ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନାହିଁ ଉତ୍ତମ ସ୍ୱାସ୍ଥ୍ୟ ସେବା
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକ କମାରଯୋଡା ସ୍ଥିତ ସରକାରୀ ଡାକ୍ତରଖାନାରେ କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯୋଡା ବ୍ଲକ ର ୧୫ ଟି ଗ୍ରାମପନ୍ଚାୟତ ଓ ଯୋଡା ପୌରପାଳିକାର ୧୪ଟି ୱାର୍ଡ ଏହି ଡାକ୍ତରଖାନା ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ । ହେଲେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ହେତୁ ଜନସାଧାରଣ ଉତ୍ତମ ସେବା ପାଇବାରୁ ବଂଚିତ ହେଉଛନ୍ତି । ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ(ଡି.ଏମ.ଏଫ) ରେ ହଜାର ହଜାର କୋଟି ଟଙ୍କା ଥାଇ ମଧ୍ୟ ଖଣି ପ୍ରଭାବିତ ଯୋଡା ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି । ଯୋଡା ସରକାରୀ ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରଖାନାରେ ସମୁଦାୟ ୭ ଜଣ ବିଭିନ୍ନ ବିଭାଗର ଡାକ୍ତର ଓ ୬ ଜଣ ନର୍ସ ରହିଛନ୍ତି । ସେଥିମଧ୍ୟରୁ ୪ ଜଣ ସରକାରୀ ଏବଂ ୩ ଜଣ ଡି.ଏମ.ଏଫ୍ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି । ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱହେବ ଡାକ୍ତରଖାନାରେ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଥିବା ବେଳେ ଡାକ୍ତରଖାନା ପାଇଁ ଜଣେ ମୁଖ୍ୟ ସର୍ଜରୀ ଡାକ୍ତର ନାହାନ୍ତି । ଦୀର୍ଘ ୬ ବର୍ଷ ହେବ ଅର୍ଥପେଡିକ୍ସ ବିଭାଗରେ ମଧ୍ୟ ଡାକ୍ତର ପଦବୀ ଖାଲି ପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସା ଅଧିକାରୀ କେହି ନାହାନ୍ତି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ଡାକ୍ତରଖାନାର ଦାୟିତ୍ୱ ତୁଲାଉଛନ୍ତି । ଡାକ୍ତରଖାନାର ମୁଖ୍ୟ ସମସ୍ୟା ଗୁଡିକ ମଧ୍ୟରେ ରହିଛି, ଆମ୍ବୁଲାନ୍ସ ଗାଡିର ଅଭାବ । ରାତ୍ରୀ ବେଳା ଜରୁରୀକାଳୀନ ଡାକ୍ତରଙ୍କ ଆବଶ୍ୟକବେଳେ ଡାକ୍ତରମାନେ ଡାକ୍ତରଖାନାରେ ପହଁଚି ପାରୁନାହାନ୍ତି । କାରଣ ଷ୍ଟାପ୍ କ୍ୱାଟର୍ସ ଡାକ୍ତରଖାନାରେ ଉପଲବ୍ଧ ନଥିବାରୁ ସେମାନେ ସହରରେ ଭଡା ଘରେ ରହୁଛନ୍ତି । ଏଣୁ ସେମାନଙ୍କୁ ଡାକ୍ତରଖାନା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛିି । ଏହା ସହିତ ଡାକ୍ତରଖାନାରେ ଫାର୍ମାସିଷ୍ଟ ପଦବୀ ଦୀର୍ଘସ୍ଥାୟୀ ରହୁନାହିଁ । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କେବଳ ଚୁକ୍ତିଭିତିକ ଫାର୍ମାସିଷ୍ଟ ରଖି କାର୍ଯ୍ୟ କରାଯାଉଛି । ଗତ ତା-୩୧.୧୨.୨୦୨୦ ରିଖରେ ଡାକ୍ତରଖାନାରେ ନିଯୁକ୍ତ ଥିବା ଚୁକ୍ତିଭିତିକ ୨ ଜଣ ଫାର୍ମାସିଷ୍ଟଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ଏବଂ ପୁନର୍ବାର ସେମାନଙ୍କୁ ଏକ ମାସ ପାଇଁ ନିଯୁକ୍ତି ଦିଆଯାଇଥିବା ଖବର ହସ୍ତଗତ ହୋଇଛି । ତେବେ ଦୀର୍ଘସ୍ଥାୟୀ ନିଯୁକ୍ତି ଫର୍ମାସିଷ୍ଟଙ୍କୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦିଆଯାଉନଥିବାରୁ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସରକାରୀ ଡାକ୍ତରଖାନା ବିଫଳ ହେଉଛି । ଡାକ୍ତରଖାନାରେ ନିଯୁକ୍ତ ଥିବା ୭ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କର କାର୍ଯ୍ୟ କାଳ ସମ୍ପୁର୍ଣ୍ଣ ହୋଇଯାଇଥିବାରୁ ସେମାନଙ୍କ ଅନୁପସ୍ଥିତି ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅସୁବିଧା ସୃଷ୍ଟି କରୁଛି । ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପୂର୍ବରୁ ଚୁକ୍ତିଭିତିକ ନିଯୁକ୍ତି ପାଇଥିବା କେବଳ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଏକମାସ ପାଇଁ ନିଯୁକ୍ତି ଦିଆଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସିଧାସଳଖ ନିଯୁକ୍ତି ଦିଆନଯାଇ ଏକ ଏନ୍ଜିଓ ସଂସ୍ଥା ମାଧ୍ୟମରେ ଉକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଓ ଫାର୍ମାସିଷ୍ଟଙ୍କୁ ଚୁକ୍ତିଭିତିକ ଅସ୍ଥାୟୀ ନିଯୁକ୍ତି ଦିଆଯାଉଅଛି । ଖଣିବହୁଳ ଯୋଡା ବ୍ଲକ୍ ର ହଜାର ହଜାର ଜନସାଧାରଣ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଜରୁରୀକାଳୀନ ଅସ୍ତ୍ରପୋଚାର ଡାକ୍ତରଖାନାରେ ଅପରେସନ ଥିଏଟରର ବ୍ୟବସ୍ଥା ଏଯାବତ୍ ହୋଇପାରିନାହିଁ । ଡାକ୍ତରଖାନାରେ ଥିବା ରୋଗୀ, ଡାକ୍ତର ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସୁରକ୍ଷା କର୍ମୀ ଅଭାବ ରହିଛି । ବର୍ତମାନ ଡାକ୍ତରଖାନାରେ ଜଣେ ମାତ୍ର ସୁରକ୍ଷାକର୍ମୀ ନିଯୁକ୍ତ ଅଛି । ଏଣୁ ସୁରକ୍ଷା ଦୃଷ୍ଟିରୁ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀଙ୍କର ନିଯୁକ୍ତ ଦିଆଯିବା ଆବଶ୍ୟକ ରହିଛି । ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଓ ସମ୍ପାଦକ ସୁଶାନ୍ତ କୁମାର ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏଠାରେ ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ । ଗତ ତା-୦୩.୦୭.୨୦୨୦ରିଖରେ ଯୋଡା ବିକାଶ ପରିଷଦ ପକ୍ଷରୁ ଡାକ୍ତରଖାନାରେ ଜଣେ ସର୍ଜନ, ୨ ଜଣ ଫାର୍ମାସିଷ୍ଟ ଓ ଆବଶ୍ୟକ ସ୍ୱାସ୍ଥ୍ୟ ଉପକରଣ ଯୋଗାଇଦେଇ ଅପରେସନ ଥିଏଟରକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବାପାଇଁ ଲିଖିତ ଭାବେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗକୁ ଜଣାଇଥିଲେ । ଯୋଡା ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ଏଠାକାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବା ଉଚିତ୍ । ଅଂଚଳରେ ଥିବା କର୍ପୋରେଟ ସଂସ୍ଥା ଗୁଡିକ ମଧ୍ୟ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସମ୍ପୁର୍ଣ୍ଣ ସହଯୋଗ କରିବା ଉଚିତ ବୋଲି ସେମାନେ କହିଥିଲେ । ଏ ସମ୍ପର୍କରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରୋଗୀ ସେବାକୁ ଅଗ୍ରାଧୀକାର ଭିତିରେ ଯୋଗାଇ ଦେବାର ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ଯଦି କୌଣସି ଅସୁବିଧା ଥାଏ ତେବେ ଅତିଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଥିଲେ ।


