ସରକାରୀ ଜମିରେ ବେଆଇନ୍ ଚିଙ୍ଗୁଡି ଘେରି : ଚିଙ୍ଗୁଡ଼ି ମାଫିଆ-ପ୍ରଶାସନ ମୁହାଁମୁହିଁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ପଞ୍ଚାୟତର କଣ୍ଡରାପାଟିଆରେ ୧୭୦ ଏକର ସରକାରୀ ଜମିକୁ ଜବରଦଖଲ କରି ଚିଙ୍ଗୁଡ଼ି ଚାଷ କରିଥିବା ଚିଙ୍ଗୁଡି ମାଫିଆ ଓ ପ୍ରଶାସନ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛିି । ଚିଙ୍ଗୁଡି ମାଫିଆମାନେ କହିଥିଲେ ଯେ ଏହି ଜମିକୁ ସେମାନେ ପଟ୍ଟା କରିଛନ୍ତି । ମାଫିଆମାନେ ୨୦୧୦ ମସିହା ପରଠାରୁ ପଟ୍ଟା କରି ଏଠାରେ ଚିଙ୍ଗୁଡି ଚାଷ କରୁଛନ୍ତି । ତେଣୁ ଏହି ଜମି ସେମାନଙ୍କର । କିନ୍ତୁ ତହସିଲଦାର ଏହି ପଟ୍ଟାକୁ ରଦ୍ଦ କରି ଦେଇଛନ୍ତି । ଏହା ଜଙ୍ଗଲ ଜମି । ତେଣୁ ଏହାକୁ କେହି ପଟ୍ଟା କରି ନେଇପାରିବେ ନାହିଁ ବୋଲି ପ୍ରଶାସନ କହିଥିଲା । ୨୦୦୯-୧୦ ମସିହାରେ ଏହି ଜମିରେ ଲୁଣା ଜଙ୍ଗଲ ସୃଷ୍ଟି କରାଯିବା ପାଇଁ ଚାରା ରୋପଣ କରାଯାଇଥିଲା । ହେଲେ ଏହି ଚାରା ବଞ୍ଚି ନଥିଲା । ଫଳରେ ଏହାପରେ ଏହି ଜମିକୁ ଚିଙ୍ଗୁଡି ମାଫିଆମାନେ ଜବରଜଖଲ କରି ଚିଙ୍ଗୁଡି ଚାଷ କରୁଥିଲେ । ଏବେ ସେହି ଜମିରେ ପ୍ରଶାସନ ପୁନର୍ବାର ଲୁଣା ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରୟାସ କରି ଜେସିବି ଦ୍ୱାରା ନାଳ ଖୋଳିବାକୁ ଶୁକ୍ରବାର ଆସିଥିଲା । କାରଣ ଏହି ଜମିକୁ ଲୁଣାପାଣି ନମାଡିଲେ ଲୁଣା ଜଙ୍ଗଲ ସୃଷ୍ଟି ହୋଇ ପାରିବ ନାହିଁ । କିନ୍ତୁ ଏହାକୁ ମାଫିଆମାନେ ବିରୋଧ କରିଥିଲେ । ଫଳରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମଗାଯାଇଥିଲା । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ନଳା ଖୋଳା କାର୍ଯ୍ୟ ହୋଇଥିଲା । ପ୍ରଶାସନ ଭୟରେ ମାଫିଆମାନେ ଛତ୍ରଭଙ୍ଗ ଦେଇଥିଲେ । ରାଜନଗର ଡିଏଫଓଙ୍କ ନିର୍ଦେଶକ୍ରମେ ଜମ୍ବୁ ରେଞ୍ଜର ସାହାଜୀ ବିଶ୍ୱାଳ, କନିକା ରେଞ୍ଜର ମାନସ କୁମାର ଦାସ, ରାଜନଗର ରେଞ୍ଜର ଚିତ୍ତରଞ୍ଜନ ବେହୁରା ପ୍ରମୁଖ ଘଟଣା ସ୍ଥଳକୁ ଆସିଥିଲେ । ସେହିପରି ଜମ୍ବୁ ସାମୁଦ୍ରିକ ଥାନାଧିକାରୀ ପରେଶ ମହାନ୍ତି, ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ