ସରକାରୀ ନିର୍ଦ୍ଦେଶ ଅବମାନନା ପଞ୍ଚାୟତର ନିର୍ବାହୀ ଅଧିକାରୀ ନିଲମ୍ବିତ
ଛତ୍ରପୁର : କରୋନା ଭୟାବହତାକୁ ରୋକିବାପାଇଁ ପ୍ରଣୟନ କରାଯାଇଥିବା ପ୍ରଶାସନିକ ନିୟମ ଅବମାନନା କରିବାରୁ କୁକୁଡାଖଣ୍ଡି ବ୍ଲକ୍ ର ଅଙ୍କୁଶପୁର ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି । ସାମାଜିକ ନିରାପତ୍ତା ଭତ୍ତା ଜନସାଧାରଣଙ୍କୁ ବଣ୍ଟନ କରିବାପାଇଁ ଜିଲ୍ଲା ପ୍ରଶାସନ କର୍ମଚାରୀ ମାନଙ୍କୁ ହିତାଧିକାରୀଙ୍କ ଘରେ ଉକ୍ତ ଅର୍ଥ ଲଫାଫା ମଧ୍ୟରେ ରଖି ବ୍ୟକ୍ତିଗତ ସୁରକ୍ଷାକୁ ଧ୍ୟାନ ପୂର୍ବକ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ତତ୍ ସହିତ ଲକ୍ ଡାଉନ୍ ସମୟରେ କୌଣସି ସ୍ଥାନରେ ୭ ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ନ ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ବାହୀ ଅଧିକାରୀ ସମସ୍ତ ନିୟମକୁ ବେଖାତିର କରି ହିତାଧିକାରୀ ମାନଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ ପୂର୍ବକ କୋଳାହଳ ମଧ୍ୟରେ ଭତ୍ତା ବଣ୍ଟନ କରୁଥିଲେ । ଏହା ଦ୍ବାରା କରୋନା ପାଇଁ ଜାରି କରାଯାଇଥିବା ସାମାଜିକ ଦୂରତା ନଷ୍ଟ ହେବା ସହିତ କରୋନା ସଂକ୍ରମଣ ସମ୍ଭାବନା ଅଧିକ ପରିଲକ୍ଷିତ ହେଉଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ୟକ୍ତିଗତ ଭାବରେ ଏହାକୁ ଅନୁଧ୍ୟାନ କରି କର୍ମଚାରୀଙ୍କ କାର୍ୟ୍ୟକଳାପ ସରକାରୀ ନିୟମ ଭଙ୍ଗ କରୁଥିବାରୁ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ ପାଇଁ କାର୍ୟ୍ୟାଦେଶ ଜାରି କରିଛନ୍ତି । ନିଲମ୍ବନ ସମୟରେ ନିର୍ବାହୀ ଅଧିକାରୀ ବ୍ରହ୍ମପୁର ଉପଜିସଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଉପସ୍ଥାନ ସୁନିଶ୍ଚିତ କରିବେ । ନିଲମ୍ବନ ସମୟରେ ସରକାରଙ୍କ ବିଧି ମୁତାବକ ବେତନର ଅଂଶ ବିଶେଷ କର୍ମଚାରୀଙ୍କୁ ପ୍ରଦାନ କରାଯିବ ।