ସରକାରୀ ଜମି ଜାଲିଆତି ଅଭିଯୋଗ : ପୂର୍ବତନ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସରକାରୀ ଜମି ଜାଲିଆତି କରିବା ନେଇ ଜନୈକ ପୂର୍ବତନ ତହସିଲଦାରଙ୍କ ବିରୋଧରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ନିକଟରେ ଅଭିଯୋଗ ହୋଇଛି । ଏଥିସହିତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅଭିଯୋଗକାରୀ ଦାବି କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାଇ ପୂର୍ବତନ ତହସିଲଦାରଙ୍କ ସହଯୋଗରେ ଅନ୍ୟ ଜଣେ ବ୍ୟକ୍ତି ପ୍ରାୟ ୨ଏକର ସରକାରୀ ଜମିକୁ ହାତେଇ ନେଇଥିବା ସମ୍ପର୍କରେ ଜଣାପଡିଛି । ଗତ ୨୦୨୦ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅଧିନରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ତହସିଲର ଜନୈକ ପୂର୍ବତନ ତହସିଲଦାର ଏହି ସରକାରୀ ଜମିକୁ ଜାଲିଆତି କରି ଅନ୍ୟଜଣଙ୍କ ନାମରେ ବେଆଇନ ଭାବେ ରେକର୍ଡ କରିଦେଇଥିବା ନେଇ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ଆଚାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତିି । ଶ୍ରୀ ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ତହସିଲର ଜନୈକ ପୂର୍ବତନ ତହସିଲଦାର ପ୍ରାୟ ୨ଏକର ସରକାରୀ ଜମିକୁ ବେଆଇନ ଭାବେ ଅନ୍ୟ ଜଣଙ୍କ ନାମରେ ରେକର୍ଡ କରିଦେଇଥିବା ନେଇ ସୂଚନା ଅଧିକାର ଆଇନ ବଳରେ ସେ ପ୍ରାପ୍ତ ହୋଇଥିବା ତଥ୍ୟରୁ ଜାଣିବାକୁ ପାଇଥିଲେ । ସେହି ତଥ୍ୟ ବଳରେ ସଂପୃକ୍ତ ପୂର୍ବତନ ତହସିଲଦାରଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ପ୍ରଦାନ କରି ଦାବି କରିଛନ୍ତି । ଏଥିସହିତ ଏହି ଜାଲିଆତି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସେହି ସରକାରୀ ଜମିକୁ ତୁରନ୍ତ ସରକାରୀ ଖାତାକୁ ଫେରାଇ ଅଣାଯିବା ସହ ଏଥିରେ ସଂପୃକ୍ତ ଥିବା ପୂର୍ବତନ ତହସିଲଦାର, ତଦନାନ୍ତିନ ପେସ୍କାର, ଅମିନ ଓ ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୦୭ ମସିହାରେ ଆର.ପି. କେଶ ନମ୍ବର – ୪୭୪ର ଶୁଣାଣି କରି କଟକସ୍ଥିତ ରାଜସ୍ୱ କମିଶନର ୨୦୧୧ ମସିହାରେ ତତ୍କାଳୀନ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଆଇନଗତ ଦିଗକୁ ତର୍ଜମା କରି ଫଇସଲା କରିବାକୁ ନିର୍ଦେଶ ଦେଇଥିଲେ । ୨୦୧୧ ମସିହାରୁ ୨୦୧୪ ମସିହା ଭିତରେ ତହସିଲଦାର ସଂପୃକ୍ତ କେଶରେ ରାଜସ୍ୱ ନୀରିକ୍ଷକ ଏବଂ ଅମିନଙ୍କ ରିପୋର୍ଟ ତଲବ କରିଥିଲେ । ସେହି କେଶର ୨୦୨୦ ମସିହା ପର୍ଯ୍ୟନ୍ତ କୈାଣସି ଫଇସଲା ନହୋଇ ପଡିରହିଥିଲା । ହଠାତ୍ ୨୦୨୦ ମସିହାରେ ତତ୍କାଳୀନ ତହସିଲଦାର ସଂପୃକ୍ତ କେଶରେ ଫାଇନାଲ ଜଜମେଣ୍ଟ ପ୍ରଦାନ କରି ୨ଏକର ମୂଲ୍ୟବାନ ସରକାରୀ ଅନାବାଦୀ ଜମିକୁ ଅନ୍ୟ ଜଣଙ୍କ ନାମରେ ସ୍ଥିତିବାନ କରିଦେବା ଘଟଣା ଆଶ୍ଚର୍ଯ୍ୟ ଚକିତ କରିଛି । ଏକ ସରକାରୀ ଜମିକୁ ସ୍ଥିତିବାନ କରାଯିବା ପୂର୍ବରୁ ବିଧିବଦ୍ଧ ଭାବେ ସଂପୃକ୍ତ ଜମି ସମ୍ପର୍କରେ ତହସିଲଦାର ରିପୋର୍ଟ ତଲବ କରିବା ସହ ନିଜେ ସତ୍ୟାସତ୍ୟ ଅନୁସନ୍ଧାନ କରିବେ । ଏଥିସହିତ ସଂପୃକ୍ତ ଜମିର ଖଜଣା ପାଉତି କଟାଯିବା, ରିପୋର୍ଟ ଉପରେ ସରକାରୀ ଓକିଲଙ୍କ ମତାମତ ବା ସହମତି ନିଆଯିବା, ବିଭିନ୍ନ ସମୟରେ ଏସମ୍ପର୍କରେ ତହସିଲଦାର ଙ୍କ କୋର୍ଟରେ ଶୁଣାଣି କରାଯିବା, କେଶ କରିଥିବା ବ୍ୟକ୍ତିଙ୍କ ହାଜିରା ନିଆଯିବା ସହିତ ସଂପୃକ୍ତ ଜମି ସମ୍ପର୍କରେ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଓ ଅମୀନ ରିପୋର୍ଟ ପ୍ରଭୃତି ଯଦି କେଶ କରିଥିବା ବ୍ୟକ୍ତିଙ୍କ ସପକ୍ଷରେ ଯାଉଥାଏ ତେବେ ଶେଷରେ ସେହି ଜମିକୁ ସ୍ଥିତିବାନ କରାଯାଇଥାଏ । କିନ୍ତୁ ଏହି କେଶଟି ୨୦୧୪ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ପଡି ରହିଥିବା ବେଳେ ଖଜଣା କଟା ପାଉତି ନଥିବା, ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ନଥିବା,ସରକାରୀ ଓକିଲଙ୍କ ମତାମତ ବା ସହମତି ନଥିବା, କେଶ କରିଥିବା ବ୍ୟକ୍ତିଙ୍କ ହାଜିରା ନଥିବା, ତହସିଲଦାର କେଶର କୈାଣସି ଶୁଣାଣି କରିନଥିବା ବେଳେ ଚଞ୍ଚକତା କରାଯାଇ ଅମୀନ ରିପୋର୍ଟ କରାଯିବା ସହ ହଠାତ ଜଜମେଣ୍ଟ ପ୍ରଦାନ କରି ତହସିଲଦାର ୨ଏକର ସରକାରୀ ଜମିକୁ ଜଣେ ବ୍ୟକ୍ତିଙ୍କ ନାମରେ କିଭଳି କରିଦେଲେ ସେନେଇ ଆବଶ୍ୟକ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୂଚନା ଅଧିକାର କର୍ମୀ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ