିକ୍ ଏହି ସମୟରେ ଚଳିତବର୍ଷ ନଭେମ୍ବର ମାସରେ ହୋଇଥିବା ଗାଁସାଥୀଙ୍କ ଆଲୋଚନାର ଫଳାଫଳ ସ୍ୱରୂପ ପଞ୍ଚାୟତିରାଜ ବିଭାଗର ଚିଠି ନଂ-୨୩୭୩୫ (ତା ୧୮.୧୨.୨୦୧୯)କୁ ସମସ୍ତ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଛି । ଏଥିଲାଗି ସଂଘ ତରଫରୁ ଗାଁସୀଥୀଙ୍କ ପରମ ଶୁଭେଚ୍ଛୁ ମାନନୀୟ ବିଧାୟକ-ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ଅନ୍ୟ ପଦାଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉକ୍ତ ଚିଠି କିପିରି ଗ୍ରାମୀଣସ୍ତରରେ ସଠିକ୍ କାର୍ଯ୍ୟକାରୀ ହେବ, ସେଥିଲାଗି ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ନିୟମିତ ସମୀକ୍ଷା କରି ଗାଁସାଥୀ (ମେଟ୍)ମାନଙ୍କୁ ଉଚିତ୍ ନ୍ୟାୟ ଦେବା ଲାଗି ସଂଘ ଦାବି ଜଣାଇଛି । ଏଥିସହିତ ୨୫ ନଭେମ୍ବରର ମିଳତ ଆଲୋଚନା ଅନୁଯାୟୀ ମାସକୁ ସର୍ବନିମ୍ନ ୧୦ ଦିନର ଗ୍ୟାରେଣ୍ଟେଡ଼ କାର୍ଯ୍ୟ ଓ ବର୍ଷକର ସର୍ବନିମ୍ନ ୧୦୦ଦିନ କାର୍ଯ୍ୟ ପାଇନଥିବା ଗାଁସାଥୀ (ମେଟ୍)ଙ୍କୁ ସଠିକ୍ କ୍ଷତିପୂରଣ ପାଇଁ ପ୍ରଶାସନିକ ବ୍ୟବସ୍ଥା ଲାଗି ପୁନର୍ବାର ତୁରନ୍ତ ଏକ ଚିଠି କରିବା ପାଇଁ ସଂଘ ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି । ଏଥିଲାଗି ୨୦୨୦ ଜାନୁୟାରୀ ପ୍ରଥମ ସପ୍ତାହରେ ପୁଣି ଏକ ମିଳିତ ବୈଠକ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ସଂଘ ଅନୁରୋଧ କରିଛନ୍ତି । ଏଥିସହିତ ଓଡ଼ିଶାର ମନରେଗା (ଏମ୍ଜିଏନ୍ଆରଜିଏସ୍) କାର୍ଯ୍ୟକୁ ଆଗକୁ ନେବାଲାଗି ସଂଘର ରାଜ୍ୟ, ଜିଲ୍ଲା ଓ ବ୍ଲକ ସଂଗଠକମାନଙ୍କର ଏକ ସ୍ୱତନ୍ତ୍ର କର୍ମଶାଳା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟସ୍ଥ କୋରାପୁଟ ଭବନ ପରିସରରେ ୨୦୨୦ ଜାନୁୟାରୀ ୨୨ ତାରିଖ ବୁଧବାର ଦିନ ହେବା ପାଇଁ ସଂଘ ନିଷ୍ପତ୍ତି ନେଇଛି ବୋଲି ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ଓ ରାଜ୍ୟର ଗାଁସାଥୀ (ମେଟ୍) ସଂଗଠକମାନେ ଉପସ୍ଥିତ ଥିଲେ ।