ସରକାରୀ ଛୁଟି ଦିନରେ କାର୍ଯ୍ୟ ନକରିବା ନେଇ କର୍ମଚାରୀଙ୍କ ନିବେଦନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ସରକାରୀ ଛୁଟି ଦିନରେ କାର୍ଯ୍ୟ ନକରିବା ନେଇ ବନ୍ତ ବ୍ଲକ ଅଧିନ ୨୫ଟି ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ବିଡିଓଙ୍କ ଠାରେ ନିବେଦନ କରିଛନ୍ତି । ଏନେଇ ଆଜି ସମସ୍ତ ପିଇଓ ଓ ଜିଆରଏସ୍ ମାନେ ବିଡିଓଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ଠାରୁ କରୋନା ମହାମାରୀ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ବନ୍ତ ବ୍ଲକର ସମସ୍ତ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାର(ପିଇଓ) ଏବଂ ଗ୍ରାମ ରୋଜଗାର ସେବକ(ଜିଆରଏସ୍) ମାନେ ଜୀବନକୁ ବାଜି ଲଗାଇ ଦୈନନ୍ଦିନ ନିଜ କର୍ତ୍ତବ୍ୟ ସଂପାଦନ କରିଆସୁଛନ୍ତି । ଏପରିକି କୌଣସି ସରକାରୀ ଛୁଟି ଦିନରେ ମଧ୍ୟ ସେମାନେ କାର୍ଯ୍ୟରୁ ନିବୃତ୍ତ ହୋଇନାହାନ୍ତି । ଏଥିସହିତ ନିଜ ପରିବାର ଓ ପିଲାଛୁଆଙ୍କ ଜୀବନକୁ ବିପନ୍ନ କରି ସେମାନେ ନିଜ କାର୍ଯ୍ୟ ସୂଚାରୁରୂପେ ନିର୍ବାହ କରିଆସିଛନ୍ତି । ଏବେ ରାଜ୍ୟରେ କରୋନା ମହାମାରୀର ତାଣ୍ଡବ ଦିନକୁ ଦିନ ବୃଦ୍ଧି ପାଉଛି । ସେପରିସ୍ଥିତିରେ ସରକାରୀ ଛୁଟି ଦିବସରେ ସେମାନେ ନିଜ ଜୀବନକୁ ବିପନ୍ନ କରି ସରକାରୀ କାର୍ଯ୍ୟ କରିଚାଲିଛନ୍ତି । ଯାହାକି ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ମାନସିକ ଆଘାତ ଦେଉଛି । ସରକାରୀ ଛୁଟି ଦିନରେ ଘରେ ରହି କାର୍ଯ୍ୟ କରିବା ସହ ପରିବାର କଥା ବୁଝିବାକୁ ଅନୁମତି ଦେବା ପାଇଁ ସମସ୍ତ କର୍ମଚାରୀ ବିଡିଓଙ୍କୁ ନିବେଦନ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଛୁଟି ଦିନରେ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କର୍ମଚାରୀ ମାନେ ଦାବୀ କରିଛନ୍ତି ।