ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅଧିନ ପୁରୁଷୋତ୍ତମପୁରସ୍ଥିତ ସରକାରୀ ଜମିରୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ପ୍ରକାଶ ଯେ, ପୁରୁଷୋତ୍ତମପୁର ସରକାରୀ ଜମି ଖାତା ନଂ-୧୫୧, ପ୍ଲଟ ନଂ-୮୬, ଏରିଆ- ଏ୦-୩୨ ଡିସମିଲ ଓ ଏ୧-୧୮ ଡିସମିଲ୍ କିସମ-ଉନ୍ନତ ଯୋଜନା ଯୋଗ୍ୟ ଅଟେ । ଏହି ଜମିକୁ ଉକ୍ତ ଗ୍ରାମର ବିମ୍ବାଧର କାଣ୍ଡି ଓ ରଂଗାଧର କାଣ୍ଡି ଗତ କିଛି ବର୍ଷ ହେବ ଦଖଲ କରି ସେଥିରେ ବୃକ୍ଷରୋପଣ କରିବା ସହ ଘର ଓ ଚାଷ ଜମି କରି ଚଳିଆସୁଥିଲେ । ଏହାକୁ ସେମାନେ ତହସିଲଦାରଙ୍କ ଠାରେ ଏକ ଓପିଏଲଇ କେସ୍ ମୂଳେ ଦଖଲ କରୁଥିଲେ । ଏହି ଜମିର ପଟ୍ଟା ପାଇବା ପାଇଁ ସେମାନେ ମାନ୍ୟବର ହାଇକୋର୍ଟରେ ମାମଲା ଦାଏର କରିଥିଲେ । ମାନ୍ୟବର କୋର୍ଟ ଉକ୍ତ ମାମଲାକୁ ବିଚାର କରି ଉପଜିଲାପାଳଙ୍କ ପାଖକୁ ପଠାଇଥିଲେ । ଉପଜିଲାପାଳ ମାମଲକୁ ବିଚାର କରିବା ସହ ଉକ୍ତ ମାମଲକୁ ଖାରଜ୍ କରିଥିଲେ । ଫଳରେ ଦରଖାସ୍ତକାରୀ ଉକ୍ତ ମାମଲାର ପୁନଃ ବିଚାର ପାଇଁ ଜିଲାପାଳଙ୍କ ଠାରେ ଦରଖାସ୍ତ କରିଥିଲେ । ଏହି ଜମିର ଜବରଦଖଲ ଉଚ୍ଛେଦ ପାଇଁ ଆଜି ତହସିଲଦାର ଇନ୍ଦିରା ସାହୁ, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଆଇଆଇସି ମୀନା ବିନ୍ଧାଣୀଙ୍କ ସମେତ ଏକ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଜେସିବି ମେସିନ୍ ଦ୍ୱାରା ଜବର ଦଖଲ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ସଂପୃକ୍ତ ଜବରଦଖଲକାରୀଙ୍କ ଆସବାବପତ୍ର ଓ ଧାନକୁ ପଞ୍ଚାୟତ ଜିମାରେ ରଖାଯାଇଛି । ଉଚ୍ଛେଦକୁ ବିରୋଧ କରି ଘଟଣା ସ୍ଥଳରେ ସାମାନ୍ୟ ଉତେଜନା ପ୍ରକାଶ ପାଇଥିବା ଦେଖାଯାଇଥିଲା ।


